ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣ; ୨୫ଟି କାମରେ ମିଳିବ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର:ବିଜେପି

ପ୍ରବାସୀ ଶ୍ରମିକଙ୍କ ରହିବା ଖାଇବା ପିଇବା ଓ ଯତ୍ନ ନେବା ପାଇଁ ମୋଦି ସରକାର ବ୍ୟବସ୍ଥା କରିଛନ୍ତି। ଅନେକ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହୋଇଛି। ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇବା ନିମନ୍ତେ ମନରେଗାରେ ଅତିରିକ୍ତ ୪୦ ହଜାର କୋଟି ବ୍ୟୟବରାଦ ହୋଇଛି। ଯାହା ପୂର୍ବରୁ ୬୦ ହଜାର କୋଟି ଥିଲା। ସେହିପରି ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି। ସେମାନଙ୍କୁ ଗ୍ରାମାଞ୍ଚଳରେ ଭିନ୍ନ ଭିନ୍ନ ୨୫ଟି କାମରେ ରୋଜଗାର ଯୋଗାଇ ଦିଆଯିବ। ଏହି ଯୋଜନାରେ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ବଲାଙ୍ଗିର ଭଳି ଜିଲ୍ଲା ବିଶେଷ ପ୍ୟାକେଜ ସହ ଅଧିକ ମାତ୍ରାରେ ଲାଭବାନ ହୋଇପାରିବ। ଆତ୍ମନିର୍ଭର ଭାରତ ଅଭିଯାନରେ ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣର ବ୍ୟବସ୍ଥା ହୋଇଛି। ଜୁଲାଇ ପହିଲା ସୁଦ୍ଧା ଏହି ଯୋଜନାରେ ସୁଦ୍ଧା ୩୦ ଲକ୍ଷ ଏମଏସଏମଇ ପ୍ରତିଷ୍ଠାନକୁ ୧.୧୦ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁରୀ ଦିଆଯାଇଛି। ଏହି କ୍ଷେତ୍ର ପାଇଁ ନବାର୍ଡ ପକ୍ଷରୁ ହୋଇଥିବା ୩୦ ହଜାର କୋଟିର ସ୍ୱତନ୍ତ୍ର ନଗଦ ପାଣ୍ଠିରୁ ଜୁନ ଶେଷ ସୁଦ୍ଧା ୨୪ ହଜାର ୫୮୬ କୋଟି ଦିଆଯାଇଛି। ଏମଏସଏମଇ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ନିଯୁକ୍ତିଦାତାଙ୍କ ପାଇଁ ୨୫୦୦ କୋଟିର ଇପିଏଫ ସହଯୋଗ ଦିଆଯାଇଛି। ଏହା ଦ୍ୱାରା ପ୍ରାୟ ୩.୬୭ ଲକ୍ଷ ପ୍ରତିଷ୍ଠାନ ଏବଂ ୭୨.୨୨ ଲକ୍ଷ କର୍ମଚାରୀ ଲାଭବାନ ହେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଦେଶର କୃଷକ, ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, ଛୋଟ ବ୍ୟବସାୟୀ ଓ ଗହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଆର୍ଥିକ ସବଳ ପାଇଁ ଉଦ୍ୟମ କରାଯାଇଛି। କିଷାନ କ୍ରେଡିଟ୍ ମାଧ୍ୟମରେ ୨.୫ କୋଟି ଚାଷୀ ତଥା ମତ୍ସ୍ୟ ଓ ଦୁଗ୍ଧ ଚାଷୀଙ୍କ ପାଇଁ ମଧ୍ୟ ଲୋନ ଦିଆଯିବାର ବ୍ୟବସ୍ଥା ହୋଇଛି। ଏଥିରେ ଜୁନ ଶେଷ ସୁଦ୍ଧା ୬୨ ହଜାର ୮୭୦ କୋଟି ଲିମିଟରେ ୭୦.୩୨ ଲକ୍ଷ କିଷାନ କ୍ରେଡଟିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କୃଷି ଭିତିଭୂମିକୁ ସଦୃଢ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମି ପାଣ୍ଠି ଘୋଷଣା କରାଯାଇଛି। ନାବାର୍ଡ ପକ୍ଷରୁ କୃଷି ଋଣ ପାଇଁ ସ୍ୱତନ୍ତ୍ର ନଗଦ ପାଣ୍ଠି (ଲିକ୍ୱିଡିଟି) ବ୍ୟବସ୍ଥା ହୋଇଛି। ଜୁନ ୩୦ ଶେଷ ସୁଦ୍ଧା ୨୪ ହଜାର ୫୮୬.୮୭ କୋଟି କର୍ପୋରେଟିଭ୍ ବ୍ୟାଙ୍କକୁ ପ୍ରଦାନ କରାଯାଇଛି। ଲଘୁ ଖାଦ୍ୟ ଉଦ୍ୟୋଗ ଗୁଡିକୁ ସଂଗଠିତ କରିବା ପାଇଁ ୧୦ ହଜାର କୋଟି ଘୋଷଣା କରାଯାଇଛି। ଏହା ଦେଶର ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର କରିବ ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଲୋକାଲ୍ ପାଇଁ ଭୋକାଲ୍କୁ ବଡ ଗତି ଦେବ। ଏହା ଲଘୁ ଖାଦ୍ୟ ଉଦ୍ୟୋଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଲାଭ ଦେବା ଓ ଚାଷୀଙ୍କ ଆୟ ମଧ୍ୟ ବଢିବ।
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୦ ହଜାର କୋଟି ଟଙ୍କା ଘୋଷଣା ହୋଇଛି। ଦୁଗ୍ଧ ଶିଳ୍ପକୁ ପ୍ରୋତ୍ସାହନ ଦେବ ୧୫ ହଜାର କୋଟିର ପଶୁପାଳନ ଭିତିଭୂମି ବିକାଶ ପାଣ୍ଠି ଗଠନ ହୋଇଛି। ମହୁ ଚାଷର ଭିତିଭୂମିକୁ ମଜବୁତ କରିବା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରାଯାଇଛି। ଏହା ୨ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରିବ ଓ ସ୍ଥାନୀୟ ମହୁ ସଂଗ୍ରହକାରୀ ମହିଳା ଚାଷୀଙ୍କୁ ମଧ୍ୟ ଆର୍ଥିକ ସବଳ କରିବ। ଗୋଟିଏ ଦେଶ ଓ ଗୋଟିଏ ବଜାରର ବ୍ୟବସ୍ଥା ହୋଇଛି,ଯାହା ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପାଇପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
କୋଇଲା କ୍ଷେତ୍ରରେ ଭିତିଭୂମିର ବିକାଶ ବିଶେଷ ଭାବରେ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯାଇଛି। ଏହି ଆତ୍ମନିର୍ଭର ପ୍ୟାକେଜରେ କୋଇଲା ଭିତିଭୂମିକୁ ଗୁରୁତ୍ୱ ଦେବା ସହ ଏଥିପାଇଁ ୫୦ ହଜାର କୋଟିର ନିବେଶ ପ୍ରସ୍ତାବ ହୋଇଛି। କୋଇଲା ଖଣି ନିଲାମ ପ୍ରକ୍ରିୟା ସରଳୀକରଣ ହୋଇଛି। ଜୁନ ୧୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟିକ ଖଣି ପାଇଁ ୪୧ଟି କୋଇଲା ଖଣି ନିଲାମ କରିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ଆଗାମୀ ୫ରୁ ୭ ବର୍ଷ ବାଣିଜ୍ୟିକ ଖଣି ନିଲାମୀ ଯୋଗୁଁ ୩୩ ହଜାର କୋଟି ଟଙ୍କା ପୁଞ୍ଜନିବେଶ ପ୍ରତି ଆକୃଷ୍ଟ ହେବାର ଆକଳନ କରାଯାଇଛି।
ସେହିପରି ପ୍ରତିରକ୍ଷା ପାଇଁ ୩୮ ହଜାର ୯୦୦ କୋଟିର ବ୍ୟୟବରାଦ ହୋଇଛି। ଏହି କ୍ଷେତ୍ର ସମେତ ବେସାମରିକ ବିମାନ ଚଳାଚଳ, ମହାକାଶ କ୍ଷେତ୍ରରେ ବ୍ୟାପକ ସଂସ୍କାରର ଲକ୍ଷ୍ୟ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବା, ଭାରତକୁ ବିମାନ ରକ୍ଷଣାବେକ୍ଷଣର ଏକ ପେଣ୍ଠସ୍ଥଳି କରିବା ଏବଂ ଭାରତକୁ ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ ଏବଂ ମହାକାଶ ଯନ୍ତ୍ରପାତି ତିଆରି କ୍ଷେତ୍ରରେ ଆତ୍ମନିର୍ଭର କରିବା ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏବଂ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.