କରୋନା ପରୀକ୍ଷା: ସରକାରଙ୍କୁ ବିଜେପିର କଟାକ୍ଷ; ଜବାବ ଦେଲା ବିଜେଡ଼ି

ଭୁବନେଶ୍ବର: ଦୀର୍ଘ ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡ଼ି । ଏଥର ପ୍ରସଙ୍ଗ ରହିଛି କରୋନା ପରୀକ୍ଷା । ଏହି ପ୍ରସଙ୍ଗକୁ ନେଇ ବିଜେପି ସାଧାରଣ ସମ୍ପାଦକ ଗୋଲୋକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କଡ଼ା ସମାଲୋଚନା କରିଛନ୍ତି । ସରକାରଙ୍କ ଘୋଷଣା ଅନୁସାରେ କାହିଁକି ଦିନକୁ ୧୫ ହଜାର ପରୀକ୍ଷା କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ବିଜେପିର ପ୍ରଶ୍ନ ଓ ଅଭିଯୋଗକୁ ତୁରନ୍ତ ଖଣ୍ଡନ କରିଛି ବିଜେଡ଼ି । ଦଳର ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ବିଜେପି ନେତାମାନେ ପ୍ରଥମେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ପଢ଼ନ୍ତୁ ବୋଲି ଉଲ୍ଲେଖ କରି ଗୋଲୋକ ଫିଙ୍ଗିଥିବା ପ୍ରଶ୍ନର ବଲକୁ ପୁଣି ତାଙ୍କରୁ ଆଡ଼କୁ ଫେରାଇ ଦେଇଛନ୍ତି ।

ଆଜି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ନିଜ ପିଠି ନିଜେ ଥାପୁଡ଼ାଇ ବାହାବା ନେଉଛନ୍ତି ବୋଲି ତେରଛା ବାଣ ମାରିଥିଲେ । କହିଥିଲେ ରାଜ୍ୟରେ କରୋନା ସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି  । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ  ପ୍ରତ୍ୟେକ ଦିନ ୧୫ ହଜାର ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ; କିନ୍ତୁ ଅଫିସରମାନେ ଏ ଦିଗରେ ଧ୍ୟାନ ଦେଉ ନାହାନ୍ତି । ଆବଶ୍ୟକ ପରିମାଣର କରୋନା ପରୀକ୍ଷା ହେଉନାହିଁ ।  କେବଳ ସାମ୍ବାଦିକ ସମ୍ମିଳନୀ କରି ନିଜ ପିଠି ନିଜେ ଥାପୁଡ଼ାଉଛନ୍ତି ବୋଲି ଗୋଲୋକ ଅଭିଯୋଗ କରିଛନ୍ତି । ସେହିପରି ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ୭ ଦିନ ରଖି ବିନା ପରୀକ୍ଷାରେ  ଘରକୁ ପଠାଇ ଦିଆଯାଉଥିବାରୁ ସେ ଉଦବେଗ ପ୍ରକାଶ କରି ଏହାଦ୍ବାରା କରୋନା ସଂକ୍ରମଣ ଆଶଙ୍କା ରହିଛି ବୋଲି କହିଛନ୍ତି । ତେଣୁ ପରୀକ୍ଷା ସଂଖ୍ୟା ଅଧିକ କରାଯିବା ଏବଂ ସଙ୍ଗରୋଧ କେନ୍ଦ୍ରରୁ ଛଡ଼ାଯିବା ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା କରାଯାଇ ସେ ସଂକ୍ରମିତ ନୁହନ୍ତି ବୋଲି ନିଶ୍ଚିତ କରାଯିବା ଉପରେ ବିଜେପି ଗୁରୁତ୍ବ ଦେଇଛି । ଏହି ଅବସରରେ ସେ ରାଜ୍ୟ ସରକାର ଘରକୁ ଘର ବୁଲି ଲୋକଙ୍କ ପରୀକ୍ଷା କରାଯିବାକୁ ଦଳ ସ୍ବାଗତ କରିବା ସହ ଏହା ଏକ ଭଲ ପଦକ୍ଷେପ ବୋଲି କହିଛି ।

ବିଜେପି ସାଧାରଣ ସମ୍ପାଦକ ଗୋଲୋକ ମହାପାତ୍ରଙ୍କ ଏହି ଅଭିଯୋଗର କଡ଼ା ଉତ୍ତର ରଖିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି ସେ ଶସ୍ତା ରାଜନୀତି ନ କରି ବିଜେପି କରୋନା ଯୁଦ୍ଧରେ ରାଜ୍ୟ ସରକାରଙ୍କୁ ସହଯୋଗ କରୁ । କରୋନା ପରି ଏକ ସ୍ପର୍ଶକାତର ସମୟରେ ହୀନ ରାଜନୀତି ନ କରୁ । କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ମାର୍ଗଦର୍ଶିକା ଅନୁସାରେ ଓଡ଼ିଶା ସରକାର ପରୀକ୍ଷା କରୁଛନ୍ତି । ଓଡ଼ିଶାରେ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । କେନ୍ଦ୍ର ମାର୍ଗଦର୍ଶିକା ଅନୁସାରେ ବିଜେପି ଶାସିତ ରାଜ୍ୟ ପରୀକ୍ଷା କରୁଛନ୍ତି ଓ ଓଡ଼ିଶା ସରକାର ବି ଅନୁରୂପ ପରୀକ୍ଷା କରୁଛନ୍ତି । ତେଣୁ ବିଜେପି ନେତାମାନେ କୌଣସି ଅଭିଯୋଗ କରିବା ପୂର୍ବରୁ ପ୍ରଥମେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ପଢ଼ନ୍ତୁ ଓ ଏହା ପରେ କୌଣସି ମନ୍ତବ୍ୟ ଦିଅନ୍ତୁ ବୋଲି ସସ୍ମିତ ପରାମର୍ଶ ଦେଇଛନ୍ତି । ସେହିପରି ଓଡ଼ିଶାରେ ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରି ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି । ଅନ୍ୟ କୌଣସି ରାଜ୍ୟରେ ଏପରି ବ୍ୟବସ୍ଥା କରାଯାଇ ନାହିଁ । ଏ ସବୁକୁ ମଧ୍ୟ ବିଜେପି ନେତାମାନେ ଧ୍ୟାନ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Comments are closed.