ବଙ୍ଗ ରାଜନୀତି ସରଗରମ; ବିଜେପି ସାଂସଦଙ୍କ ପତ୍ନୀ ସୁଜାତା ମଣ୍ଡଳ ତୃଣମୂଳ କଂଗ୍ରେସରେ ସାମିଲ; ସ୍ବାମୀ ସୌମିତ୍ର ଦେଲେ ତଲାକ ଧମକ

କଲକତା: ପଶ୍ଚିମବଙ୍ଗ ରାଜନୀତି ଏବେ ପୁରା ଗରମ । ଗତ ସପ୍ତାହରେ ଅଧ ଡ଼ଜନେ ବିଧାୟକ, ସାଂସଦ ଓ ମନ୍ତ୍ରୀ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଏହି ସ୍ଥିତିରେ ତୃଣମୂଳର ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋର ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ଛୁଇଁ ପାରିବ ନାହିଁ ବୋଲି ଯେଉଁ ଶବ୍ଦ ବୋମା ଫିଙ୍ଗିଛନ୍ତି ତାହା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ଏହାରି ମଧ୍ୟରେ ବିଜେପିକୁ ଲାଗିଛି ଏକ ବଡ଼ ଧକ୍କା । ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସ​‌ରେ ଯୋଗ ଦେଇଛନ୍ତି ।

ଦଳରେ ତାଙ୍କୁ ଗୁରୁତ୍ବ ନ ମିଳିବା କାରଣରୁ ସେ ବିଜେପି ଛାଡ଼ିଥିବା ସୁଜାତା କହିଛନ୍ତି । ସେ କହିଛନ୍ତି ଯେ ମୁଁ ବିଜେପି ଏବଂ ମୋ ସ୍ୱାମୀ ପାଇଁ ଲଢେ଼ଇ କରିଥିଲି । ଆମେ ଟିକେଟ୍ ପାଇ ଲୋକସଭା ନିର୍ବାଚନ ଜିତିଲୁ । କିନ୍ତୁ ଏବେ ମୁଁ ଭାବୁଛି ବର୍ତ୍ତମାନ କେବଳ ସୁବିଧାବାଦୀମାନଙ୍କୁ ବିଜେପିରେ ସ୍ଥାନ ମିଳୁଛି । ଆମେ ଦଳ ପାଇଁ ସେତେବେଳେ ଛିଡା ହୋଇଥିଲୁ ଯେତେବେଳେ ଆମେ ଜାଣି ନଥିଲୁ ଯେ ବିଜେପି ୧୮ଟି ଆସନ ଜିତିବ । ଆମେ ଜନସାଧାରଣଙ୍କ ସହଯୋଗରେ ନିର୍ବାଚନ ଲଢ଼ି ବିଜୟ ହାସଲ କଲୁ । ସବୁ ପରେ ମଧ୍ୟ ବିଜେପିରେ ମୋତେ ସମ୍ମାନ ମିଳୁନଥିଲା । ତେଣୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ବୋଲି ସୁଜାତା କହିଛନ୍ତି ।

ଅନ୍ୟପକ୍ଷରେ ସୁଜାତା ତୃଣମୂଳ କଂଗ୍ରେସରେ ଯୋଗ ଦେବା ପରେ କ୍ଷୁବ୍ଧ ହୋଇଛନ୍ତି ସ୍ବାମୀ ସୌମିତ୍ର ଖାନ୍ । ସୁଜାତା ତୃଣମୂଳରେ ଯୋଗ ଦେଇ ତାଙ୍କର ସମ୍ମାନ ହାନି କରିଛନ୍ତି । ତେଣୁ ତାଙ୍କୁ ସେ ତଲାକ ଦେବେ ବୋଲି ସୌମିତ୍ର କହିଛନ୍ତି ।

Comments are closed.