‘କରୋନା ଚାଲିଗଲାଣି, ମାସ୍କ ଦରକାର ନାହିଁ’- ଏପରି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆସାମ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ପୁଣି ଥରେ ଭୟଙ୍କର ରୂପ ନେଲାଣି। ନୂଆ ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ବେଗରେ ବ୍ୟାପି ଚାଲିଛି। ଏପରି ସ୍ଥିତିରେ ନିର୍ବାଚନ ଚାଲିଥିବା ଆସାମରେ ବିଜେପି ନେତା ତଥା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ହିମନ୍ତ ବିଶ୍ଵ ସର୍‌ମାଙ୍କ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହିମନ୍ତଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି।

ଦ ଲଲନ୍‌ଟପ ନାମକ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଉଥିଲେ। ଏହି ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍‌ମା କହିଥିଲେ, ଚିନ୍ତା କରନ୍ତୁ, ଯେତେବେଳେ କରୋନା ଆସାମ ଛାଡ଼ି ଚାଲିଗଲାଣି, ସେତେବେଳେ ଲୋକ ମାସ୍କ ପିନ୍ଧି ଭୟ ସୃଷ୍ଟି କରିବା ଦରକାର କି ? କେନ୍ଦ୍ର ସରକାର ଗାଇଡ୍‌ଲାଇନ ଜାରି କରିପାରେ। କିନ୍ତୁ ଆସାମରେ ଆଉ କରୋନା ନାହିଁ। ଆସାମକୁ ପୁଣି ଯେତେବେଳେ କରୋନା ଫେରିବ, ସେତେବେଳେ ସେ ଲୋକଙ୍କୁ ମାସ୍କ ପିନ୍ଧିବାକୁ କହିବେ।

ହିମନ୍ତ ସର୍‌ମାଙ୍କ ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଖୋଦ ସ୍ବାସ୍ଥ୍ୟମନ୍ତ୍ରୀ ହୋଇ ଏପରି ମନ୍ତବ୍ୟ ଦେବା ଆଶ୍ଚର୍ଯ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଆସାମରେ ଏବେ ନିର୍ବାଚନ ଚାଳିଛି। ନିର୍ବାଚନୀ ପ୍ରଚାର ସମୟରେ ହିମନ୍ତ ଜଣେ ନେତାଙ୍କ ବିରୋଧରେ ଏନଆଇଏ ତଦନ୍ତ କରାଇ ଜେଲ୍‌ ପଠାଇବାକୁ ମନ୍ତବ୍ୟ ଦେଇଥିଲେ। ଏହା ପରେ ନିର୍ବାଚନ ଆୟୋଗ ହିମନ୍ତଙ୍କ ନିର୍ବାଚନ ପ୍ରଚାର ଉପରେ ନିଷେଧାଦେଶ ଲାଗୁ କରିଥିଲେ।

Comments are closed.