ବିଧାୟକ ପାଣ୍ଠି ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଭୂବନେଶ୍ୱର : ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ୍ ଫଣ୍ଡ)ରୁ କେବଳ ମାସ୍କ ପାଇଁ ନୁହେଁ ବରଂ ରାଜ୍ୟର ସମସ୍ତ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ଏବଂ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ରୋଗୀଙ୍କ ପାଇଁ ସଙ୍ଗରୋଧ କକ୍ଷ (ଆଇସୋଲେସନ ରୁମ୍); ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ କେୟାର ରୁମ୍; ଅକ୍ସିଜେନ ଓ ଭେଂଟିଲେଟର ସଂଯୁକ୍ତ ଶଯ୍ୟା; ଅକ୍ସିଜେନ ଓ ଭେଂଟିଲେଟର ସଂଯୁକ୍ତ ଅତ୍ୟାଧୁନିକ ଆମ୍ବୁଲାନ୍ସ; କୋଭିଡ୍ ପରୀକ୍ଷା ଓ ଚିକିତ୍ସା ପାଇଁ ଆବଶ୍ୟକୀୟ ମେଡିକାଲ ଯନ୍ତ୍ରପାତି ଓ କିଟ୍; ଉପଖଣ୍ଡସ୍ତରୀୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ୍ ପ୍ଲାଂଟ୍ର ନିର୍ମାଣ କରିବା ଦାବୀରେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି।
ବିଧାୟକ ପାଣ୍ଠି(ଏମଏଲଏ ଲ୍ୟାଡ୍ ଫଣ୍ଡ)କୁ କୋଭିଡ୍ ପରିଚାଳନା ପାଇଁ ଭିତିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟସରକାର ଆଣିଥିବା ଗାଇଡ୍ଲାଇନ / ସର୍କୁଲାର (ମାର୍ଗଦର୍ଶିକା) ରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଆବଶ୍ୟକୀୟ ସଂଶୋଧନ କରିବାକୁ ବିଜେପି ବିଧାୟକମାନେ ଦାବୀ କରିଛନ୍ତି।
କୋଭିଡ୍ ମହାମାରୀ କବଳରୁ ଓଡିଶାବାସୀଙ୍କୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟମ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ପ୍ରତିଶୃତିବଦ୍ଧ। କୋଭିଡ୍ ମୁକାବିଲା ପାଇଁ ଓଡିଶାବାସିଙ୍କୁ ମାସ୍କ ବଂଟନ ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ପାଂଠରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନୀତିଗତ ନିଷ୍ପତି ନେଇଛନ୍ତି।
କୋଭିଡ୍ ସଂକ୍ରମଣର ୨ୟ ଲହର ପରେ ୩ୟ ଲହରର ସମ୍ଭାବନାକୁ ସରକାର ଆକଳନ କରିଛନ୍ତି, ଯେଉଁଥିରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ରାଜ୍ୟର ସମସ୍ତ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ଏବଂ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଭିତିଭୂମିକୁ ବର୍ତମାନ ସୁଦ୍ଧା ଦୃଢୀଭୁତ କରାଯାଇପାରିନାହିଁ। ଫଳସ୍ୱରୂପ, ୨ୟ ଲହରରେ ଗ୍ରାମାଂଚଳବାସୀ କୋଭିଡ ସଂକ୍ରମଣର ବେଶୀ ଶୀକାର ହୋଇଛନ୍ତି।
କୋଭିଡ୍ ସଂକ୍ରମଣର ୧ମ ଓ ୨ୟ ଲହରରେ ଓଡିଶା ସରକାର ପର୍ଯ୍ୟାପ୍ତ ପରିମାଣର ମାସ୍କ କିଣିଛନ୍ତି। ଏଥି ସହ ବିଭିନ୍ନ ବେସରକାରୀ ସଂସ୍ଥା ଓ ସଂଗଠନ, ଶିଳ୍ପାନୁଷ୍ଠାନ, ପିଏସୟୁ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନମାନେ ନିଜସ୍ୱ ପାଂଠିରୁ ପର୍ଯ୍ୟାପ୍ତ ପରିମାଣର ମାସ୍କ ବଣ୍ଟନ କରିଛନ୍ତି। କୋଭିଡ୍ ମହାମାରୀ ସମୟରେ ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ନିରନ୍ତର ଭାବେ ଯୋଗାଇ ଦେବା ନିମନ୍ତେ ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ୍) ବିନିଯୋଗ ପାଇଁ ଥିବା ଗାଇଡଲାଇନ / ସର୍କୁଲାର (ମାର୍ଗଦର୍ଶିକା) ରେ ଆବଶ୍ୟକୀୟ ସଂଶୋଧନ କରିବାକୁ ଦାବୀ ଜଣାଇଛନ୍ତି। ପୂର୍ବରୁ ଏହି ପାଂଠି ଅର୍ଥରୁ କେବଳ ମାସ୍କ, ଗ୍ଲୋବ୍ସ, ପିପିଇ କିଟ୍ କ୍ରୟ କରିବାର ପ୍ରାବଧାନ ଥିବାବେଳେ ବର୍ତମାନର ସ୍ୱାସ୍ଥ୍ୟସେବା ସ୍ଥିତିକୁ ସମୀକ୍ଷା କଲେ ଏହି ସଂଶୋଧନ ନିହାତି ଆବଶ୍ୟକ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ପାଣିଗ୍ରାହୀ, କୁସୁମ ଟେଟେ, ଶଙ୍କର ଓରାମ, ଭବାନୀ ଭୋଇ, ଡ.ବୁଧନ ମୁର୍ମୁ, ନବ ଚରଣ ମାଝୀ, ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସାମିଲ ଥିଲେ।

Comments are closed.