ରାଜ୍ୟ ବିଜେପି ନେତା ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି : ବିଜେଡ଼ି

ଭୁବନେଶ୍ବର: ରାଜ୍ୟ ବିଜେପି ନେତା ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ଓ ମିଥ୍ୟା ସୂଚନା ଦେଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡ଼ି । ରାଜ୍ୟରେ ପକ୍କାଘର ନିର୍ବାଣ ନିମନ୍ତେ କେନ୍ଦ୍ରରେ ବିଜେପି ସରକାର ଓଡ଼ିଶାକୁ ପୁରସ୍କାର ଦେଉଥିବାବେଳେ ରାଜ୍ୟ ବିଜେପି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ଶ୍ରୀ ପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଦାର୍ଯ୍ୟ ସମୟ ମଧ୍ୟରେ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଏଥିପାଇଁ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡ଼ିଏ ସରକାର ଓଡ଼ିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ପୁରସ୍କୃତ କରିଛନ୍ତି । ମାତ୍ର ଓଡ଼ିଶାର ବିଜେପି ନେତାମାନେ ରାଜ୍ୟ ସରକାରଙ୍କ ସଫଳ କାର୍ଯ୍ୟ ସହ ଦିଲ୍ଲୀରେ ଥିବା ବିଜେପି ନେତୃତ୍ବାଧୀନ ସରକାରଙ୍କ କାର୍ଯ୍ୟକୁ ବି ପାଶୋରି ଦେଇଛନ୍ତି ।

ଓଡ଼ିଶା ବିଜେପି ନେତାମାନେ ଦିଲ୍ଲୀ ଶାସନରେ ଥିବା ସେମାନଙ୍କ ସରକାରଙ୍କଠାରୁ ଗୃହ ନିର୍ମାଣ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ ବୋଲି ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି । ଯଦି କେଉଁଠି କିଛି ସମସ୍ୟା ରହିଛି ବା ନିର୍ଦିଷ୍ଟ ଅଭିଯୋଗ ରହିଛି ସେ ସମ୍ପର୍କରେ ବିଜେପି ନେତାମାନେ ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ଆବଶ୍ୟକ । ମାତ୍ର ନିର୍ଦିଷ୍ଟ ତଥ୍ୟପ୍ରମାଣ ନ ଥାଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ଅପଚେଷ୍ଟାରୁ କରିବା ଅନୁଚିତ୍ । ଏପରି ଦାୟିତ୍ବହୀନ ଓ ଦୁର୍ଭାଗ୍ୟଜନକ ମନ୍ତବ୍ୟ ଯୋଗୁଁ ରାଜ୍ୟ ବିଜେପି ଓଡ଼ିଶାବାସୀଙ୍କ ବିଶ୍ବାସ ହରାଉଛି ଓ ଲୋକମାନେ ଏହି ଦଳକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଏପରି ଆଚରଣ ଜାରି ରହିଲେ ରାଜ୍ୟବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ ଚେତାଇ ଦେଇଛନ୍ତି  ।

Comments are closed.