ଆସାମ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେପି, ୩୦ ଲକ୍ଷ ଲୋକଙ୍କୁ ମାସିକ ୩ ହଜାର ଦେବାକୁ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଆସାମ ଏବଂ ପଶ୍ଚିମବଙ୍ଗ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ମଙ୍ଗଳବାର ଆସାମ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି। ରାଜ୍ୟର ୩୦ ଲକ୍ଷ ଲୋକଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଛି।

ଏହା ସହିତ ଘୋଷଣାପତ୍ରରେ ଦୁଇ ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ଏବଂ ୮ ଲକ୍ଷ ଯୁବକଯୁବତୀଙ୍କୁ ଘରୋଇ କ୍ଷେତ୍ରରେ ଚାକିରି ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଛି। ଏହା ସହିତ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏନଆରସି ଲାଗୁ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଇସ୍ତାହାର ଜାରି କରି କହିଛନ୍ତି, ଆସାମରେ ପୁଣି ଥରେ ବିଜେପି ଶାସିତ ସରକାର ଗଠନ କରିବ। ରାଜ୍ୟରୁ ଅନୁପ୍ରବେଶକାରୀଙ୍କୁ ବାହାର କରିବା ଲାଗି  ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଏନଆରସି ଲାଗୁ କରାଯିବ। ତା’ ସହିତ ରାଜ୍ୟରେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

ଇସ୍ତାହାର ଘୋଷଣା ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଉପସ୍ଥିତ ଥିଲେ।

Comments are closed.