ସାଂସଦ ଅନୁଭବଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ମହିଳାମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର : ପାରିବାରିକ ଘଟଣାକୁ ନେଇ ବିବାଦୀୟ ହୋଇ ପଡ଼ିଥିବା ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚା । ଜଣେ ଲୋକ ପ୍ରତିନିଧି ଓ ସାମ୍ବିଧାନିକ ପଦାଧିକାରୀ ଭାବରେ ତାଙ୍କର କାର୍ଯ୍ୟ ଆଦୌ ଗ୍ରହଣଯୋଗ୍ୟ ନୁହେଁ, ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ମହିଳା ମୋର୍ଚା ଦାବି କରିଛି ।

ସାଂସଦଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ଭାରତୀୟ ଜନତା ମହିଳା ମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ଆଜି ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ବିକ୍ଷୋଭ ସହ ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କରିଅଛି। କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଉଚିତ୍‍ ନୁହେଁ। ମାତ୍ର ଯେତେବେଳେ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଭଳି ଘଟଣା ଘଟାଏ ତାହା ସାଧାରଣରେ ଗ୍ରହଣୀୟ ହୋଇ ନଥାଏ। ସେତେବେଳେ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ମହିଳାମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରିବା ଏକ ପ୍ରାଥମିକ ଦାୟିତ୍ୱ ହୋଇଥାଏ। ମହିଳାଙ୍କ ପ୍ରତି ଏପରି ହୀନ ବ୍ୟବହାର ଓ ଅତ୍ୟାଚାର କରୁଥିବା ବ୍ୟକ୍ତି କେବେହେଲେ ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ଅନୁଚିତ୍‍।  ଭାରତୀୟ ଜନତା ମହିଳା ମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ଏଭଳି କାର୍ଯ୍ୟକୁ  ନିନ୍ଦା କରୁଅଛି। ଯଦି ଖୋଦ୍‍ ଶାସକ ଦଳର ଜଣେ  ସାଂସଦ ଏପରି ଘୃଣ୍ୟ କାର୍ଯ୍ୟ କରନ୍ତି ତେବେ ରାଜ୍ୟରେ ଜଣେ ସାଧାରଣ ମହିଳା କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ଜଣା ପଡୁଅଛି। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଯେପରି ମନୁଷ୍ୟକୃତ ବନ୍ୟା ରାଜଧାନୀବାସୀଙ୍କ ଘରେ ବନ୍ୟାଜଳ ରୂପେ ପ୍ରବେଶ କରୁଛି ଠିକ୍‍ ସେହିପରି ନାରୀ ମାନଙ୍କ ପ୍ରତି ଅତ୍ୟାଚାର ଘରେ ଘରେ ସୃଷ୍ଟି ହେଉଅଛି ବୋଲି ମହିଳା ମୋର୍ଚା ଅଭିଯୋଗ କରିଛି ।

Comments
Loading...