ବିଜେପିର ନୂଆ ରଣନୀତି : ଫୋକସରେ ଉପକୂଳ ଓଡ଼ିଶା

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଓଡ଼ିଶା ସଂଗଠନକୁ ମଜଭୁତ କରିବା ଲାଗି ପ୍ରଥମ ଥର ପାଇଁ ଚାରି ଜଣ ଓଡ଼ିଆଙ୍କୁ ନବଗଠିତ ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ସ୍ଥାନ ମିଳିଛି। ଜଗତ ପ୍ରକାଶ ନଡ୍ଡାଙ୍କ ଟିମରେ ସ୍ଥାନ ପାଇଥିବା ସମସ୍ତ ନେତା ଉପକୂଳ ଓଡ଼ିଶାର। ପଦାଧିକାରୀ ତାଲିକାରୁ ମିଳିଥିବା ରାଜନୈତିକ ବାର୍ତ୍ତା ଅନୁଯାୟୀ ଏଣିକି ଉପକୂଳ ଓଡ଼ିଶା ଆଗାମୀ ଦିନରେ ବିଜେପି ଫୋକସରେ ରହିବ। ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭାକୁ ଜିତିଥିବା ୮ଜଣ ବିଜେପି ସାଂସଦଙ୍କ ମଧ୍ୟରୁ ୩ଜଣ ଉପକୂଳ ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ। ପୂର୍ବରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ଏବେ ପାର୍ଟି ଅନ୍ୟ ଦୁଇ ସାଂସଦ ଅର୍ଥାତ୍‍ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡ଼ୁଙ୍କୁ ନବଗଠିତ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ପ୍ରଥମ ଥର ପାଇଁ ସାମିଲ କରିଛି। ସେହିପରି ପଦାଧିକାରୀ ତାଲିକାରେ ସ୍ଥାନ ପାଇ ଥିବା ଅନ୍ୟ ଦୁଇ ଜଣ ୨୦୧୯ ସାଧରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଓ ପୁରୀ ଲୋକସଭା ଆସନରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ବିତା କରି ପରାଜିତ ହୋଇଥିଲେ।
ଅପରପକ୍ଷେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଭାବେ ପୂର୍ବରୁ କାର୍ଯ୍ୟ କରି ଆସୁଥିବା ବରଗଡ଼ ସାଂସଦ ସୁରେଶ ପୁଜାରୀଙ୍କୁ ନବଗଠିତ ଟିମ୍‌ରୁ ବାଦ ଦେଇଛନ୍ତି ପାର୍ଟି ନେତୃତ୍ୱ। ପଶ୍ଚିମ ଓଡ଼ିଶାର ୫ଜଣ ସାଂସଦଙ୍କ ମଧ୍ୟରୁ ନବଗଠିତ ରାଷ୍ଟ୍ରୀୟ ପଦାଧିକାରୀ ଟିମ୍‌ରେ କାହାରିକୁ ସ୍ଥାନ ମିଳିନାହିଁ। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ବରିଷ୍ଠ ଆଦିବାସୀ ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ ନବଗଠିତ ରାଷ୍ଟ୍ରୀୟ ଟିମ୍‌ରେ ସ୍ଥାନ ପାଇବାକୁ ସକ୍ଷମ ହୋଇପାରିନାହାନ୍ତି। ମୟୂରଭଞ୍ଜ ସାଂସଦ ଇଂ. ବିଶେଶ୍ୱର ଟୁଡ଼ୁଙ୍କୁ ରାଷ୍ଟ୍ରୀୟ ସଂପାଦକ ଦାୟିତ୍ୱ ଦେଇ ପାର୍ଟି ସଙ୍କେତ ଦେବାକୁ ଚାହିଁଛି ଯେ ଜାତୀୟ ରାଜନୀତିରେ ଏଣିକି ନୂଆ ଆଦିବାସୀ ନେତାଙ୍କୁ ପାର୍ଟି ଗୁରୁତ୍ୱ ଦେବ। ସରକାରୀ ଚାକିରି ଛାଡ଼ି ସାଂସଦ ଭାବେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ଶ୍ରୀ ଟୁଡ଼ୁଙ୍କ ଉପରେ ପାର୍ଟିର ଭରସା ସ୍ପଷ୍ଟ ଭାବେ ବାରି ହେଇ ପଡ଼ୁଛି। ସେହିପରି ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ହାରିଥିବା ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି।
ପୂର୍ବରୁ ବୈଜୟନ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ଦୁଇଟି ଦାୟିତ୍ୱ ତୁଲାଉଥିଲେ। ଦାୟିତ୍ୱରେ କାଣ୍ଟଛାଟ କରି ତାଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ହଟାଇ ଦେଇଛନ୍ତି ବିଜେପି ନେତୃତ୍ୱ। ଫଳରେ ଏଣିକି କେବଳ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ କାର୍ଯ୍ୟ କରିବେ ଶ୍ରୀ ପଣ୍ଡା। ସେହିପରି ୨୩ ଜଣିଆ ରାଷ୍ଟ୍ରୀୟ ପ୍ରବକ୍ତା ତାଲିକାରେ ଦୁଇ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ୨୦୧୯ ସାଧରଣ ନିର୍ବାଚନରେ ବିଜେପି ଟିକଟରେ ପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ବିତା କରିଥିବା ଡାକ୍ତର ସମ୍ବିତ ପାତ୍ର ପୂର୍ବଭଳି ରାଷ୍ଟ୍ରୀୟ ପ୍ରବକ୍ତା ସ୍ଥାନ ବଜାୟ ରଖିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ମିଳିଛି ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସାମିଲ ହେବାକୁ ଆଶାୟୀଙ୍କ ମଧ୍ୟରେ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚାରେ ରହିଥିଲା। ଆଇଏଏସ୍‌ ଚାକିରି ଛାଡ଼ି ରାଜନୀତିରେ ସାମିଲ ହୋଇଥିବା ଅପରାଜିତାଙ୍କୁ ପ୍ରଥମେ ସଂଗଠନ ଲାଗି କାମ କରିବାକୁ ପାର୍ଟି କହିଛି। ନୂଆ ଦାୟିତ୍ୱ ଘୋଷଣା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କର ସାମିଲ ହେବା ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ୨୦୧୪ରୁ ୨୦୧୯ ମଧ୍ୟରେ ପଶ୍ଚିମ ଓଡ଼ିଶାକୁ ଫୋକସ କରିବା ଦ୍ୱାରା ସାଧାରଣ ନିର୍ବାଚନରେ କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ସମସ୍ତ ୫ଟି ଲୋକସଭା ଆସନରେ ସଫଳତା ପାଇଥିବା ବିଜେପି। ଦୀର୍ଘଦିନ ଧରି ବିଜେଡିର ମଜଭୁତ ଗଡ଼ ଭାବେ ପରିଚିତ ଉପକୂଳ ଓଡ଼ିଶାକୁ କବ୍‍ଜା କରିବା ଲାଗି ପାର୍ଟିର ନୂତନ ରଣନୀତି ଅନୁଯାୟୀ ଏଣିକି ଫୋକସ କରିବ ବିଜେପି। ନୂତନ ଟିମ୍‌ ଘୋଷଣା ପରେ ଉପକୂଳ ଓଡ଼ିଶାରେ ବିଜେପି ଅଧିକ ମଜଭୁତ ହେବ ଏବଂ ଶାସକ ବିଜେଡିକୁ ଆଗାମୀ ଦିନରେ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଦଳୀୟ ନେତା ଆକଳନ କରୁଛନ୍ତି।

Comments are closed.