ବିହାରରେ ଜେଡିୟୁ-ବିଜେପି ଆସନ ବଣ୍ଟା ଚୂଡ଼ାନ୍ତ, ସମାନ ସଂଖ୍ୟକ ଆସନରେ ଲଢିବେ ନିର୍ବାଚନ

0

ପାଟନା : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଜେଡିୟୁ ଓ ବିଜେପି ମଧ୍ୟରେ ଆସନ ବଣ୍ଟା ନେଇ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିହାରରେ ଉଭୟ ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢିବାକୁ ସହମତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ଗଣମାଧ୍ୟମ ଆଗରେ ମିଳିତ ଭାବେ ଏହି ଘୋଷଣା କରିଛନ୍ତି।
ଘୋଷଣା ଅନୁଯାୟୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢିବେ। ଅନ୍ୟ ସହଯୋଗୀ ଦଳଗୁଡ଼ିକୁ ସମ୍ମାନଜନକ ଆସନ ଦିଆଯିବ ବୋଲି ସେମାନେ ଘୋଷଣା କରିଛନ୍ତି। ତେବେ ଆଉ କିଛି ନୂଆ ଦଳ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ମେଣ୍ଟରେ ସାମିଲ ହେଉଥିବାରୁ ସବୁ ଦଳକୁ ପୂର୍ବ ସଂଖ୍ୟକ ଆସନ ଦେଇ ହେବ ନାହିଁ ବୋଲି ଅମିତ ଶାହା କହିଛନ୍ତି। ଏହା କହି ଆରଏଲଏସ୍‍ପି, ଏଲଜିପି ଭଳି ଦଳଙ୍କୁ କମ ସଂଖ୍ୟକ ଆସନ ମିଳିବ ବୋଲି ଅମିତ ଶାହା ସଂକେତ ଦେଇଛନ୍ତି। ୨ରୁ ୩ ଦିନ ମଧ୍ୟରେ ଆସନ ବଣ୍ଟା ସଂଖ୍ୟାର ସୂଚନା ଦିଆଯିବ ଓ କେଉଁ ଦେଳ କେତୋଟି ଆସନରେ ନିର୍ବାଚନ ଲଢିବେ ତାହା ଘୋଷଣା କରାଯିବ ବୋଲି ନୀତୀଶ କୁମାର ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁ ଏବଂ ବିଜେପି ପୃଥକ ଭାବେ ନିର୍ବାଚନ ଲଢିଥିଲେ। ବିଜେପି ନେତୃତ୍ୱାଧୀନ ଏନ୍‍ଡିଏରେ ସାମିଲ ହୋଇ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଏବଂ ରାମବିଳାଶ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ନିର୍ବାଚନ ଲଢିଥିଲା। ସେତେବେଳେ ଏଲଜିପି ୭ଟି, ଆରଏଲଏସ୍‍ପି ୩ଟି ଓ ବିଜେପି ୩୦ଟି ଆସନରେ ନିର୍ବାଚନ ଲଢିଥିଲେ। ବିଜେପି ୩୦ରୁ ୨୨ଟି ଆସନରେ ବିଜୟୀ ହୋଇଥିଲା ବେଳେ ଏଲଜିପି ୬ଟି ଏବଂ ଆରଏଲଏସ୍‍ପି ୩ଟି ଆସନରେ ବିଜୟୀ ହୋଇଥିଲେ। ପୃଥକ ଭାବେ ନିର୍ବାଚନ ଲଢୁଥିବା ଜେଡିୟୁ ମାତ୍ର ୨ଟି ଆସନରେ ସୀମିତ ରହିଥିଲା। ଲାଲୁଙ୍କ ଆରଜେଡି ୪ଟି, କଂଗ୍ରେସ ୨ଟି ଓ ଏନ୍‍ସିପି ଗୋଟିଏ ଆସନରେ ବିଜୟୀ ହୋଇଥିଲେ। ଏନ୍‍ଡିଏରେ ଜେଡୁୟୁ ମିଶିବା ପରେ ଏଲଜିପି ଏବଂ ଆରଏଲଏସ୍‍ପି ଆସନ ସଂଖ୍ୟାରେ ହ୍ରାସ ଘଟିବ ବୋଲି ସନ୍ଦେହ କରାଯାଉଥିଲା। ଫଳରେ ନିକଟରେ ଏଲ୍‍ଜିପି ପ୍ରଦେଶ ଅଧ୍ୟକ୍ଷ ପଶୁପତି କୁମାର ପାରସ୍‍ କହିଥିଲେ ଯେ ପୂର୍ବରୁ ଆମେ ୭ଟି ଆସନରେ ନିର୍ବାଚନ ଲଢିଥିଲୁ। ତେଣୁ ଚଳିତ ଥର ବି ୭ଟି ଆସନରେ ନିର୍ବାଚନ ଲଢିବୁ, ତାଠୁ କମ୍‍ ଆସନ ଆମେ ଗ୍ରହଣ କରିବୁ ନାହିଁ।

Leave A Reply