ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି, ସରକାରୀଦଳ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ଶାସକ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ପ୍ରଚାର କରିବା ପାଇଁ କହିଛନ୍ତି। ଦଳ ତରଫରୁ ଏହି ପ୍ରଚାରକୁ ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତରେ ପହଞ୍ଚାଇବା ପାଇଁ ବେନିୟମ ଭାବେ ସରକାରୀ ସ୍କୁଲ ଏବଂ ତାହର ପ୍ରାଙ୍ଗଣକୁ ବ୍ୟବହାର କରାଯିବା ନେଇ ପୋଷ୍ଟର ଲଗାଯାଇଛି। ମୌଜା ପାଟଶାଣିପୁରର ଭାଲିଆବିଲି ପ୍ରାଥମିକ ବିଦ୍ୟାଳୟ ଏବଂ ପିପିଲିରେ ଥିବା ସରକାରୀ କୋଠାକୁ ଭର୍ଚୁଆଲ ରାଲି ପ୍ରସ୍ତୁତ କରାଯାଉଛି। ଏପରିକି ସ୍କୁଲ ଘରକୁ ନିର୍ବାଚନ ପ୍ରଚାର ମଇଦାନ ଭାବେ ସଜ୍ଜିତ କରାଯାଇଛି। ଏହା ଦ୍ୱାରା ସରକାରୀ ଦଳ ନିର୍ବାଚନ ଆଚରଣବିଦ୍ଧି ଉଲ୍ଲଘଂନ କରୁଛି। ଏହା ଉପରେ ରୋକ୍ ଲଗାଇବା ଏବଂ ଆଗାମୀ ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅବଗତ କରାଇଛି।

ନିର୍ବାଚନ ସମୟରେ କୌଣସି ରାଜନୈତିକ ଦଳ ସରକାରୀ କୋଠା ଅବା ବିଦ୍ୟାଳୟକୁ ପ୍ରଚାର ପାଇଁ ବ୍ୟବହାର କରିପାରିବ ନାହିଁ। ଏହା ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ନିର୍ବାଚନ ଆଚରଣ ବିଧି କ୍ରମିକ ନଂ ୧୦ରେ ସୂଚିତ ରହିଛି। ଏଣୁ ଏହାକୁ ଗୁରୁତର ସହ ନେଇ ଭର୍ଚୁଆଲ ପ୍ରଚାର କରିବା ପାଇଁ ବିଜେଡି ବେନିୟମ ଭାବେ ଆଦରିଥିବା ସରକାରୀ କୋଠା ଏବଂ ସ୍କୁଲଗୁଡିକୁ ନିବୃତ ରଖାଯାଇ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରତିନିଧି ଦଳ ଦାବି କରିଛି। ଏହି ପ୍ରତିନିଧୀ ଦଳରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବରିଷ୍ଠ ନେତା ସଜ୍ଜନ କୁମାର ଶର୍ମା, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଏବଂ ଲିଗାଲ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Comments are closed.