MEllora 950×100

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଫାଟକରେ ତାଲା, ଥାନାରେ ୩ଟି ମାମଲା 

ବିଜେପି ଜିଲ୍ଲା ସଭାପତିଙ୍କୁ ତହସିଲଦାରଙ୍କ ଅପଶଦ୍ଦ କହିବା ଅଭିଯୋଗ 

ଗୋପାଳପୁର : ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ କନିଷି ତହସିଲଦାର ଅପଶଦ୍ଦ କହିବା ପ୍ରତିବାଦରେ ଶତାଧିକ ବିଜେପି କର୍ମୀଙ୍କ ସମେତ ନିଜେ ବିଜେପି ସଭାପତି ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶେଷରେ ଦୁଇଟି ଫାଟକରେ ତାଲା ଢୁଙ୍କି ଚାଲିଯିବା ସହ କନିଷି ତହସିଲଦାରଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗୁରୁବାର ସକାଳ ୯ ଟା ବେଳେ ଜିଲ୍ଲା ସଭାପତି ଶ୍ରୀ ଜେନା ,କନିଷି ତହସିଲଦାର ପ୍ରଳୟନାଥ ଶତପଥୀଙ୍କ ସହ ଫୋନରେ କଥାହେବା ସହ କନିଷି ତୁଳୁ ରୋଡରେ ଜବରଦଖଲକାରୀଙ୍କୁ ଉଛେଦ ନିମନ୍ତେ ଦିଆଯାଇଥିବା ନୋଟିସର ସମୟ ସୀମା ଶେଷ ଯାଇଥିବା ବେଳେ କଣ କାର୍ଯାନୁଷ୍ଠାନ ଗ୍ରହଣ କଲେ ବୋଲି ଆଲୋଚନା କରିଥିଲେ। ଏହି ସମୟରେ ତହସିଲଦାର ଶ୍ରୀ ଶତପଥୀ ଉତକ୍ଷିପ୍ତ ହୋଇ ଶ୍ରୀ ଜେନାଙ୍କୁ କିଛି ଖରାପ କଥା କହିଥିଲେ। ସେ ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଏହା ସହ ତହସିଲଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ।
ଏହି ଘଟଣାକୁ ନେଇ ପ୍ରାୟ ସାଢେ଼ ୧୦ ଟା ବେଳେ ବିଜେପିର ଶତାଧିକ କର୍ମୀ ଓ ନିଜେ ଜିଲ୍ଲା ସଭାପତି ଶ୍ରୀ ଜେନା କନିଷି ତହସିଲ ଅଫିସରେ ପହଞ୍ଚିବା ସମୟରେ ତହସିଲଦାର ଶ୍ରୀ ଶତପଥୀ ନିଜ କାର ଯୋଗେ ଚାଲିଯିବାକୁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରି ବିଜେପି କର୍ମୀ ମାନେ କାର ସମ୍ମୁଖରେ ବସି ରହି ବିରୋଧ କରିଥିଲେ । ପରିସ୍ଥିତି ଉତ୍ତେଜନା ମୂଳକ ହେବାରୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ତହସିଲଦାର ଶ୍ରୀ ଶତପଥୀଙ୍କୁ ଏସକର୍ଟ କରି କାରରୁ ଓହ୍ଲାଇ କାର୍ଯ୍ୟାଳୟ ପରିସରକୁ ନେଇଯାଇଥିଲେ। ଏ଼ଇ ଘଟଣାକୁ ବିରୋଧ କରି କର୍ମୀ ମାନେ ତହସିଲ କାର୍ଯ୍ୟାଳୟରେ ଧସେଇ ପସିବାକୁ ଚେଷ୍ଟା କରିବାରୁ ପୁଲିସ ପକ୍ଷରୁ ବନ୍ଦ ରଖାଯାଇଥିବା ମୁଖ୍ୟ ଫାଟକକୁ ଠେଲି ଖୋଲି ଦେଇ କାର୍ଯ୍ୟାଳୟ ପରିସରକୁ ପସିବାକୁ ଉଦ୍ୟମ କରିଥିଲେ, କିନ୍ତୁ ପୁଲିସ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲା । ଏହାପରେ କର୍ମୀଙ୍କ ସମେତ ଶ୍ରୀ ଜେନା କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାରଙ୍କ ପକ୍ଷରୁ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ । କିନ୍ତୁ ପ୍ରାୟ ୩ ଟା ପର୍ଯ୍ୟନ୍ତ ତହସିଲଦାର ଶ୍ରୀ ଶତପଥୀ ବିକ୍ଷୋଭ କାରୀଙ୍କ ନିକଟକୁ ଆସି କ୍ଷମା ନମାଗିବାରୁ କର୍ମୀ ମାନେ କାର୍ଯ୍ୟାଳୟ ଓ ମୁଖ୍ୟ ଫାଟକରେ ତାଲା ପକାଇ ଚାଲି ଯାଇଥିଲେ। ପରେ ସେଠାରେ ଉପସ୍ଥିତ ଥିବା ପୁଲିସ କଟର ସାହାଯ୍ୟରେ ଉଭୟ ତାଲାକୁ କାଟି ଥିଲେ। ଘଟଣା ନେଇ ତହସିଲଦାର ଶ୍ରୀ ଶତପଥୀ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କ ମତାମତ ସଂଗ୍ରହ ହୋଇ ପାରିନାହିଁ। ଅନ୍ୟ ପଟେ ତହସିଲଦାରଙ୍କୁ ଶ୍ରୀ ଜେନା ଫୋନରେ ଧମକ ଦେବା ଏବଂ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ କାରକୁ ଅଟକ ରଖିବା ନେଇ ନେଇ ଗୋଳନ୍ଥରା ଥାନାରେ ୨ ଟି ଲିଖିତ ଅଭିଯୋଗ କରାଯାଇଛି।
ଏହି ଘଟଣା ନେଇ ସ୍ଥାନୀୟ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଥିବା ବେଳେ ପିସିସି ସଭ୍ୟ ତଥା ଆଇନଜୀବୀ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଜଣେ ସରକାରୀ କର୍ମଚାରୀ ଯଦି ରାଜନେତାଙ୍କୁ ଅପଶଦ୍ଦ ବ୍ୟବହାର କରିଛନ୍ତି, ତାହା ଶୋଭନୀୟ ନୁହେଁ ବୋଲି ମତପୋଷଣ କରିବା ସହ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି ।

Comments are closed.