ମଣିପୁରରେ ବିଜେପି ସରକାର ଟଳମଳ

ଇମ୍ଫାଲ: ମଣିପୁରରେ ବିଜେପି ସରକାର ଟଳମଳ । ଯେ କୌଣସି ମୁହୂର୍ତ୍ତରେ ବିଜେପି ସରକାର ଏଠାରେ ଭାଙ୍ଗିପାରେ । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀଙ୍କ ଇସ୍ତଫା, ମେଣ୍ଟରେ ସାମିଲ ୬ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଣିପୁର ବୀରେନ୍ଦ୍ର ସିଂହ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି ।  ଅନ୍ୟପକ୍ଷରେ ମଣିପୁରରେ ପୁନର୍ବାର କଂଗ୍ରେସ ସରକାର ଗଠନ ହେବାର ପଥ ପ୍ରଶସ୍ତ ହୋଇଛି ।

୨୦୧୭ ମସିହାରେ ହୋଇଥିବା ମଣିପୁର ବିଧାନସଭା ନିର୍ବାଚନରେ ବିଜେପିକୁ ୨୧ ଆସନ ମିଳିଥିବା ବେଳେ କଂଗ୍ରେସକୁ ୨୮ ଆସନ ମିଳିଥିଲା । ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୩୧ ରହିଥିଲା ।  ଏନପିପି, ଏପିଏଫ ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ମଣିପୁରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା । ମାତ୍ର ୩ ବର୍ଷ ପରେ ମଣିପୁରର ବିଜେପି ସରକାର ଭାଗ୍ୟ ଅସ୍ତ ହୋଇଯିବା ପରି ଲାଗୁଛି । ବିଜେପି ବିଧାୟକ ଏସ୍ ସୁବାଷ ଚନ୍ଦ୍ର ସିଂହ, ଟିଟି ହାକିପ ଓ ସାମୁଏଲ ଜେଣ୍ଡାଇ ଇସ୍ତଫା ଦେଇଛନ୍ତି । ବିଜେପି ଛାଡ଼ିବା ପରେ ଏହି ବିଧାୟକମାନେ  କଂଗ୍ରେସରେ ସାମିଲ ହୋଇଛନ୍ତି । ସେହିପରି ସରକାରଙ୍କୁ ସମର୍ଥନ ଦେଇଥିବା ୪ ଏନପିପି ସହ ମୋଟ ୬ ବିଧାୟକ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଟିଏମସି ଓ ଅନ୍ୟଜଣେ ସ୍ବାଧୀନ ବିଧାୟକ ଅଛନ୍ତି । ଫଳରେ ୩ ବର୍ଷର ବୀରେନ୍ଦ୍ର ସିଂହ ସରକାର ଗାଦିଚ୍ୟୁତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

Comments are closed.