ବିଜେପି ସାଂସଦ ଭି.କେ.ସିଂହଙ୍କ ପୂର୍ବତନ ରାଜନୈତିକ ପରାମର୍ଶଦାତା ଗିରଫ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ଭି.କେ. ସିଂହଙ୍କ ପୂର୍ବତନ ରାଜନୈତିକ ପରାମର୍ଶଦାତା ଶମ୍ଭୁ ପ୍ରସାଦକୁ ପୁଲିସ ଗିରଫ କରିଛି। ଗଜିଆବାଦର ସୀହାଣୀ ଗେଟ ପୁଲିସ ଠକେଇ ଅଭିଯୋଗରେ ଶମ୍ଭୁଙ୍କୁ ଗିରଫ କରିଥିବା ଜଣାପଡିଛି। ଠକେଇ ଶିକାର ହୋଇଥିବା ଅଜୟ ତ୍ୟାଗୀ ତାଙ୍କ ବିରୁଦ୍ଧରେ ଆଇପିସି ଅନ୍ତର୍ଗତ ଧାରା ୪୨୦ରେ ମାମଲା ଦାୟର କରିଥିଲେ।

ତ୍ୟାଗୀଙ୍କ ପୂର୍ବରୁ ଶମ୍ଭୁଙ୍କ ବିରୁଦ୍ଧରେ ମଧ୍ୟ ଅନ୍ୟ ତିନୋଟି ଠକେଇ ଅଭିଯୋଗ ଦାୟର ହୋଇଛି। ସେହି ତିନୋଟି ମାମଲା କବି ନଗର ପୁଲିସ ଷ୍ଟେସନରେ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି। ସେଥି ମଧ୍ୟରୁ ଗୋଟିଏ ଅଭିଯୋଗ ବିଦେଶ ମନ୍ତ୍ରାଳୟ ଦାୟର କରିଥିବା ବେଳେ ଶମ୍ଭୁ ପ୍ରସାଦ ତିନୋଟି ଯାକ ମାମଲାରେ କୋର୍ଟରୁ ରହିତାଦେଶ ପାଇଛନ୍ତି। ଅର୍ଥ ହାସଲ ପାଇଁ ସାଂସଦଙ୍କ ଲେଟର ପ୍ୟାଡ଼ ଦୁରୁପଯୋଗ କରିଥିବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି।

ଶନିବାର ତାଙ୍କୁ ପୁଲିସ କୋର୍ଟରେ ହାଜର କରେଇଥିବା ବେଳେ ସିବିଆଇ ମଧ୍ୟ ଶମ୍ଭୁଙ୍କ ବିରୁଦ୍ଧରେ ଏକ ମାମଲା ପଞ୍ଜିକୃତ କରିଛି। ତେବେ ଏହା ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

Comments are closed.