ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଛି:ପ୍ରଦୀପ ପୁରୋହିତ

ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ପ୍ରସଙ୍ଗ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର କ୍ୱିଂଟାଲ ଧାନ ପଡି ରହି ନଷ୍ଟ ହେଉଛି। ଶାସକ ଦଳ ଓ ଅସାଧୁ ମିଲରଙ୍କ ମଧୁ ଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ ରହୁଛି ଏବଂଅଭାବ ବିକ୍ରିର ସମ୍ମୁଖୀନ ହେଉଛି। ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସପିରୁ କମ୍ ଦରରେ ଚାଷୀ ନିଜ ଧାନ ବିକ୍ରି କରୁଛି। ମୋଦି ସରକାର ଧାନର ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୯୪୦ ଟଙ୍କା ଥିବାବେଳେ ଚାଷୀମାନେ ମଧ୍ୟସ୍ଥିଙ୍କ ଉପସ୍ଥିତି କାରଣରୁ ୧ ହଜାରରୁ ୧୨୦୦ ଟଙ୍କାରେ ନିଜ କଷ୍ଟ ଉର୍ପାଜିତ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କଟନୀ ଛଟନୀ କରି ମିଲରମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। ମିଲର ଜରିଆରେ ବିଜେଡି ନିଜ ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି। ରାଜ୍ୟ ସରକାରଙ୍କ ସବୁଠୁ ଅଧିକା ଚାଷୀଙ୍କୁ ଗୁରୁତ୍ୱ ଦେଉଥିବା କହି କୁମ୍ବୀର କାନ୍ଦଣା କାନ୍ଦି ଓଡିଆ ଚାଷୀଙ୍କୁ ପରିହାସ କରୁଛନ୍ତି।ଚାଷୀଙ୍କ ଠାରୁ ଧାନ କିଣା ନଗଲେ ଜୁନ୍ ୨୫ରେ ଓଡିଶା ରାଜ୍ୟ ଯୋଗଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଚେତାବନୀ ଦେଇଛନ୍ତିି।
ରାଜ୍ୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏହି ପ୍ରସଙ୍ଗରେ ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖରେ ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସହ ବିଜେପିର ସାଂସଦମାନେ ଆଲୋଚନା କରିଥିଲେ। ଏହା ପରେ ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଧାନ କିଣା ଅବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା। କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।

 

ଓଡିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଚଳିତ ବର୍ଷ ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସରଜମିନ ଦତଦନ୍ତ କରିବା ପାଇଁ ଖାଉଟି ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ, ଫୁଡ ଏବଂ ପବ୍ଲିକ ଡିଷ୍ଟ୍ରିବୁସନ ବିଭାଗର ଅଧିକାରୀ ଏବଂ ଅଫସିଆଇର ବରିଷ୍ଠ ଅଧିକାରୀମାନେ ବରଗଡ ଜିଲ୍ଲା ସୋହେଲା ମାର୍କେଟ ୟାର୍ଡ ସ୍ଥିତ ଆରଏମସି ପଦ୍ମପୁର, ବଲାଙ୍ଗୀର ଜିଲାର ଆରଏମସି ସାଲେଭଟା, ସୋନପୁର ଜିଲ୍ଲାର ଆରଏମସି ଡୁଙ୍ଗୁରିପାଲି ଏବଂ ନୟାଗଡ ଜିଲାର ରଣପୁର ବ୍ଲକ ସ୍ଥିତ ଆରଏମସି କେରାଣ୍ଡ ଟାଙ୍ଗି ପରିଦର୍ଶନ କରିବା ସହ ଆରଏମସି, ପିଏସଇଏସ, ରାଜ୍ୟ ସଭିଲ ସପ୍ଲାଏ କର୍ପୋରେସନର ଅଧିକାରୀ ତଥା ଅନୁସନ୍ଧାନକାରୀ ଟିମଙ୍କ ସହ ଆଲୋଚନା କରିଥିଲେ।
ଓଡିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ବିରୁଦ୍ଧରେ କେନ୍ଦ୍ରୀୟ ପ୍ରତିନିଧୀ ଦଳ ୫୬ ପୃଷ୍ଠାର ରିପୋର୍ଟରେ ଦର୍ଶାଯାଇଛି ଯେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟସୀମାକୁ ସମସ୍ତ ଆରଏମସି ଗୁଡିକରେ କମାଇ ଦିଆଯାଇଛି। ଯାହାଫଳରେ ଟୋକନ ନଷ୍ଟ ହେବା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଛନ୍ତି। ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ୧୫୧ ଦିନର ସମୟ ଅବଧିକୁ ଅଣଦେଖା କରାଯାଇଛି। ଆରଏମସି ପଦ୍ମପୁରରେ ୭୫ ଦିନ, ଆରଆମସି ସାଲେଭଟାରେ ୪୦ ଦିନ, ଆରଏମସି ଡୁଙ୍ଗୁରପାଲିରେ ୪୩ ଦିନ ଏବଂ ଆରଏମସି କେରଣ୍ଡା ଟାଙ୍ଗୀରେ ୯୨ ଦିନରେ ଧାନ ସଂଗ୍ରହ କରାଯାଇଛି। ପିଏମସି କିମ୍ବା ପିପିସି ସଚିବଙ୍କ ଦ୍ୱାରା ୩୦ ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି। ନିର୍ଦ୍ଧାରିତ କ୍ରୟ ସମୟ ମଧ୍ୟରେ ଯେଉଁ ଚାଷୀମାନେ ଟୋକନ ବ୍ୟବସ୍ଥା ମଧ୍ୟରେ ନିଜ ଧାନ ବିକ୍ରି କରି ଅର୍ଥ ଉପାର୍ଜନ କରିପାରିଥାନ୍ତେ , ସେମାନଙ୍କୁ ମଣ୍ଡି ମାଫିଆମାନେ ଅର୍ଥ ଉପାର୍ଜନ କରିବା ପାଇଁ ଦେଉନାହାଁନ୍ତି। ବରଗଡ ଜିଲା ଆରଏମସି ପଦ୍ମପୁରରେ ୨୫୧ ଟୋକନ ନଷ୍ଟ ହୋଇଛି ଯେଉଁଥିରେ ୬୨୫ ପ୍ୟାକେଟ ଧାନ କିଣାଯାଇ ପାରିଥାନ୍ତା। ବଲାଙ୍ଗୀର ଜିଲ୍ଲା ଆରଏମସି ସାଲେଭଟାରେ ୧୪୧୧.୪୯ କ୍ୱିଂଟାଲ ଧାନ ସମାନ ୧୩ଟି ଟୋକନ, ସେନପୁର ଜିଲ୍ଲା ଆରଏମସି ଡୁଙ୍ଗୁରି ପାଲିରେ ୧୯୬୪.୬୬ କ୍ୱିଣ୍ଟାଲ ଧାନ ସମାନ ୧୬ଟି ଟୋକନ, ଆରଏମସି କେରଣ୍ଡାଟାଙ୍ଗିରେ ୧୯୬୪.୬୬ କ୍ୱିଣ୍ଟାଲ ଧାନ ସମାନ ୧୬ଟି ଟୋକନ ନଷ୍ଟ ହେବା ସହ ହଜାର ହଜାର କ୍ୱିଂଟାଲ ଧାନ ବିକ୍ରି ହୋଇ ପାରିନାହିଁ। ଶାସନରେ ଅବ୍ୟବସ୍ଥା ଯୋଗୁଁ ମଣ୍ଡି ପରିଚାଳାରେ ସ୍ୱଚ୍ଛତା, ଉତରଦାୟୀତ୍ୱ ଏବଂ ଅନୁପାଳନରେ ତ୍ରୁଟି ପରିଲିକ୍ଷିତ ହୋଇଛି।

ରାଜ୍ୟ ସରକାର ସଂପୂର୍ଣ୍ଣ ଡିଜିଟାଲାଇଜେସନ କଥା କହି ବାହା ବାହା ନେଉଛନ୍ତି କିନ୍ତୁ ତାହା ଫଳପ୍ରଦ ହେଉନାହିଁ।ଧାନର ଗୁଣାତ୍ମକ ମାନ ଯାଂଚ କରିବା ପାଇଁ ଜାଣିଶୁଣି ମାନୁଆଲି କରାଯାଇଛି। ସ୍ୱଚ୍ଛତା ଓ ଉତରଦାୟୀତ୍ୱ ନଥିବାକରଣରୁ ଚାଷୀମାନେ ମଣ୍ଡି ମାଫିଆଙ୍କ ଦ୍ୱାରା ଲୁଟର ଶିକାର ହେଉଛନ୍ତି। ଧାନର ପରିବହନ ପାଇଁ ରାଜ୍ୟ ସରକାର ମିଲରଙ୍କୁ ଦାୟୀତ୍ୱ ଦେଇଛନ୍ତି ଯାହା ନିୟମ ବିରୋଧୀ। ଧାନର ସମଗ୍ର କ୍ରୟ ପ୍ରକ୍ରିୟା ମିଲରମାନଙ୍କ ଇଛା ଅନୁଯାୟୀ ପରିଚାଳିତ ହେଉଛି। ଧାନ ବସ୍ତା, ଧାନର ପରିବହନ, ଲୋଡିଂ ଏବଂ ମଣ୍ଡିରେ କାମ କରୁଥିବା ଶ୍ରମିକଙ୍କୁ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ମିଲରଙ୍କୁ ଦାୟୀତ୍ୱ ଦେଇଛନ୍ତି। ଏହା ଭାରତ ସରକାରଙ୍କ ଦ୍ୱାରା ଇ-ଟେଣ୍ଡର ମାଧ୍ୟମରେ ଧାନର ପରିବହନ ମୂଲ୍ୟ ଏବଂ ପରିବହନ ଦର ନିର୍ଦ୍ଧାରଣ ପାଇଁ ଓସଓଆର ୨୦୧୯ ନିୟମର ଉଲ୍ଲଙ୍ଘନ କରୁଛି। ମିଲରମାନଙ୍କ ଦ୍ୱାରା ଟ୍ରାନଜିଟ୍ ପାସ୍ ବା ସ୍ୱୀକୃତି ପତ୍ର ଦେଲା ପରେ ହିଁ ଚାଷୀ ମାନଙ୍କୁ ପଇସା ଦିଆଯିବାର ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିରୁ ଜଣାପଡୁଛି କି, ମିଲର ଓ ସରକାରଙ୍କ ମଧ୍ୟମରେ ଅସାଧୁ ମେଣ୍ଟ ରହିଛି। ମଣ୍ଡିରେ ଶ୍ରମିକ ପାରିଶ୍ରମିକ ମୂଲ୍ୟ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଚୂଡାନ୍ତ ହେବା ଉଚିତ୍। କିନ୍ତୁ ରାଜ୍ୟ ସରକାର ଏହାକୁ ପାଳନ କରୁନାହଁନ୍ତି। ଧାନ ବସ୍ତା ରଖିବା ପାଇଁ ଗୋଦାମ ଘର ନାହିଁ ଫଳରେ ଗଚ୍ଛିତ ଧାନ ନଷ୍ଟ ହେଉଛି। ଟୋକନ ବ୍ୟବସ୍ଥାରେ ଧାନ ସଂଗ୍ରହ ବ୍ୟବସ୍ତା ଅଧିକ ଓ ନିରପକ୍ଷପାତିତା କରାଯାଉ। ରାଜ୍ୟ ସରକାର ଇ-ପ୍ରକ୍ରିୟା ମାଧ୍ୟମରେ ସ୍ୱତନ୍ତ୍ର ମଣ୍ଡି ଲେବର କଂଟ୍ରାକ୍ଟର ଏବଂ ମଣ୍ଡି ଟ୍ରାନ୍ସପୋର୍ଟ କଂଟ୍ରାକ୍ଟର ନିୟୋଜିତ କରନ୍ତୁ। ରାଜ୍ୟ ସରକାର ଧାନର ସ୍ଥିତି ମିଲୱାରୀ ଏବଂ ଷ୍ଟୋରେଜ ପଏଣ୍ଟ ୱାରୀକୁ ଲୋକଲୋଚନକୁ ଆଣି ଅଡିଟ୍ କରନ୍ତୁ ବୋଲି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଦାବି କରିଛନ୍ତି।
ରାଜଧାନୀରେ ସରକାରୀ ବାବୁ ମାନେ ଏସି ଚାମ୍ବରରେ ବସି ଟୋକନ ନିର୍ଦ୍ଧାରଣ କରୁଛନ୍ତି। ଫଳରେ ଚାଷୀ ଯେତିକି ଜମିରେ ଧାନ ଉତ୍ପାଦନ କରୁଛି ତା ଠାରୁ ଢେର କମ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ମିଲରଙ୍କୁ ସିଧାସଳଖ ଧାନ ବିକିବାକୁ ପୋତ୍ସାହିତ କରାଯାଉଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାୟକ ଅଭିଯୋଗ କରିଛନ୍ତି।

କେନ୍ଦ୍ର ସରକାର ଧାନ କିଣିବାକୁ ବ୍ୟାପକ ଅର୍ଥ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ଟୋକନ ଅବଧି କମାଇଦେବାରୁ ଚାଷୀ ତା’ର ଧାନକୁ ବିକ୍ରି କରିପାରୁନାହିଁ। ଚାଷୀଙ୍କ ପାଖରେ ଟୋକନ ରହୁଛି କିନ୍ତୁ ଟାର୍ଗେଟ ନଥିବା କାରଣକୁ ଟୋକନ ଲ୍ୟାପ୍ସ ହେଉଛି। ଏଥିରେ ଚାଷୀ ଭାଇର ଭୁଲ କେଉଁଠି? ସହରାଞ୍ଚଳରେ ମିଲରମାନେ ଚାଷୀଙ୍କ ପାଖକୁ ଯାଉଛନ୍ତି କିନ୍ତୁ ଗ୍ରାମାଞ୍ଚଳରେ ମିଲମାନଙ୍କ ପାଖକୁ ଚାଷୀମାନେ ଯାଉଛନ୍ତି। ଗାଁ ଚାଷୀମାନଙ୍କ ଧାନ ଖୋଲା ଆକାଶ ତଳେ ରହିବା ପରେ ବି ମିଲରମାନେ ସେମାନଙ୍କ ଧାନ ସଂଗ୍ରହ କରୁନାହାଁନ୍ତି ବୋଲି ବିଜେପି ବିଧାୟକ ନାଉରୀ ନାଏକ ଅଭିଯୋଗ କରିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଏବଂ କୃଷକ ମୋର୍ଚ୍ଚା ସଂପାଦକ କାମାକ୍ଷା ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.