ବିଜେପିର ଜିଲା କାର୍ଯ୍ୟକାରିଣୀ ବୈଠକ ; ରାଜ୍ୟ ସରକାରଙ୍କୁ କଡା ସମାଲୋଚନା  

ନବରଙ୍ଗପୁର : ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ନୂତନ କମିଟିର ପ୍ରଥମ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଅଧ୍ୟକ୍ଷତାକରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଶତାଧିକ ଯୋଜନା ଲୋକଙ୍କର ନିକଟରେ ପହଞ୍ଚାଇବାକୁ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ କରିଥିଲେ। ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ ଯୋଗଦେଇ କେନ୍ଦ୍ର ବିଜେପି ସରକାରଙ୍କର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବହୁ ଜନହୀତକର କେନ୍ଦ୍ରୀୟ ଯୋଜନା ସଂପର୍କରେ ଅବଗତ କରାଇବା ସହ ରାଜ୍ୟ ବିଜେଡି ସରକାରର ଅପରାଗତା ସଂପର୍କରେ କହିଥିଲେ।  ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚାଇଥିଲେ। ପୂର୍ବତନ ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ ଜିଲାର ବିଜେପି ସାଙ୍ଗଠନିକ ବୃଦ୍ଧି ବିଷୟରେ କହିବା ସହ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ବିଜେଡି ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ସଂପର୍କରେ କହିବା ସହ କେନ୍ଦ୍ର ସରକାରଙ୍କର ଗରିବ କଲ୍ୟାଣ ଯୋଜନା ଲୋକଙ୍କର ନିକଟରେ ପହଞ୍ଚାଇବାକୁ କହିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା ନାୟକ କୋରାନାର ମୁକାବିଲା ପାଇଁ ଦଳର କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ। ଜିଲାସାଧାରଣ ସମ୍ପାଦକ ଅଚ୍ୟତାନନ୍ଦ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ। ପୂର୍ବତନ ଜିଲାସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଜୈନ, ଜିଲା ସାଧାରଣ ସମ୍ପାଦକ ତଥାରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ ଓ ପଦ୍ମନ ନାୟକ ପ୍ରମୁଖ ମଞ୍ଚାସୀନ ରହିଥିବାବେଳେ ଜିଲା ପରିଷଦ ସଦସ୍ୟା ପ୍ରିତିସ୍ନିଗ୍ଧା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସର୍ବସମ୍ମତି କ୍ରମେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କରାଯାଇଥିଲା। ନବରଙ୍ଗପୁର ଜିଲା କୃଷି ପ୍ରଧାନ ହୋଇଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରର ପାଣି ତଳମୁଣ୍ଡକୁ ଆସୁନାହିଁ। ଜିଲାର ଟୁରୀ, ଗୁନଠାଟ, ଭାସ୍କେଲ,ଅଙ୍ଗୀ, ଓ ତେଲ ନଦୀ ରହିଛି। ତେବେ ରାଜ୍ୟ ସରକାରଙ୍କର ଇଚ୍ଛାଶକ୍ତି ଅଭାବରୁ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନଥିବାରୁ ଜିଲାରେ ଜଳସେଚନର ସୁବିଧା ହୋଇପାରୁନି। ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ୍ୟସରକାରଙ୍କୁ ନିନ୍ଦା କରାଯାଇଛି। ଜିଲାରେ ମକା କାରଖାନା ଓ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି କରାଯାଇଛି। ଜିଲାରେ ବହୁ ଶିକ୍ଷକ ପଦବୀ ଖାଲି ରହିଛି। ଜିଲାର ସର୍ବପୁରାତନ ନବରଙ୍ଗପୁର କଲେଜ ୫୦ବର୍ଷ ପରେ ମଧ୍ୟ ସରକାରୀ ମାନ୍ୟତା ପାଇ ପାରିନାହିଁ। ବିଇଡି କଲେଜ, ମେଡିକାଲ କଲେଜ, ଖୋଲାଯିବାକୁ ଦାବି କରାଯାଇଛି। ଜିଲାରେ ଶତାଧିକ ଖାଲିଥିବା ଡାକ୍ତର ଓ ବିଶେଷଜ୍ଞ, ନର୍ସ  ଓ ଟେକନିସିଆନ ପଦବୀ ତୁରନ୍ତ ପୂରଣ କରିବାକୁ ଦୃଢ ଦାବି କରାଯାଇଛି। ଜିଲାରେ ସ୍ୱଚ୍ଛା ଭରତ ଯୋଜନାରେ ପାଇଖାନାର ଦୁର୍ନୀତି, ନିମ୍ନମାନର ଛତୁଆ ଯୋଗାଣ, ଏମଜିଏନଆରଇଜିଏଏସ ଯୋଜନାରେ ଶ୍ରମିକ ନାଁରେ ମିଥ୍ୟାବିଲ କରି ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇଥିବାବେଳେ ଚୋରି ଡକାୟତି ବଢିବାରେ ଲାଗିଛି। ଥାନାକୁ ଗଲେ ଗାରିବଙ୍କୁ ନ୍ୟାୟ ମିଳୁନି।  ବେକାରୀ ସମସ୍ୟା ବଢି ଚାଲିଥିବାବେଳେ କର୍ମନିଯୁକ୍ତି ଦିଆଯାଉନି। ତୃତୀୟ ଓ ଚତୁର୍ଥଶ୍ରେଣୀ ପଦବୀରେ ଜିଲାର ବେକାରୀଙ୍କୁ ନିଯୁକ୍ତି ଦେବାକୁ  ଦାବି  କରାଯାଇଛି। ଜିଲାରେ ପର୍ଯ୍ୟଟନର ବିକାଶ ସହ ଇକୋ ଟ୍ୟୁରିଜିମ ପାଇଁ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରାଯାଇଛି। ସମସ୍ତ ଦାବିକୁ ରାଜ୍ୟସରକାର ପୂରଣ ନ କଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଏହାର କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଉଲ୍ଲେଖ କରାଯାଇଛି। ଅନ୍ୟମାନଙ୍କର ମଧ୍ୟରେ ଜିଲା ଉପସଭାପତି ସୁରେନ୍ଦ୍ର କୁମାର ବିଷୋୟୀ, ସନାତନ ତ୍ରିପାଠୀ, ଶିବନାଥ ବାନାର୍ଜୀ, ଜିଲା ସମ୍ପାଦକ ସୀମାଞ୍ଚଳ ବିଷୋୟୀ, ଫିରୋଜ ଷଡଙ୍ଗୀ ଓ  ଶଙ୍କର ଷଡଙ୍ଗୀ ଙ୍କର ସମେତ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶମିଷ୍ଠା ଦେଓ, ଜିଲା ପଛୁଆବର୍ଗ ସଭାପତି ଦୈତାରୀ ମାଝୀ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅରଉର ପୂଜାରୀ , ଜିଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମଘନ ମାଝୀ, ଜିଲା ହରିଜନ ମୋର୍ଚ୍ଚା ସଭାପତି ପରିମଲ ମଣ୍ଡଳଙ୍କର ସମେତ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ନିମନ୍ତ୍ରୀତ ସଦସ୍ୟ ଓ ସମସ୍ତ ମଣ୍ଡଳ ସଭାପତି ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Comments are closed.