୧୯୪୦ ଟଙ୍କାରେ ଧାନ କିଣିବା ସହ ଅନ୍ୟ ରାଜ୍ୟ ଭଳି ଚାଷୀଙ୍କୁ ବୋନସ ଦେଉ ରାଜ୍ୟ:ବିଜେପି

ଧାନର ଏମଏସପି ମୂଲ୍ୟବୃଦ୍ଧି ସମ୍ପର୍କରେ ବିଜେଡିର ସାମ୍ବାଦିକ ସମ୍ମିଳନୀ ନେଇ ବିଜେପିର ପ୍ରତିକ୍ରିୟା

ବରଗଡ/ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ସମ୍ପର୍କରେ କୃଷି ମନ୍ତ୍ରୀ ଅରୁଣ ସାହୁ କରିଥିବା ସାମ୍ବାଦିକ ସମ୍ମିଳନୀ ଅତ୍ୟନ୍ତ ହାସ୍ୟାସ୍ପଦ ଓ ବାଚଳାମୀ ସଦୃଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ଷେପ କରିବା ପୂର୍ବରୁ ମନ୍ତ୍ରୀ ଅରୁଣ ସାହୁ ନିଜ ବିଭାଗ ସହ ନିଜେ ସମୀକ୍ଷା କରନ୍ତୁ ଏବଂ ଚାଷୀଙ୍କୁ ହକ୍ ଦେବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ। ଏହା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନ ପାଇଁ ଧାର୍ଯ୍ୟ ଏମଏସପି ମୂଲ୍ୟ ୧୯୪୦ ଟଙ୍କାରେରାଜ୍ୟ ସରକାରଧାନ କିଣନ୍ତୁ ଏବଂ ଅନ୍ୟ ରାଜ୍ୟ ଭଳି ଚାଷୀଙ୍କୁ ବୋନସ ଦେବାକୁ ସେ ଦାବି କରିଛନ୍ତି।
ଧାନର ଏମଏସପି ମୂଲ୍ୟବୃଦ୍ଧି ସମ୍ପର୍କରେ ବିଜେଡିର ସାମ୍ବାଦିକ ସମ୍ମିଳନୀ ନେଇ ଶ୍ରୀ ପୁରୋହିତ କହିଛନ୍ତି ଯେ ଅରୁଣ ସାହୁଙ୍କ ବକ୍ତବ୍ୟ କୁହାଳିଆଙ୍କ ବାରବାଟୀ ଚାଷ ଭଳି। କୃଷି ମନ୍ତ୍ରୀ ଓ କୃଷି ବିଭାଗର ଅପାରଗତା କାରଣରୁ ତଥା ତଥ୍ୟ ଠିକ୍ ନଦେଇପାରିବାରୁ ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ବଂଚିତ ହେଉଛନ୍ତି। ଯାହା ଦୁଃଖର ବିଷୟ। ୧୯ ନଭେମ୍ବର ୨୦୧୫ରେ ବରଗଡ ଜିଲା ସୋହେଲା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କହିଥିଲେ କ୍ୱିଂଟାଲ ଧାନ ପିଛା ୧୦୦ ଟଙ୍କା ବୋନସ ପ୍ରଦାନ କରିବେ। ଅରୁଣ ସାହୁ ଉତର ଦେବେ କି ଏ ବୋନସ କେବେ ଚାଷୀଙ୍କୁ ମିଳିବ? ମଣ୍ଡିରେ କଟନୀ-ଛଟନୀ କାହା ନିର୍ଦ୍ଦେଶ ଓ ସମ୍ମତିରେ ହେଉଛି? ମୋଦି ପୁରା ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୯୪୦ ଟଙ୍କା କ୍ୱିଂଟାଲ ପିଛା ପ୍ରଦାନ କରୁଛନ୍ତି। ଚାଷୀଙ୍କ ପେଟରୁ କାଟି କିଏ ଏହି ଟଙ୍କା କାଟି ଖାଉଛି? ଉିଲର ଓ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଚାଷୀଙ୍କୁ କନ୍ଦାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରି ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶ ସମେତ ଆମ ରାଜ୍ୟର ଚାଷୀଙ୍କ ଆର୍ôଥକ ବିକାଶ ପାଇଁ ବଦ୍ଧପରିକର। ସ୍ୱାଧୀନତାର ୭ ଦଶନ୍ଧିରେ ଦେଶ ଓ ରାଜ୍ୟର ଚାଷୀ ଭାଇ ମାନଙ୍କର ବିକାଶ ପାଇଁ ଯାହା କରାଯାଇପାରିନଥିଲା, ମୋଦି ତାଙ୍କର ୬ ବର୍ଷର ଶାସନରେ ତା’ଠାରୁ ଅଧିକ ଯୋଗଦାନ ଦେଇଛନ୍ତି। ଚାଷୀ ମାନଙ୍କୁ ତାଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ହେଉ ଅଥବା ଚାଷୀ ମାନଙ୍କୁ ଆର୍ଥିକ ସହାୟତା; ମୋଦି କୃଷକ ସଶକ୍ତିକରଣର ନୂଆଯୁଗ ଆରମ୍ଭ କରିଛନ୍ତି। ପ୍ରତିବର୍ଷ ଖରିଫ ଏବଂ ରବି ଋତୁ ପାଇଁ ହେଉଥିବା ଫସଲର ଏମଏସପି ମୋଦି ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଉଛି। ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ଓ ଚାଷୀଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ମୋଦି ଅନେକ ପଦକ୍ଷେପ ନେଉଛନ୍ତି।
ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବର୍ଷ ୨୦୨୧-୨୨ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରାଯାଇଛି। ଧାନର ଏମଏସପି ୨୦୨୧-୨୨ ବର୍ଷ ପାଇଁ କ୍ୱିଂଟାଲ ପିଛା ଅଧିକ ୭୨ ଟଙ୍କା ବୃଦ୍ଧି କରାଯାଇଛି। ଧାନର କ୍ୱିଂଟାଲ ପିଛା ଏମଏସପି ମୂଲ୍ୟ ୨୦୧୩-୧୪ ଆର୍ôଥକ ବର୍ଷରେ ୧୩୧୦ ଟଙ୍କା ଥିଲା। ମାତ୍ର ମୋଦି ସରକାରରେ ଏହା ବୃଦ୍ଧି ପାଇ ଧାନ କ୍ୱିଂଟାଲ ପିଛା ୨୦୨୧-୨୨ରେ ୧୯୪୦ ଟଙ୍କାରେ ପହଁଚିଛି। ଏତଦବ୍ୟତିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀ ଭାଇଙ୍କ ସ୍ୱାର୍ଥ ଓ କଲ୍ୟାଣକୁ ଦୃଷ୍ଟିରେ ରଖି ବର୍ଷ ୨୦୨୧-୨୨ରେ ଓଡ଼ିଶାରୁ ୧୩ ହଜାର ୯୪୮.୬ କୋଟି ଟଙ୍କା ମୂଲ୍ୟର ୭୧.୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
ଶ୍ରୀ ପୁରୋହିତ କହିଛନ୍ତି ଯେ ୨୦୦୪ ଫେବୃୟାରୀରେ ଡା. ଏମ.ଏସ ସ୍ୱାମୀନାଥନଙ୍କ ନେତୃତ୍ୱରେ ନ୍ୟାସନାଲ କମିଶନ ଅନ୍ ଫାର୍ମର୍ସ ଗଠନ କରାଯାଇଥିଲା। ଏମ.ଏସ ସ୍ୱାମୀନାଥନଙ୍କ ନେତୃତ୍ୱରେ ଗଠିତ ହୋଇଥିବା ନ୍ୟାସନାଲ କମିଶନ ଅନ୍ ଫାର୍ମର୍ସ(ଏନସିଏଫ) ପରାମର୍ଶ ଦେଇଥିଲେ ଯେ ଉତ୍ପାଦନ ଖର୍ଚ୍ଚର ହାରାହାରି ମୂଲ୍ୟଠାରୁ ଏମଏସପି ଅତିକମରେ ୫୦ ପ୍ରତିଶତ ଅଧିକ ହେବା ଉଚିତ୍ । ଯାହାକୁ କେନ୍ଦ୍ର ସରକାର କାର୍ଯ୍ୟ କାରୀ କରିଛନ୍ତି। ୨୦୧୩ରେ ଧାନର କ୍ୱିଂଟାଲ ପିଛା ଏମଏସପି ୧୩୧୦ ଟଙ୍କା ଥିଲା ବେଳେ ଏବେ ମୋଦି ସରକାରରେ ୧୯୪୦ ଟଙ୍କା ହୋଇଛି।
କୃଷକଙ୍କ ଆୟର ଦ୍ୱିଗୁଣିତ କରିବା ପାଇଁ ଇଂଟର ମିନିଷ୍ଟରିଆଲ କମିଟି ଗଠନ ହୋଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଁ ହିସାବରେ ୬ ହଜାର ଟଙ୍କା ଦିଆଯାଉଛି। ସେହିପରି କ୍ଷୁଦ୍ର ଓ ମଧ୍ୟବିତ ଚାଷୀଙ୍କୁ ସାମାଜିକ ସୁରକ୍ଷା ତଥା ସେମାନଙ୍କ ଜୀବନ ଜୀବିକା ପାଇଁ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା କରାଯାଇଛି। ଏହି ଯୋଜନାରେ ଏହି ବର୍ଗର ଚାଷୀମାନେ ବାର୍ଦ୍ଧକ୍ୟ ସମୟରେ ୩ ହଜାର ଟଙ୍କା ଭତା ଆକାରରେ ପାଇପାରୁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି।

Comments are closed.