ରାଜଭବନ ସମ୍ମୁଖରେ ବସିଲା ବିଜେପି: ମନ୍ତ୍ରୀ ଅରୁଣଙ୍କ ବହିଷ୍କାର, ସିବିଆଇ ଦ୍ୱାରା ପରୀ ହତ୍ୟାକାଣ୍ଡ ତଦନ୍ତ ଦାବି

ଭୂବନେଶ୍ୱର: ପରୀ ହତ୍ୟାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେପି । ଅନ୍ୟପକ୍ଷରେ ଦଳର ମହିଳା ମୋର୍ଚା ପ୍ରତିନିଧିମାନେ ରାଜ୍ୟପାଳଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଦଳ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ ରାଜ୍ୟ ସରକାର ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ‘ପରୀ ରଥ‘ ବୁଲାଉଥିବା ବେଳେ ଅନ୍ୟ ପଟେ ଅପହରଣ କରାଯାଇ ହତ୍ୟା ହୋଇଥିବା ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀର ବାପା, ମାଁ ଏ ଅଫିସରୁ ସେ ଅଫିସ ଦୈାଡି ଦୈାଡି ନୟାନ୍ତ ହୋଇପଡିଥିଲେ। ନ୍ୟାୟ ନମିଳିବାରୁ ଶେଷରେ ସେମାନେ ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଦୁର୍ଭାଗ୍ୟଜନକ ଯେତେବେଳେ ପ୍ରଥମେ ଖୋଦ୍‍ ରାଜ୍ୟ ପୋଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରୁନଥିଲେ, ଏହି ଅଭାବନୀୟ ଘଟଣା ପରେ ମାମଲାର ପ୍ରଥମେ କ୍ରାଇମବ୍ରାଂଚ ଓ ପରେ ଏସଆଇଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ଏହି ଘଟଣାରେ ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚ ଶିକ୍ଷା ବିଭାଗର କ୍ୟାବିନେଟ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ନେଇ ପରୀର ବାପା, ମାଁ ସିଧାସଳଖ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ଏସଆଇଟି ତଦନ୍ତକୁ ମନ୍ତ୍ରୀ ପଦରେ ଥିବା କାରଣରୁ ଅରୁଣ ସାହୁ ପ୍ରଭାବିତ କରିବେ। ଅନ୍ୟ ପଟେ ଏସଆଇଟି ତଦନ୍ତକାରୀ ଦଳ ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ଛୁଇଁ ପାରିବେ ତ, ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପରୀ ନ୍ୟାୟ ପାଇଁ ପ୍ରଥମେ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ଏହି ହତ୍ୟାକାଣ୍ଡର ସତ୍ୟାସତ୍ୟ ପର୍ଦ୍ଦଫାଶ ପାଇଁ ସିବିଆଇ ଦ୍ୱାରା ସଂପୂର୍ଣ୍ଣ ଘଟଣାର ତଦନ୍ତ ହେଉ।

ଦଳ ପକ୍ଷରୁ କୁହାଯାଇଛି ଯେ  ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାର ଅଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ସାହୁ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ସ୍ଥାନୀୟ ସରପଂଚଙ୍କ ସହ ବାର୍ତାଳପରୁ ସ୍ପଷ୍ଟ ହୋଇଛି। ମନ୍ତ୍ରୀ ଶ୍ରୀ ସାହୁ ସ୍ଥାନୀୟ ସରପଂଚଙ୍କୁ ସିଧାସଳଖ ଧମକ ଦେବା ସହ ଆନ୍ଦୋଳନକୁ ଚାପିବାକୁ ଉଦ୍ୟମ କରୁଛନ୍ତି। ବାର୍ତାଳପର ଏହି ଅଡିଓ ଭାଇରାଲ ହେବା ସତ୍ୱେ ରାଜ୍ୟ ଗୃହ ବିବାଗ ପକ୍ଷରୁ ମନ୍ତ୍ରୀଙ୍କୁ ଏଯାଏଁ ତଦନ୍ତ ପରିସରଭୁକ୍ତ କରାନଯିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଏହା କ’ଣ ପରୀ ହତ୍ୟାକାଣ୍ଡର ପ୍ରମାଣ ନୁହେଁ କି ବୋଲି ରାଜ୍ୟ ସଭାପତି  ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ ପୋଲିସ ପକ୍ଷରୁ ପରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲାଂଚ ଯାଚି ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା ହୋଇଥିବାର ଅଭିଯୋଗ ହୋଇଛି। ସାମାନ୍ୟ ଅଟୋଚାଳକର ଝିଅ ହୋଇଥିବାରୁ ପରୀକୁ କଣ ନ୍ୟାୟ ମିଳିବ ନାହିଁ ବୋଲି ଗଣଧାରଣାରେ ଯୋଗ ଦେଇ ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ନୟାଗଡ ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକରଙ୍କ ପାଇଁ ପୋଲିସ ଘଟଣାକୁ ଦିଗହରା କରିଛି। ସ୍ଥାନୀୟ ଥାନାଧିକାରୀ ଘଟଣାକୁ ଗୁରୁତର ସହ ଗ୍ରହଣ କରିନାହାନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ତରଫରୁ ବିଧାନସଭା ଅଧିବେଶନରେ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ବିଧାନସଭା ଗୃହରେ ନୀରବ ରହିବା ଓ କେବଳ ବିବୃତି ଦେଇ କାର୍ଯ୍ୟ ସାରିଦେବା ଘଟଣାକୁ ଜଟିଳ କରିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ତଦନ୍ତ ପ୍ରକ୍ରିୟା ହାଇକୋର୍ଟର କେଉଁ ବିଚାରପତିଙ୍କ ତତ୍ୱାବଧାନରେ ହେଉଛି? ଏହାକୁ ନେଇ ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି।

ପରୀକୁ ନ୍ୟାୟ, ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ଏବଂ ପରୀ ହତ୍ୟାକାଣ୍ଡର ସିବିଆଇ ଦ୍ୱାରା ତଦନ୍ତ ଦାବି କରି ରାଜଭବନ ସମ୍ମୁଖରେ ଅନୁଷ୍ଠିତ ଏହି ଗଣଧାରଣାରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ଡ.ଯତୀନ ମହାନ୍ତି, ଠାକୁର ରଣଜିତ ଦାସ, ଏସସି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ, ସଂଖ୍ୟାଲଘୁ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ସୁରଥ ବିଶ୍ୱାଳ, ଦିଲୀପ ମଲ୍ଲିକ, ବାବୁ ସିଂ, ଜଗନ୍ନାଥ ପ୍ରଧାନ, ଗୈାତମ ରାୟ, ହରେକୃଷ୍ନ ଖୁଂଟିଆ, ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।

ଏହାପରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନିତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ପ୍ରବକ୍ତା ସୋନାଲୀ ସାହୁ, ଉର୍ମିଳା ମହାପାତ୍ର, କସ୍ତୁରୀ ମିଶ୍ର, ଅନୁ ଚୈାଧୁରୀ, ମନସ୍ମିତା ଖୁଂଟିଆ, ରଶ୍ମୀରେଖା ଦାଶ, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ସୁଜାତା ପାଢୀ ପ୍ରମୁଖ ସାମିଲ ଥିଲେ।

Comments are closed.