ପଶ୍ଚିମବଙ୍ଗରେ ବିଜେପିର ଚକ୍ରବ୍ୟୁହ ପ୍ରସ୍ତୁତ

ମହେଶ ଶର୍ମା

ବିଜେପିର ସମ୍ପୂର୍ଣ୍ଣ ଫୋକସ ଏବେ ପଶ୍ଚିମବଙ୍ଗ ଉପରେ। ରାଜ୍ୟର ୨୯୪ ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ଛିଡ଼ା କରି ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ଦଳ। ଏଥିପାଇଁ ନେତାମାନେ ଜୋରଦାର ଉଦ୍ୟମ ଚଳାଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହାର ରଣନୀତି ପ୍ରସ୍ତୁତ କରିଛି। ପୂରା ରାଜ୍ୟକୁ ୫ଟି ଜୋନରେ ବିଭକ୍ତ କରିଛି। ଏହି ଜୋନଗୁଡ଼ିକ ହେଉଛି ରାଢ଼ବଙ୍ଗ, ନବଦ୍ବୀପ, କଲକାତା, ମେଦିନୀପୁର ଏବଂ ଉତ୍ତର ବଙ୍ଗଳା। ଏଠାରେ ବଙ୍ଗାଳୀମାନଙ୍କ ବ୍ୟତୀତ ଉତ୍ତର ଭାରତୀୟ ବିହାରୀ, ମୁସଲମାନ ସମ୍ପ୍ରଦାୟ ଏବଂ ସେମାନଙ୍କ ସମସ୍ୟା ଉପରେ ବିଜେପି ଅଧିକ ଧ୍ୟାନ ଦେଉଛି।

କୁହାଯାଉଛି ଯେ, ନିର୍ବାଚନ ଯୁଦ୍ଧକ୍ଷେତ୍ରରେ ବିଜେପିର ଚକ୍ରବ୍ୟୁହକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ବାଧା ଦେବା କଷ୍ଟସାଧ୍ୟ ହୋଇପାରେ। ମମତାଙ୍କ ବିଧାୟକ ଓ ମନ୍ତ୍ରୀମାନେ ଦଳ ଛାଡି ବିଜେପିରେ ଯୋଗଦେଉଛନ୍ତି। ଯଦିଓ ଇସ୍ତଫା ଦେଇଥିବା କ୍ରୀଡ଼ା ମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଲା ଚୁପ୍ ଅଛନ୍ତି, କିନ୍ତୁ ଏହା ବୁଝାପଡ଼ୁଛି ଯେ ସେ ସୌରଭ ଗାଙ୍ଗୁଲିଙ୍କ ଇସାରାକୁ ଅପେକ୍ଷା କରିଛନ୍ତି। ମମତାଙ୍କ ପାଇଁ ଆଉ ଏକ ସମସ୍ୟା ହେଉଛି ଯେ ତାଙ୍କ ମୁସଲିମ୍ ଭୋଟ ବ୍ୟାଙ୍କରେ ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓୱେସୀଙ୍କ ପାର୍ଟି ଏବଂ କଂଗ୍ରେସ-ବାମଦଳଗୁଡ଼ିକର ମେଣ୍ଟ ବିଭାଜନ ସୃଷ୍ଟି କରିବାକୁ ପ୍ରସ୍ତୁତ ରହିଛନ୍ତି। ରାଜ୍ୟରେ ୧୨୫ ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ମୁସଲମାନ ଜନସଂଖ୍ୟା ମମତାଙ୍କର ସବୁଠୁ ବଡ଼ ଶକ୍ତି। ବର୍ତ୍ତମାନର ସର୍ଭେ ଅନୁସାରେ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି (ତୃଣମୂଳ କଂଗ୍ରେସ) ଏବେ ବି ଆରାମରେ ଆଗକୁ ବଢ଼ିଚାଲିଛନ୍ତି।

ବିଜେପି ୬ ବର୍ଷ ପୂର୍ବରୁ ଅର୍ଥାତ ୨୦୧୪ରୁ ପଶ୍ଚିମବଙ୍ଗକୁ ନିଜର ଟପ୍ ଏଜେଣ୍ଡାରେ ରଖିଛି। ତ୍ରିପୁରାର କମ୍ୟୁନିଷ୍ଟ ଗଡ଼କୁ ନିଜ କବ୍ଜାକୁ ନେବା ପରେ ବିଜେପି ନେତାମାନେ ବାମଦଳ ଏବଂ ଆଞ୍ଚଳିକ ଦଳ କ୍ଷମତାସୀନ ରାଜ୍ୟଗୁଡ଼ିରେ ସରକାର ଗଢ଼ିବାକୁ ଚେଷ୍ଟା ଚଳାଇଛନ୍ତି। ପଶ୍ଚିମବଙ୍ଗରେ ସମାନ ଢଙ୍ଗରେ ବିଜେପି ଅଗ୍ରସର ହେଉଛି। ଯଦିଓ ପ୍ରାରମ୍ଭରେ ଦଳକୁ ଏ ଦିଗରେ ସଫଳତା ମିଳି ନ ଥିଲା, ତେବେ ଦଳ ହାର ମାନି ନ ଥିଲା। ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାମାନଙ୍କ ସହ ଯୋଡ଼ିହେବା ସହିତ ଟିଏମସି ଏବଂ ଅନ୍ୟ ଦଳଗୁଡ଼ିକର ପ୍ରଭାବଶାଳୀ ନେତା ଓ କାର୍ଯ୍ୟକର୍ତ୍ତମାନଙ୍କୁ ନିଜ ଦଳକୁ ଆଣିବାରେ ବିଜେପି ସଫଳ ହୋଇଛି।

ଏହି କ୍ରମରେ ମମତାଙ୍କୁ ଗୁଡ୍ବାଏ କହି ପ୍ରଥମ ବଡ଼ ଝଟ୍କା ଦେଇଥିଲେ ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ସମର୍ଥକମାନେ। ଏହା ପରେ ଶୁଭେନ୍ଦୁ ନିଜ ସମର୍ଥକମାନଙ୍କ ସହିତ ବିଜେପିରେ ସାମିଲ ହୋଇଗଲେ। ବିଜେପିର ରଣନୀତିଜ୍ଞମାନେ ବିଗତ ବର୍ଷରେ ପଶ୍ଚିମବଙ୍ଗରେ ଦଳକୁ ମଜଭୁତ କରିବାରେ ସଫଳ ହୋଇଛନ୍ତି। ତୃଣମୂଳ ସ୍ତରରେ ଦଳର ପରିଚାଳନା ଆଜି ବି ଦୃଢ଼ ଥିବା ବିବେଚନା କରାଯାଏ। ୨୦୧୪ରେ ମୋଦୀ ଲହରି ସତ୍ବେ ଏଠାରେ ମାତ୍ର ୨ଟି ଆସନ ପାଇଥିବା ବିଜେପି ୨୦୧୬ ବିଧାନସଭା ନିର୍ବାଚନରେ ୧୦.୧୫ ପ୍ରତିଶତ ଭୋଟ ହାସଲ ସହିତ ୩ଟି ଆସନରେ ବିଜୟୀ ହୋଇଥିଲା। କିନ୍ତୁ ବିଜେପିର ଚାଣକ୍ୟ କୁହାଯାଇଥିବା ଅମିତ ଶାହ ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ଫୋକସ୍ କରିବା ପରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୧୮ ଆସନ ହାତେଇଲା। ଏହି ନିର୍ବାଚନରେ ଦଳକୁ ୨ କୋଟି ୩୦ ଲକ୍ଷ ଭୋଟ ମିଳିଥିଲା, ଯାହା ଟିଏମସି ତୁଳନାରେ ମାତ୍ର ୧୭ ଲକ୍ଷ କମ୍ ଥିଲା।

ବିଜେପିର ରଣନୀତିଜ୍ଞମାନେ ସଂଗଠନକୁ ମଜଭୁତ କରିବାରେ ମାହିର ନେତାମାନଙ୍କୁ ଜୋନ୍ୱାରୀ ଦାୟିତ୍ବ ଦେଇଛନ୍ତି। ଏହି ନେତାମାନେ ଗତ ୬ମାସ ହେବ କଠିନ ପରିଶ୍ରମ ଜାରି ରଖିଛନ୍ତି। ଏମାନଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟର ସାଧାରଣ ସମ୍ପାଦକ (ସଂଗଠନ)ମାନେ ରହିଛନ୍ତି। ସେମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ବ ଦିଆଯାଇଛି। ଗୁଜରାଟର ସାଧାରଣ ସମ୍ପାଦକ ଭିକୁଭାଇ ଦଲସାନିଆଙ୍କୁ ଜୋନରେ ସଂଗଠନକୁ ମଜଭୁତ କରିବାର ଦାୟିତ୍ବ ପ୍ରଦାନ କରାଯାଇଛି। ବୁଥ ସ୍ତରରେ ସୁକ୍ଷ୍ମ ପରିଚାଳନା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଏକାଠି କରି ସେମାନଙ୍କୁ ପ୍ରସ୍ତୁତ କରିବା ଏହି ସାଧାରଣ ସମ୍ପାଦକମାନଙ୍କ କାର୍ଯ୍ୟ। ଏହି ପ୍ରଭାରୀମାନଙ୍କୁ ନିଜ ନିଜ ଜୋନର ସ୍ଥାନୀୟ ପ୍ରସଙ୍ଗ ଏବଂ ଜାତିଗତ ସମୀକରଣକୁ ଗଭୀର ଭାବେ ବୁଝିବା ସହିତ ଆଶାୟୀ ପ୍ରାର୍ଥୀ ପାଇଁ ଦାବିଦାର ନେତାଙ୍କର ବର୍ତ୍ତମାନର ସ୍ଥିତି ଏବଂ ସେମାନଙ୍କ ପ୍ରଭାବ ସମୀକ୍ଷା କରିବାକୁ ପଡ଼ିବ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଭାରୀ ଦାୟିତ୍ବରେ ଥିବା ସାଧାରଣ ସମ୍ପାଦକମାନଙ୍କୁ କୁହାଯାଇଛି ଯେ, ସେମାନେ ନିଜ ନିଜ କାର୍ଯ୍ୟର ପାୱାର ପ୍ରେଜେଣ୍ଟେଶନ ପ୍ରତି ସପ୍ତାହରେ ପ୍ରସ୍ତୁତ କରିବେ। ଯାହାଫଳରେ ଜୋନ୍ଗୁଡ଼ିକରେ ବିଜେପିର ସ୍ଥିତି କେଉଁ ପର୍ଯ୍ୟନ୍ତ ଆଗେଇଛି ତାହାର ଆକଳନ କରାଯାଇପାରିବ। ତୃଣମୂଳସ୍ତରରେ କେତେ ଲୋକଙ୍କୁ ବିଜେପି ସପକ୍ଷରେ ଅଣାଯାଇଛି ତାହାର ତଥ୍ୟ ବି ମଗାଯାଇଛି। ବୁଥ ସ୍ତରରେ କାର୍ଯ୍ୟକର୍ତ୍ତାମାନଙ୍କ ପ୍ରଶିକ୍ଷଣ ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ତଥା ସରକାର ଉପରେ ଚାପ ପକାଇବା କାର୍ଯ୍ୟ ବି ଏଥିରେ ସାମିଲ ରହିଛି। ଏହାବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା, ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ ଲଗାତାର ଭାବେ ରାଜ୍ୟକୁ ଗସ୍ତ କରୁଛନ୍ତି।

ବିଜେପିର ଯୁଦ୍ଧ କକ୍ଷର ଯୋଦ୍ଧା
ସଂଗଠନ ବିଶେଷଜ୍ଞମାନେ ପଶ୍ଚିମବଙ୍ଗକୁ ପାଞ୍ଚଟି ଜୋନରେ ବିଭକ୍ତ କରି ବିଭିନ୍ନ ନେତାଙ୍କୁ ତାହାର ଦାୟିତ୍ବ ଦେଇଛନ୍ତି। ସେମାନେ ହେଲେ ରବୀନ୍ଦ୍ର ରାଜୁ ଏବଂ ବିନୋଦ ସୋନକର (ରାଢ଼ବଙ୍ଗ ଜୋନ୍), ଭିକ୍କୁ ଭାଇ ଦଲସାନିୟା, ବିନୋଦ ତାୱଡେ (ନବଦ୍ୱୀପ ଜୋନ୍), ସୁନୀଲ ବନସାଲ ଏବଂ ଦୁଷ୍ୟନ୍ତ ଗୌତମ (କଲକାତା ଜୋନ୍), ପୱନ ରାଣା ଏବଂ ସୁନୀଲ ଦେଓଧର (ମେଦିନୀପୁର ଜୋନ୍), ହରିଶ ଦ୍ୱିବେଦୀ (ଉତ୍ତର ବଙ୍ଗଳା)। ପ୍ରତ୍ୟେକ ସାଧାରଣ ସମ୍ପାଦକଙ୍କୁ ସଂଗଠନ ସହିତ ପ୍ରଭାରୀ ଦାୟିତ୍ବ ବି ଦିଆଯାଇଛି। ଆସନ ଅନୁଯାୟୀ ଜାତିଗତ ସମୀକରଣକୁ ବୁଝିବା ଏବଂ ସଂଗଠନ ତଥା ବୁଥକୁ ମଜବୁତ କରିବା ଏମାନଙ୍କ କାର୍ଯ୍ୟ।

Comments are closed.