କରୋନା ପରବର୍ତ୍ତୀ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ଆତ୍ମନିର୍ଭର ଭାରତ ଅଭିଯାନ: ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନରେ ଗରିବଙ୍କ କଲ୍ୟାଣକୁ ପ୍ରଧାନ୍ୟ ଦେବାସହ ଦେଶର ପୁଞ୍ଜିନିବେଶ, ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତିକୁ ପ୍ରୋତ୍ସାହନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଚାଷୀ, ଶ୍ରମିକ, ମଧ୍ୟବିତ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରିଛି ଓ କୋଇଲା, ଖଣିଜ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ଶକ୍ତି ଯୋଗାଣ, ପରମାଣୁ ଏବଂ ମହାକାଶ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ସହାୟକ ହୋଇଛି। ମୋଦି ସରକାରଙ୍କ ଏହି ଐତିହାସିକ ପଦକ୍ଷେପ କରୋନା ପରବର୍ତ୍ତୀ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଗୋଟିଏ ଶକ୍ତିଶାଳୀ, ସ୍ଥିର ତଥା ପ୍ରଗତିଶୀଳ ଭାରତ ଗଠନ କରିବାରେ ସହାୟକ ହୋଇପାରିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନ କେବଳ କୋରନା ସହ ମୁକାବିଲା କରିବାରେ ବଡ ଭୂମିକା ଗ୍ରହଣ କରିନାହିଁ ବରଂ ନୂଆ ଭାରତ ଦିଗରେ ମଧ୍ୟ ଅଗ୍ରସର ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଭାରତର କରୋନା ବିରୋଧୀ ମୁକାବିଲାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହୋଇଛିି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଜିନଧନ ଆକାଉଂଟ, ସାମାଜିକ ସୁରକ୍ଷା ଭତା ଓ ଉଜ୍ଜଳା ଯୋଜନାରେ ଜୁନ ୨୮ ସୁଦ୍ଧା ପାଖାପାଖି ୪୦ କୋଟି ଲୋକଙ୍କୁ ୬୪ ହଜାର ୫୦୦ କୋଟି ସିଧାସଳଖ ଡିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। ଗରିବ ଓ ପ୍ରବାସୀଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଦେଶର ୮୦ କୋଟି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୮ ମାସ ଅର୍ଥାତ୍ ନଭେମ୍ବର ଯାଏ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଓ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି ଆଗାମୀ ପାଞ୍ଚ ମାସ ପାଇଁ ଦିଆଯିବ । ଏଥିପାଇଁ ମୂଲ୍ୟ ୯୦ହଜାର କୋଟିରୁ ଅଧିକ ହେବାର ଆକଳନ କରାଯାଇଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Comments are closed.