ଗାନ୍ଧୀମୂର୍ତ୍ତି ତଳେ ଅହୋରାତ୍ର ଧାରଣା

ଭୁବନେଶ୍ବର : ବିଧାନସଭାରେ ବିଲ୍ ପାରିତ ହେବା ବେଳେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ସୁଯୋଗ ଦିଆ ନ ଯିବା ପ୍ରସଙ୍ଗ ଭିନ୍ନ ମୋଡ ନେଇଛି। ଏଥିରେ ବାଚସ୍ପତିଙ୍କୁ ଦାୟୀ କରି ବିଜେପି ସଭ୍ୟମାନେ ତାଙ୍କ ଉପରକୁ ପ୍ରଥମେ ଚପଲ ଫିଙ୍ଗି ପ୍ରତିବାଦ କରିଥିବାବେଳେ ସରକାରଙ୍କ ପକ୍ଷରୁ ସଂପୃକ୍ତ ସଭ୍ୟମାନଙ୍କୁ ନିଲମ୍ବନ କରାଯାଇଛି। ବିଧାନସଭାର ଶେଷ
ମୁହୁର୍ତ୍ତରେ ଅନୁପସ୍ଥିତ ରହିବା ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଅହୋରାତ୍ର ଧାରଣା ଦେଇଛି।
ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଜେପି ସଭ୍ୟମାନଙ୍କୁ ଧାରଣା ଉଠିବା ପାଇଁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ହେଲେ ବିଜେପି ସଭ୍ୟ ନିଜ ଜିଦ୍‌ରେ ଅଡି ବସିଛନ୍ତି। ଆସନ୍ତାକାଲି ଏହି ଘଟଣା ରାଜ୍ୟବାସୀଙ୍କୁ ଜଣାଇବା ପାଇଁ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟପାଳଙ୍କୁ ଅବଗତ କରାଇବେ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ସେ କହିଛନ୍ତି ଯେ, ଆମ କଥା ବାଚସ୍ପତି ଶୁଣିଲେ ନାହିଁ। ଗୃହ କିଭଳି ଚାଲିବ ତାହା ବାଚସ୍ପତିଙ୍କ ଉପରେ ନିର୍ଭର। ସେ ଯେତେବେଳେ ସରକାରଙ୍କ ସପକ୍ଷ କରିବାକୁ ଯାଇ ବିରୋଧୀଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି, ସେତେବେଳେ ଆ‌େ‌ମ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ବ୍ୟତୀତ ଅନ୍ୟ ଉପାୟ ନାହିଁ।
ସେହିପରି ବିଜେପି ସଭ୍ୟ ଜୟନାରାୟଣ ମିଶ୍ର କହିଛନ୍ତି ଯେ ବାଚସ୍ପତିଙ୍କ କାର୍ଯ୍ୟ ଆମକୁ ଅତ୍ୟନ୍ତ ମର୍ମାହତ କରିଛି। ଗୃହରେ ସରକାରଙ୍କୁ ସପକ୍ଷ କରିବେ ବୋଲି ସୀମା ଟପି ଯାଇଛନ୍ତି। ତେଣୁ ଏହାକୁ ନେଇ ଆମେ ଯାହା କରିଛୁ ଠିକ୍ କରିଛୁ, ଏଥିପାଇଁ ନିଲମ୍ବନକୁ ସ୍ବାଗତ କରୁଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

Comments are closed.