ବିଜେଡି-ବିଜେପି ମୁହାମୁହିଁ

0

ପିପିଲି : ପିପିଲି ପୌରାଞ୍ଚଳରେ ଶୁକ୍ରବାର ବିଜେଡିର ପଦଯାତ୍ରା ଚାଲିଥିବା ବେଳେ ବିଜେପି ପକ୍ଷରୁ ଶୋଭାଯାତ୍ରା ଓ ବ୍ଲକ ଘେରାଓ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ୩ଟି ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ ଗଣ୍ଡଗୋଳିଆ ପରିସ୍ଥିତି ଏଡାଇ ହୋଇପାରିଥିବା ସାଧାରଣରେ ଆଲୋଚନା ହେଉଛି।

ଶୁକ୍ରବାର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ ଦଳୀୟ ନେତୃ ବୃନ୍ଦ, କର୍ମୀ ଓ ସମର୍ଥକଙ୍କ ସହ ପିପିଲି ପୌରାଞ୍ଚଳର ୧୬ଟି ୱାର୍ଡରେ ପଦଯାତ୍ରା କରିଥିଲେ। ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ସମର୍ଥକ ମାନେ ବିଭିନ୍ନ ଦୁର୍ନିତି ପ୍ରସଙ୍ଗରେ ବ୍ଲକ ଘେରାଓ କରିବା ପାଇଁ ସଙ୍କଟମୋଚନ ହନୁମାନ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ। ଉଭୟ ଦଳର କାର୍ଯ୍ୟକ୍ରମ ପିପିଲି ଏନ୍‍ଏସି ଅଞ୍ଚଳ ମଧ୍ୟରେ ଏକ ସଙ୍ଗରେ ଚାଲିଥିଲା। ବିଜେପି ଶୋଭାଯାତ୍ରା ପିପିଲି ହାଟ ଟ୍ରାଫିକ ଛକ ଠାରେ ପହଞ୍ଚିବା ସମୟରେ ବିଜେଡିର ଶୋଭାଯାତ୍ରା ମଧ୍ୟ ସେହି ସମୟରେ କଲେଜଛକ ଦେଇ ହାଟଛକ ଟ୍ରାଫିକ ପୋଷ୍ଟ ନିକଟରେ ପହଞ୍ଚି ସାରିଥିଲା। ସେଠାରେ ଉଭୟ ଦଳର କର୍ମୀମାନେ ପରସ୍ପର ବିରୋଧରେ ନାରାବାଜି କରୁଥିବା ବେଳେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୧୫ମିନିଟ କାଳ ଏଭଳି ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମନ୍ତ୍ରୀ ଶ୍ରୀ ମହାରଥୀ ମାଇକ ଯୋଗେ ନିଜର କର୍ମୀମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ। ଉଭୟ ଦଳ ଗୋଟିଏ ଦିଗରେ ଯିବାକୁ ଥିବା ବେଳେ ଆଇଆଇସି ଶରତ କୁମାର ସାହୁ ଉଭୟ ଶୋଭାଯାତ୍ରାକୁ ନିୟନ୍ତ୍ରଣ କରି ଆଗକୁ ନେଇଥିଲେ। ପରେ ପଦାସାହି ଛକ ଠାରେ ମଧ୍ୟ ଉଭୟ ଦଳ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ ସେଠାରେ ମଧ୍ୟ ଉଭୟ ଶୋଭାଯାତ୍ରାକୁ ନିୟନ୍ତ୍ରଣ କରି ଆଗକୁ ନେଇଥିଲା। ପରେ ପିପିଲି ଶିରିଆପୁର ଛକ ଠାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବ୍ଲକ ଘେରାଉ ଓ ପ୍ରତିବାଦ ସଭା ଚାଲୁଥିବା ବେଳେ ସେହି ସମୟରେ ପୁନର୍ବାର ବିଜେଡିର ଶୋଭାଯାତ୍ରା ସେହିବାଟ ଦେଇ ଶିରିଆପୁର ଗ୍ରାମକୁ ଯାଇଥିଲା। ସେଠାରେ ମଧ୍ୟ ଉଭୟ ଦଳ ମଧ୍ୟରେ ଏକପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା। ଗୋଟିଏ ଦିନରେ ଦୁଇଟି ଦଳର ଶୋଭାଯାତ୍ରା ଗୋଟିଏ ଅଞ୍ଚଳ ମଧ୍ୟରେ ଏକ ସଙ୍ଗରେ ହେବା ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଥିଲା। ପରିସ୍ଥିତିକୁ ସମ୍ଭାଳିବାରେ ପୁଲିସକୁ ଏକପ୍ରକାର ନାକେଦମ ହେବାକୁ ପଡିଥିଲା। ପିପିଲି ଆଇଆଇସି ଶ୍ରୀ ସାହୁଙ୍କ ସମେତ ବଳଙ୍ଗା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଅଶୋକ କୁମାର ଗୋଚ୍ଛାୟତ, ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରାଙ୍କ ସମେତ୨ପ୍ଲାଟୁନ ଫୋର୍ସ ମୂତୟନ ଥିଲେ।

Leave A Reply