ମୋଦି ସରକାରଙ୍କ ୭ ବର୍ଷ ପୂର୍ତି ଅବସରରେ ଆଜିର ଦିନକୁ ‘ସେବା ପାଇଁ ସମର୍ପିତ ଦିବସ’ ପାଳନ

ଭୂବନେଶ୍ୱର:ଆଜିକୁ ୭ ବର୍ଷ ତଳେ ୨୦୧୪ ମସିହା ଆଜିର ଦିନରେ ଦେଶର ପ୍ରଧାନ ସେବକ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ଯଶସ୍ୱୀ ନରେନ୍ଦ୍ର ମୋଦି। ସେବା ହିଁ ସଂଗଠନକୁ ମୁଳମନ୍ତ୍ର କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଦିନରୁ ସେବା କାର୍ଯ୍ୟରେ ଲାଗିପଡିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଅକ୍ଳାନ୍ତ ପରିଶ୍ରମ, ଦୃଢ ନିଷ୍ପତ୍ତି ଏବଂ ଦୃଢ ସଂକଳ୍ପ କାରଣରୁ ଭାରତ ଆଜି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ଦେଶ ବିଦେଶରେ ବାସ କରୁଥିବା ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ଆଣି ଦେଇଛନ୍ତି। ଏହି ୭ ବର୍ଷର ଶାସନ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶରେ ବିଭିନ୍ନ ଜନ ଓ ଗରୀବକଲ୍ୟାଣକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରି ଦେଶବାସୀଙ୍କ ଆସ୍ଥାଭାଜନ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ୨ୟ ପାଳିର ୨ ବର୍ଷ ପୂର୍ତ୍ତି ତଥା ୭ ବର୍ଷ ପୂର୍ତି ଅବସରରେ ଆଜିର ଦିନକୁ ଭାରତୀୟ ଜନତା ପାର୍ଟୀ ଦେଶବ୍ୟାପୀ ସେବା ଦିବସ ଭାବେ ପାଳନ କରୁଛି। କରୋନା ସଂକ୍ରମଣଜନିତ ଲକଡାଉନ ଓ ସଟଡାଉନ କାରଣରୁ ସେବା ଦିବସକୁ ଆଜି ଓ ଆସନ୍ତା କାଲି ୨ ଦିନ ଧରି ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର ସମସ୍ତ ସାଂଗଠନିକ ଜିଲାରେ ବିଜେପି କାର୍ଯ୍ୟକର୍ତାମାନେ ସେବା କାର୍ଯ୍ୟ ଓ ରକ୍ତଦାନ କରିଛନ୍ତି। ଏହି ଅବସରରେ ବିଜେପି କାର୍ଯ୍ୟକର୍ତାମାନେ କୋଭିଡ ଗାଇଡଲାଇନକୁ ସଂପୂର୍ଣ୍ଣ ରୂପେ ପାଳନ କରି ରାଜ୍ୟର ସମସ୍ତ ପଂଚାୟତ ଏବଂ ସହରାଂଚଳର ସମସ୍ତ ୱାର୍ଡରେ ସେବା ଦିବସ ପାଳନ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ବିଜେପି କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ମାସ୍କ, ସାନିଟାଇଜର, ଗ୍ଲୋବ୍ସ, ଅକ୍ସିମିଟର, ଥର୍ମାଲ ଗନ୍, ପିପିଇ କିଟ୍, କାଢା ପାନୀୟ, ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି। ଲକଡାଉନ ଓ ସଟଡାଉନ କାରଣରୁ ଖାଦ୍ୟାଭାବର ଶିକାର ହେଉଥିବା ବୁଲା ପଶୁଙ୍କୁ ପାର୍ଟି କାର୍ଯ୍ୟକର୍ତ୍ତା ମାନେ ଖାଦ୍ୟ ବଣ୍ଟନ କରିଥିଲେ। ଏଥି ସହ ବିଜେପି କାର୍ଯ୍ୟକର୍ତାମାନେ ନିଜ ନିଜ ଅଞ୍ଚଳରେ କୋଭିଡ୍ ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରାଇବା ସହ ଥର୍ମାଲ ଗନ୍ ଓ ଅକ୍ସିମିଟର ଜରିଆରେ ସ୍ଥାନୀୟବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ।
ସେହିପରି ରାଜ୍ୟର ପ୍ରତ୍ୟେକ ସାଂଗଠନିକ ଜିଲାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ରକ୍ତ ସଂଗ୍ରହ କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ବ୍ଲଡ୍ ବ୍ୟାଙ୍କ ସହାୟତାରେ ପାର୍ଟୀର ସମସ୍ତ ମୋର୍ଚାର ସହାୟତାରେ ପାର୍ଟୀ କାର୍ଯ୍ୟକର୍ତାମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଆଜି ନୟାଗଡ, ବଲାଙ୍ଗୀର, ରାଉରକେଲା, ସୁନ୍ଦରଗଡ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ଗଂଜାମ, ନବରଙ୍ଗପୁର, ଆଦି ଜିଲ୍ଲାରେ ପାର୍ଟୀ କାର୍ଯ୍ୟକର୍ତାଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଛି।
ଆଜି ରାଜ୍ୟ ସଭାପତି ସମୀର ମହାନ୍ତି ପୁରୁଣା ଭୂବନେଶ୍ୱରସ୍ଥିତ ସୁନ୍ଦରପଦାଠାରେ ସ୍ଥାନୀୟ ବାସିନ୍ଦାଙ୍କୁ ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ବଂଟନ କରି କୋଭିଡ୍ ସଂକ୍ରମଣ ବିଷୟରେ ସଚେତନା କରିଥିଲେ। କରୋନା ସଂକଟ ସମୟରେ ଭାରତୀୟ ଜନତା ପାର୍ଟୀ ନିଜ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି କାର୍ଯ୍ୟକର୍ତାଙ୍କ ଜରିଆରେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟସ, ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ଭଦ୍ରକ ଜିଲା ଦୋସିଙ୍ଗା, ଜାଗୁଳା, ଧାମରା ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ପ୍ରଭାବିତଙ୍କୁ ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ ପ୍ରମୁଖ ସାମିଲ ହୋଇଥିଲେ।
ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ୟସ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ସହ ପାର୍ଟୀ କାର୍ଯ୍ୟକର୍ତାଙ୍କ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇ ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।
ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡରେ, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ସାଂସଦ ବସନ୍ତ ପଣ୍ଡା, ସୁରେଶ ପୁଜାରୀ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମହୋନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ନବଚରଣ ମାଝୀ, ପ୍ରକାଶ ସୋରେନ, ସନାତନ ବିଜୁଳି, ଭବାନୀ ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ଡ.ବୁଧନ ମୁର୍ମୁଙ୍କ ସମେତ ପାର୍ଟୀର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ମାନେ ନିଜ ନିଜ ଅଂଚଳରେ ସେବା କାର୍ଯ୍ୟ ଓ ରକ୍ତଦାନ ଶିବିରରେ ସାମିଲ ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ପାର୍ଟୀର ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଂଚଳରେ ରହି କୋଭିଡ୍ ଗାଇଲାଇନକୁ ପାଳନ କରି ସ୍ଥାନୀୟବାସିନ୍ଦାଙ୍କ ଗହଣରେ ଶୁଣିଥିଲେ।
ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ୨ ଦିନିଆ ସେବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି। ଏହି ସେବା କାର୍ଯ୍ୟକ୍ରମ ଆସନ୍ତା କାଲି ମଧ୍ୟ ଜାରି ରହିବ।

Comments are closed.