ମମତାଙ୍କ ଗଡ଼ରେ ବିଜେପି ଅଧ୍ୟକ୍ଷ

0

କଲକାତା: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହ ଶନିବାର କଲକାତାରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ସାଧାରଣ ସଭାରେ ଦର୍ଶକଙ୍କ ଭିଡ଼କୁ ଦେଖି ଅମୀତ ଶାହ ମମତାଙ୍କ ସରକାର ଖୁବ୍‍ ଶୀଘ୍ର ପତନ ହେବାକୁ ଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଅମୀତ ଶାହଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ତୃଣମୂଳ କଂଗ୍ରେସ ପକ୍ଷରୁ ହିଂସା ଓ ପ୍ରଶାସନିକ ଶକ୍ତିର ଅପବ୍ୟବହାର କରାଯାଇଛି ବୋଲି ଶ୍ରୀ ଶାହ ଅଭିଯୋଗ କରିଛନ୍ତି।
ଶ୍ରୀ ଶାହା କହିଛନ୍ତି ଯେ ସାଧାରଣ ସଭା ପୂର୍ବରୁ ଆୟୋଜିତ ର୍ୟାଲିକୁ ବନ୍ଦ କରିବା ଓ କାର୍ଯ୍ୟକ୍ରମର ପ୍ରସାରଣକୁ ବନ୍ଦ କରିବାକୁ ପଶ୍ଚିମବଙ୍ଗର ସମସ୍ତ ଟିଭି ଚ୍ୟାନେଲକୁ ଡାଉନ କରି ଦିଆଯାଇଛି। ସାଧାରଣ ସଭାର ଦୃଶ୍ୟ ପଶ୍ଚିମବଙ୍ଗବାସୀ ଟିଭିରେ ନଦେଖିବା ପାଇଁ ତୃଣମୂଳ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ବିଜେପିର ସଂସ୍ଥାପକ ଶ୍ୟାମାପ୍ରସାଦ ମୁଖାର୍ଜୀ ପଶ୍ଚିମବଙ୍ଗ ନିବାସୀ ହୋଇଥିବାବେଳେ ବିଜେପିକୁ ପଶ୍ଚିମବଙ୍ଗ ବିରୋଧୀ ବୋଲି ମମତା ସମ୍ବୋଧନ କରିବା ତାଙ୍କର ହତାସାପୂର୍ଣ୍ଣ ମନୋଭାବର ପରିପ୍ରକାଶ।
ସାଧାରଣ ସଭାରେ ଶ୍ରୀ ଶାହ ଏନଆରସି ପ୍ରସଙ୍ଗରେ ମଧ୍ୟ ମତବ୍ୟକ୍ତ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏନଆରସିକୁ ବିରୋଧ କରୁଥିବାବେଳେ ଆସାମରେ ଆଇନ ଅନୁଯାୟୀ ଏନଆରସିକୁ ନିଶ୍ଚିତ ଲାଗୁ କରାଯିବ। ପ୍ରାକ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଏନଆରସିକୁ ସମର୍ଥନ କରୁଥିଲେ। ଆସାମ ପରି ରାଜ୍ୟରେ ବାଂଲାଦେଶୀ ନାଗରିକ ବେଆଇନ ଭାବେ ପ୍ରବେଶ କରିବା ଦ୍ୱାରା ରାଜ୍ୟର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ପଶ୍ଚିମବଙ୍ଗରେ ମଧ୍ୟ ବାଂଲାଦେଶୀଙ୍କୁ ପ୍ରଥମେ କମ୍ପୁନିଷ୍ଟ ପାର୍ଟିର ସମର୍ଥନ ଥିଲା। ସେତେବେଳେ ମମତା ରାଜ୍ୟରେ ବାଂଲାଦେଶୀଙ୍କୁ ନେଇ ଉଦବେଗ ପ୍ରକାଶ କରୁଥିଲେ। ଏବେ ବାଂଲାଦେଶୀଙ୍କ ଭୋଟ ମମତାଙ୍କୁ ମିଳୁଛି। ତେଣୁ ତାଙ୍କ ସମର୍ଥନରେ ଦେଶର ଆଇନ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଉଛି ତୃଣମୂଳ କଂଗ୍ରେସ ବୋଲି ଶ୍ରୀ ଶାହ କ୍ଷୋଭ ପ୍ରକାଶ କରିଥିଲେ। ଶ୍ରୀ ଶାହା ଆହୁରି କହିଛନ୍ତି ଯେ ଏଭଳି ବେଆଇନ ଅନୁପ୍ରବେଶକାରୀ ହିଁ ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ କରୁଛନ୍ତି। ମମତାଙ୍କ ଶାସନ କାଳରେ ରାଜ୍ୟର ଆଇନ ଶୃଙ୍ଖଳା ନଷ୍ଟ ହୋଇ ପଡ଼ିଛି। ରାଜ୍ୟର ଗଣତନ୍ତ୍ର ମଧ୍ୟ ବିପଦରେ। ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କୁ ନିର୍ବାଚନରେ ଛିଡ଼ା ହେବାକୁ ଦିଆଗଲା ନାହିଁ। ପରିସ୍ଥିତି ଏପରି ଯେ, ନିଦ୍ୱର୍ନ୍ଦ୍ୱରେ ପ୍ରାର୍ଥୀ ନିର୍ବାଚିତ ହେବା ରେକର୍ଡ଼ କରିଛି ପଶ୍ଚିମବଙ୍ଗ। ଏହାର ପ୍ରଭାବରେ ରାଜ୍ୟରେ ବିକାଶ ବାଧାପ୍ରାପ୍ତ ହୋଇଛି। ବିଜେପି ସରକାରକୁ ଆସିଲେ ରାଜ୍ୟରେ ୨୦୦୬ଆଇନ ଅନୁଯାୟୀ ଏନଆରସି ଗଠିତ ହେବ ବୋଲି ଶ୍ରୀ ଶାହ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ   ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସକୁ ତୃଣମୂଳସ୍ତରରୁ ବିଲୋପ କରାଯିବ ବୋଲି ଶ୍ରୀ ଶାହ ଦୃଢୋକ୍ତି ପ୍ରକାଶ କରିଥଆଲେ।

Leave A Reply