ବିଜେପିର ‘ଜବାବ ମାଗୁଛି ଓଡିଶା’ ଅଭିଯାନ ଆରମ୍ଭ

0

ଭୁବନେଶ୍ୱର : ଏବେ ସମୟ ଆସିଛି ଓଡିଶାବାସୀ ୧୯ ବର୍ଷ ଶାସନରେ ରହିଥିବା ବିଜେଡି ସରକାରଙ୍କୁ ଜବାବ ମାଗିବେ। ଆଉ ଚୁପ୍ ହୋଇ ବସିବେନି ଯୁବକ, ଛାତ୍ର ଏବଂ ମହିଳା। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇବେ ସାଢେ ୪ କୋଟି ଜନତା ବୋଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବରମୁଣ୍ଡା ପଡିଆଠାରେ ‘ଜବାବ ମାଗୁଛି ଓଡ଼ିଶା ଅଭିଯାନ’ ସଭାରେ ଆହ୍ୱାନ ଦିଆଯାଇଛି।
ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ୭୦ଟି ରଥ ସହ ‘ଜବାବ ମାଗୁଛି ଓଡିଶା’ର ସିଡି ଉନ୍ମୋଚନ ହୋଇଛି। ଏହା ସହ ରଥରେ ପ୍ରଦର୍ଶିତ ହେବାକୁ ଥିବା ଭିଡିଓକୁ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଟାବଲେଟ ମାଧ୍ୟମରେ ଅଡିଓ, ଭିଡିଓ ପ୍ରଶ୍ନ ପଚାରିବାର ଶୁଭାରମ୍ଭ କରିଛନ୍ତି। ଚାଷୀଠୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ନିଜର ଅକୁହା କଥାକୁ ଅଡିଓ, ଭିଡିଓ ଏବଂ ୱେବସାଇଟ୍‍ ମାଧ୍ୟମରେ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବେ। ମହିଳାମାନେ ରାଜ୍ୟରେ ଅସୁରକ୍ଷିତ, ଶିଶୁ କାହିଁକି କୁପୋଷଣର ଶିକାର ହୋଇ ମୃତ୍ୟୁମୁଖରେ ପଡୁୁଛି, ନାବାଳିକା କାହିଁକି ଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା କରୁଛି ଓ ଫସଲ ହାନି ଓ ଋଣଭାରରେ ଚାଷୀ କାହିଁକି ନିଜ ଜୀବନ ହାରୁଛି। ଏଭଳି ଅନେକ ସମ୍ବେଦନଶୀଳ ପ୍ରଶ୍ନର ଜବାବ ମଗାଯିବ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି।
ଅଭିଯାନରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କର ଓଡିଆ ଆବେଗ ସହ ସମ୍ପର୍କ ନାହିଁ। ବାହାଘର ବେଳେ ବାଇଗଣ ରୋଇବା ପରି ନିର୍ବାଚନ ସମୟରେ ଯୋଜନା ଘୋଷଣା କରି ଲୋକଙ୍କୁ ବୋକା ବନାଇବା ପାଇଁ ଆଉଥରେ ପ୍ରୟାସ କରୁଛନ୍ତି। ୧୯ ବର୍ଷ ଏହି ସରକାର ଯେଭଳି ଭାବେ ଚାଷୀ, ଆଦିବାସୀ, ଯୁବକ, ଛାତ୍ର, ମହିଳା, ଦଳିତ, ଚାକରିଆଙ୍କୁ ଶୋଷଣ କରିଥିବା ଏବେ ସମୟ ଆସିଛି ଜବାବ ମାଗିବା ପାଇଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ଏଠାରେ ପଚାରିକି ଯାଇଛନ୍ତି ଶିକ୍ଷକମାନେ କାହିଁକି ଆନ୍ଦୋଳନ କରୁଛନ୍ତି, ଜଳସେଚନ କ’ଣ ପାଇଁ ହୋଇନି, ଗ୍ରାମାଞ୍ଚଳରେ ଲୋକଙ୍କୁ କଣ ପାଇଁ ପିଇବା ପାଣି ମିଳୁନି, ଆଜି ଏ ସବୁର ଜବାବ ମାଗିବାର ସମୟ ଆସିଛି। ଚିଟଫଣ୍ଡ, ଖଣି ଦୁର୍ନୀତି, ପିସିର ଦାନବକୁ କିଏ ଦାନା ଦେଉଛି ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେବାର ଆବଶ୍ୟକ ରହିଛି । ପ୍ରଧାନମନ୍ତ୍ରୀ ନୂଆ ଭାରତର ଆହ୍ୱାନ ଦେଇଛନ୍ତି। ନୂଆ ଓଡିଶା ଗଠନ ନ ହେବା ଯାଏଁ ନୂଆ ଭାରତ ଗଠନ ଅସମ୍ଭବ। କେନ୍ଦ୍ର ସରକାର ଓଡିଶାର ବିକାଶ ପାଇଁ ହାତ ବଢାଇଲେ, ହେଲେ ରାଜ୍ୟ ସରକାର ସହଯୋଗ ଦେଉନାହାନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟ ସରକାର ସାମିଲ ହେଲେ ନାହିଁ। ରାଜ୍ୟରେ ଜଳସେଚନର ବ୍ୟବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟର ୩୧୪ ବ୍ଲକରେ କେତେ ଜଳସେଚନ ହୋଇଛି ତାହା ସ୍ପଷ୍ଟ କରିବା ଦରକାର। ରାଜ୍ୟରେ ଧାନର ଅଭାବୀ ବିକ୍ରି ହେଉଛି। ଏ ସମସ୍ତ କାମ ପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବା ପାଇଁ ଜବାବ ମାଗିବାର ସମୟ ଆସିଥିବା ଶ୍ରୀ ପ୍ରଧାନ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ୍‍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓଡିଆ ପଢିପାରନ୍ତିନି କି ବୁଝିପାରନ୍ତିନି ବୋଲି ତାଚ୍ଛଲ୍ୟ କରିିଛନ୍ତି। ଆମ ଗାଁ ଆମ ବିକାଶ ମାଧ୍ୟମରେ ଗାଁର ବିକାଶ ନହୋଇ ଦଳୀୟ କର୍ମୀମାନଙ୍କ ବିକାଶ ହେଉଛି। ଜିଲା ଖଣିଜ ପାଣ୍ଠିରେ ହଜାର ହଜାର କୋଟି ଟଙ୍କା ପଡିରହିଛି। କେନ୍ଦ୍ର ସରକାର ଦେଉଥିବା ଅନୁଦାନ ରାଶିକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାଁନ୍ତି। ରାଜ୍ୟ ସରକାର ରେଳବାଇ ପାଇଁ ଜମି ଅଧିଗ୍ରହଣ ନ କରି ଜାଣିଶୁଣି ବିଳମ୍ବ କରୁଛନ୍ତି। ଏହି ରଥ ବୁଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ହଜିଯିବ ବୋଲି ସେ କହିଛନ୍ତି।
ଏଥିରେ ରାଜ୍ୟ ବିଧାୟକ ଦଳ ନେତା କେ.ଭି ସିଂହଦେଓ ଅଭିଯୋଗ କରିଛନ୍ତି ଯେ, ନବୀନ ବାବୁ ଓଡିଶାକୁ ପଙ୍ଗୁ ବନେଇ ଦେଇଛନ୍ତି। ଚାଷୀ ଆତ୍ମହତ୍ୟା, ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି ଏବଂ କେନ୍ଦ୍ର ସରକାର ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବା ପରେ ରାଜ୍ୟ ସରକାର ତାକୁ ରାଜ୍ୟରେ ଲାଗୁ ନ କରିବା ଅତ୍ୟନ୍ତ ପରିତାପର ବିଷୟ। ରାଜ୍ୟର ନାରୀମାନେ ସେମାନଙ୍କ ସୁରକ୍ଷାକୁ ନେଇ ଜବାବ ମାଗୁଛନ୍ତି। ଗାଁ ସାଥୀଙ୍କ ସମେତ ସାଢେ ୪ କୋଟି ଓଡିଆ ତାଙ୍କ ଅଧିକାର କେବେ ମିଳିବ ବୋଲି ଆଜି ଜବାବ ମାଗୁଛନ୍ତି ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ, ଭୃଗୁ ବକ୍ସିପାତ୍ର, ପୃଥୀରାଜ ହରିଚନ୍ଦନ,ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ, ରଞ୍ଜନ ପଟେଲ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲିକ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ସମୀର ଦେ, ବିଧାୟକ ପ୍ରଦୀପ ପୁରୋହିତ ଓ ରବି ନାୟକ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ, ସମେତ ଶତାଧିକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply