ସୋନୁ ସୁଦଙ୍କ ସହାୟତା ଲୋଡ଼ିଲେ ବିଜେପି ନେତା; ଅଳକା ଲାମ୍ବା କହିଲେ- ଲାଜ ଥିଲେ ଇସ୍ତଫା ଦେଇ ଘରେ ବସ

ମୁମ୍ବାଇ: ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ଘରକୁ ପଠାଇବା କ୍ଷେତ୍ରରେ ସହାୟତା ନିମନ୍ତେ ଏବେ ବଲିଉଡ଼୍ ଅଭିନେତା ସୋନୁ ସୁଦ୍ ବେଶ୍ ଖ୍ୟାତି ପାଇଛନ୍ତି । ନିକଟରେ ସେ କେନ୍ଦ୍ରାପଡ଼ାର ୧୭୯ ଝିଅଙ୍କୁ ଏକ ସ୍ବତନ୍ତ୍ର ବିମାନରେ କେରଳରୁ ଭୁବନେଶ୍ବର ପଠାଇବା ବ୍ୟବସ୍ଥା କରିଥିଲେ । ସେହିପରି ଲକଡ଼ାଉନ ଯୋଗୁଁ ଅଟକି ରହିଥିବା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାରର ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ସୋନୁ ବସ୍ ବ୍ୟବସ୍ଥା ମଧ୍ୟ କରିଥିଲେ । ଏ ପର୍ଯ୍ୟନ୍ତ ପ୍ରାୟ ୧୨ ହଜାରରୁ ଅଧିକ ଶ୍ରମିକଙ୍କୁ ସୋନୁ ସୁଦ୍ ନିଜ ଘରକୁ ପଠାଇବାରେ ସକ୍ଷମ ହୋଇଛନ୍ତି ।

ଇତିମଧ୍ୟରେ ମଧ୍ୟପ୍ରଦେଶର ଜଣେ ବିଜେପି ନେତା ସୋନୁ ସୁଦଙ୍କୁ ଟ୍ବିଟ୍ କରି ତାଙ୍କ ଅଞ୍ଚଳର ଶ୍ରମିକମାନଙ୍କୁ ଘର ଲେଉଟାଣି ନିମନ୍ତେ ଅନୁରୋଧ କରିବାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତ୍ରୀ ଅଳକା ଲାମ୍ବା । ସେ ବିଜେପି ନେତାଙ୍କ ଟ୍ବିଟରେ ରି ଟ୍ବିଟ୍ କରି ଟିକିଏ ଲାଜ ଥିଲେ ଇସ୍ତଫା ଦେଇ ଘରେ ବସ୍ ବୋଲି କହିଛନ୍ତି ।

ମଧ୍ୟପ୍ରଦେଶ ରେୱା ଜିଲାର ଜଣେ ବିଜେପି ବିଧାୟକ ରାଜେନ୍ଦ୍ର ଶୁକ୍ଳା ମୁମ୍ବାଇରେ ଅଟକିଥିବା ରେୱା ଅଞ୍ଚଳର ଶ୍ରମିକଙ୍କ ସହାୟତା ନିମନ୍ତେ ଅନୁରୋଧ କରିଥିଲେ । ଏହା ସହ ରିୱା ଓ ସତନା ଜିଲାର ଯେଉଁ ଲୋକମାନେ ମୁମ୍ବାଇରେ ଅଟକି ରହିଥିଲେ ସେମାନଙ୍କର ଏକ ତାଲିକା ମଧ୍ୟ ଟ୍ବିଟରେ ସଂଲଗ୍ନ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ରେୱା ଓ ସତନାର ଯେଉଁ ଲୋକମାନେ ମୁମ୍ବାଇରେ ଅଟକି ରହି ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ନିମନ୍ତେ ଦୟାକରି ସହାୟତା କରନ୍ତୁ ବୋଲି ସୋନୁଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରିଥିଲେ ।

ବିଜେପି ନେତାଙ୍କ ଏହି ଟ୍ବିଟର ସ୍କ୍ରିନ୍ ସଟ୍ ସହ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ନିଜ ଟ୍ବିଟରରେ କଡ଼ାକଡ଼ା କଥା ଶୁଣାଇଛନ୍ତି ।  ଖୋଦ୍ ବିଧାୟକ ଓ ପୂର୍ବତନ ମନ୍ତ୍ରୀ, ମଧ୍ୟପ୍ରଦେଶ ଓ କେନ୍ଦ୍ରରେ ଏହାଙ୍କର ସରକାର ଅଛି । ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କରି ଦଳର । ମହାରାଷ୍ଟ୍ରରେ ତାଙ୍କ ଦଳର ଅନେକ ସାଂସଦ ଓ ବିଧାୟକ ବି ଅଛନ୍ତି । ତଥାପି ଭଦ୍ରଲୋକ ସୋନୁ ସୁଦଙ୍କୁ ସହାୟତା ମାଗୁଛନ୍ତି । ଯଦି ଟିକିଏ ବି ଲାଜ ଅଛି ତେବେ ଇସ୍ତଫା ଦେଇ ଘରେ ବସି ଯାଆନ୍ତୁ, ଭଲ ହେବ ବୋଲି ବିଜେପି ନେତା ରାଜେନ୍ଦ୍ର ଶୁକ୍ଳାଙ୍କୁ କହିଛନ୍ତି ଅଳକା ଲାମ୍ବା ।

 

ମାତ୍ର ଅପରପକ୍ଷରେ ସୋନୁ ସୁଦ୍ ବିଧାୟକଙ୍କ ଟ୍ବିଟର ଉତ୍ତର ଦେଇଛନ୍ତି । କହିଛନ୍ତି ଯେ ସାର୍ ଆପଣଙ୍କର କୌଣସି ବ୍ୟକ୍ତି ଏଠାରେ ଫଶି ରହିବେ ନାହିଁ । ଆପଣଙ୍କ ପାଖକୁ ଆସନ୍ତାକାଲି ସେମାନଙ୍କୁ ପଠାଇବା ବ୍ୟବସ୍ଥା କରିଦେବୁ । କେତେବେଳେ ମଧ୍ୟପ୍ରଦେଶ ଆସିଲେ ପୋହା (ଚୂଡ଼ା) ନିଶ୍ଚିତ ଖୁଆଇବେ  ବୋଲି ସୋନୁ ଜବାବ ରଖିଛନ୍ତି ।

ସୋନୁଙ୍କ ଏହି ଉତ୍ତରରେ ଧନ୍ୟବାଦ ଦେଇଛନ୍ତି ରାଜେନ୍ଦ୍ର । ଟ୍ବିଟ୍ କରି ସୋନୁଙ୍କୁ କହିଛନ୍ତି ଯେ ବିନ୍ଧ୍ୟ ଭୂମିରେ ଆପଣଙ୍କୁ ସର୍ବଦା ସ୍ବାଗତ । ମୁମ୍ବାଇରେ ଅଟକିଥିବା ୧୬୮ ଲୋକଙ୍କ ମଧ୍ୟରୁ ୫୫ ଲୋକଙ୍କୁ ପଠାଇ ଦେଇଥିବାରୁ ଧନ୍ୟବାଦ । ଅବିଶିଷ୍ଟ ୧୧୩ ଲୋକଙ୍କୁ ପଠାଇବା ପୂର୍ବରୁ ଆପଣଙ୍କୁ ଅଗ୍ରୀମ ଧନ୍ୟବାଦ ଜଣାଉଛି ।

Comments are closed.