ସଂପର୍କରେ ଫାଟ: ବିଜେପି ପ୍ରତି ଆଭିମୁଖ୍ୟ ବଦଳାଉଛି ବିଜେଡି !

ନୂଆଦିଲ୍ଲୀ : ବିଜେଡିର ହଠାତ୍‍ ରଣନୀତି ପରିବର୍ତ୍ତନ ନେଇ ଦିଲ୍ଲୀ ଦରବାରରେ ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏକ ବର୍ଷ ଚାରି ମାସ ସମୟ ମଧ୍ୟରେ ଜାତୀୟ ସ୍ୱାର୍ଥ ନାମରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ନାଗରିକତା ସଂଶୋଧନ ବିଧେୟକ, ଧାରା ୩୭୦ ଉଚ୍ଛେଦ, ତିନି ତଲାକ ବିଧେୟକ ଓ ସୂଚନା ଅଧିକାର ଆଇନ ସଂଶୋଧନ ବିଧେୟକ ଭଳି ବହୁ ବିବାଦୀୟ ବିଧେୟକକୁ ବିଜେଡି ଖୋଲାଖୋଲି ସମର୍ଥନ ଜଣାଇଥିଲା। ଏପରିକି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଖୋଲଖୋଲି ମତ ରଖିବା, କଡ଼ା ପ୍ରଶ୍ନ ପଚାରିବା ଏବଂ ପ୍ରତିକ୍ରିୟା ଦେବାରୁ ବିରତ ରହିବା ପାଇଁ ବିଜେଡି ତରଫରୁ ଦଳୀୟ ସାଂସଦଙ୍କୁ ସ୍ପଷ୍ଟ ନିର୍ଦେଶ ରହିଥିଲା। ୨୦୧୯ ସାଧାରଣ ନିର୍ବାଚନ ପରେ ସଂସଦ ମଧ୍ୟରେ ଏବଂ ବାହାରେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ବିଜେଡିର ସ୍ୱର ନରମ ପଡ଼ିଥିଲା। ଏପରିକି ଦେଶ​‌େ​‌ର ବିଗିଡ଼ି ଯାଉଥିବା ଅର୍ଥନୈତିକ ପରିସ୍ଥିତି ବିଷୟରେ ଚର୍ଚ୍ଚା ପାଇଁ ରାଜ୍ୟସଭାରେ ତିନି ଜଣ ସାଂସଦଙ୍କ ନୋଟିସ୍‌ ପରେ ମଧ୍ୟ ଆଲୋଚନା ସମୟରେ ବିଜେଡି ସାଂସଦ ବିରତ ରହିଥିଲେ। ଏସବୁକୁ ଦେଖିବା ପରେ ବିଜେପି ଓ ବିଜେଡି ମଧ୍ୟରେ ମଧୁର ସଂପର୍କ ଥିବା ନେଇ ରାଜ୍ୟ ତଥା ଦେଶରେ ବିରୋଧୀମାନେ ଆକ୍ଷେପ ମଧ୍ୟ କରୁଥିଲେ। ତେବେ ବିଜେଡି-ବିଜେପିର ଏହି ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି। ଚଳିତ ସଂସଦ ଅଧିବେଶନରୁ ଏହାର ପ୍ରମାଣ ମିଳିଛି।
ରବିବାର ଆଲୋଚନା ବେଳେ ରାଜ୍ୟସଭାରେ ଉଭୟ କୃଷି ସଂସ୍କାର ବିଧେୟକକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିଜେଡିର ରଣନୀତି କେନ୍ଦ୍ରରେ ଶାସକ ବିଜେପିର ରକ୍ତଚାପକୁ ବଢ଼ାଇ ଦେଇଥିଲା। ଗୃହରେ ଉପସ୍ଥିତ ରହିବା ପାଇଁ ନଅ ଜଣ ସାଂସଦଙ୍କୁ ଦଳ ହ୍ବିପ୍‌ ଜାରି କରିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କାର୍ଡ ଖୋଲି ନ ଥିଲା। ରାଜ୍ୟସଭା ଆରମ୍ଭ ହେବା ମାତ୍ରେ କେନ୍ଦ୍ର ସରକାରଙ୍କ ତିନି ଜଣ ବରିଷ୍ଠ ମନ୍ତ୍ରୀ ବିଜେଡି କାହାକୁ୍‍ ଭୋଟ ଦେବ ବୋଲି ବିଜେଡି ସାଂସଦମାନଙ୍କ ଠାରୁ ଜାଣିବାକୁ ଚାହିଁଥିଲେ; ମାତ୍ର ଭୁବେନେଶ୍ୱରୁ ଯାହା
ନିର୍ଦେଶ ଆସିବ ସେହି ଅନୁଯାୟୀ ଭୋଟ ଦିଆଯିବ ବୋଲି କହି ଦଳୀୟ ସାଂସଦଗଣ ଏହାକୁ ଏଡ଼ାଇ ଯାଇଥିଲେ। ତେବେ ବିଜେଡି ନିଶ୍ଚିତ ଭାବେ ଏନ୍‌ଡିଏ ସରକାରଙ୍କ ସପକ୍ଷରେ ଭୋଟ ଦେବ ବୋଲି ଶାସକଦଳ ଆକଳନ କରିଥିଲା। ଦିନ ପ୍ରାୟ ୧୦ଟା ବେଳକୁ ଅଧିକାଂଶ ଜାତୀୟ ଗଣମାଧ୍ୟମ ବିଜେଡି କୃଷି ବିଧେୟକ ସପକ୍ଷରେ ଭୋଟ ଦେଉଛି ବୋଲି ଚର୍ଚ୍ଚା ଆରମ୍ଭ କରି ଦେଇଥିଲେ। ଦିନ ସାଢ଼େ ଏଗାରଟା ବେଳେ ବିଧେୟକକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ସାଂସଦ ଅମର ପଟ୍ଟନାୟକଙ୍କ ଦାବି ପରେ ଶାସକ ଏନ୍‌ଡିଏ କ୍ୟାମ୍ପ​‌େ​‌ର ହୃତ୍‌କମ୍ପନ ବଢ଼ିଯାଇଥିଲା। ହଠାତ୍‍ ବିଜେଡିର ଏଭଳି ଆଚରଣରେ ସରକାରୀ ଦଳର ମୁଖ୍ୟ ରଣନୀତିକାରମାନେ ଚକିତ ହୋଇଯାଇଥିଲେ।
କୃଷି ବିଧେୟକକୁ ବିଜେଡିର ବିରୋଧ ପରେ ଗୃହ ମଧ୍ୟରେ ବିରୋଧୀ ସାଂସଦଙ୍କ ସଂଖ୍ୟା ୧୨୬ରେ ପହଞ୍ଚି ଯାଇଥିଲା। ଦିନ ପ୍ରାୟ ୧୨ଟା ବେଳେ ନିଷ୍ପତ୍ତିର ପୁନର୍ବିଚାର ଲାଗି ବିଜେଡି ସାଂସଦଙ୍କ ସହ କେନ୍ଦ୍ର ସରକାରଙ୍କ ତରଫରୁ ଦୁଇ ଜଣ ମନ୍ତ୍ରୀ ଯୋଗାଯୋଗ କରିଥିଲେ। ଭୁବନେଶ୍ୱରରୁ ନିର୍ଦେଶ ଆସିଛି, ଆମେ କିଛି କରିପାରିବୁ ନାହିଁ, ଆପଣମାନେ ହାଇକମାଣ୍ଡଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ ବିଜେଡି ସାଂସଦଗଣ। ମାତ୍ର ଏନ୍‌ଡିଏ ସପକ୍ଷରେ ଭୋଟ ଦେବା ପାଇଁ ଶେଷ ପର୍ଯ୍ୟନ୍ତ ଦଳୀୟ ସାଂସଦଙ୍କୁ ଭୁବନେଶ୍ୱରରୁ ସେଭଳି କିଛି ସଂଶୋଧିତ ଆଦେଶନାମା ଆସି ନ ଥିଲା। କୃଷି ବିଧେୟକ ପ୍ରସଙ୍ଗରେ ବିଜେଡିର କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଜଣାପଡ଼ିବା ପରେ ବିରୋଧୀ ଦଳ ସାଂସଦଙ୍କ ମଧ୍ୟରୁ ହଠାତ୍‍ କେହି ବିଶ୍ୱାସ କରିପାରି ନ ଥିଲେ। ଗୃହରେ ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ, କଂଗ୍ରେସ ସାଂସଦ ଜୟରାମ ରମେଶ, ଆମ୍‌ ଆଦ୍‌ମି ପାର୍ଟି ସାଂସଦ ସଞ୍ଜୟ ସିଂ ପ୍ରମୁଖ ବିଜେଡି ସାଂସଦଙ୍କ ପାଖକୁ ଆସି ଘଟଣାର ସତ୍ୟତା ଜାଣିବାକୁ ଚାହିଁଥିଲେ।
କେବଳ ସେତିକି ନୁହେଁ; ଶୁକ୍ରବାର ଚିଟ୍‌ଫଣ୍ଡ ଦୁର୍ନୀତି ଲିଙ୍କ୍‌ ଅଭିଯୋଗରେ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ପଶିବା ସମୟରେ ରାଜ୍ୟସଭାରେ ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂଶୋଧନ ବିଧେୟକ ଓ ସାଂସଦଙ୍କ ଦରମା ଓ ଭତ୍ତା ସଂଶୋଧନ ବିଧେୟକ ଉପରେ ଆଲୋଚନା ହେଉଥିଲା। ହଠାତ୍‍ ଗୃହରେ ବିଜେଡି ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସାଂସଦ ହାତପାଣ୍ଠି ଯୋଜନା ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଦର୍ଶାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ସାଂସଦ ଶ୍ରୀ ଆଚାର୍ଯ୍ୟ ଆଉ ପାଦେ ଆଗେଇ ଯାଇ କହିଥିଲେ ଯେ ଦରମା ଓ ଭତ୍ତା ଭଳି ସାଂସଦ ହାତପାଣ୍ଠି ଅର୍ଥ ଆମେ ଘରକୁ ନେଉନାହିୁଁ। ସାଂସଦମାନେ ନିଜ ନିର୍ବାଚନୀ କ୍ଷେତ୍ରରେ ଅଥବା ରାଜ୍ୟର ବିକାଶ ପାଇଁ ଖର୍ଚ୍ଚ କରୁଥିଲେ। କରୋନା ମହାମାରୀ ମୁକାବିଲା ପାଇଁ ସାଂସଦମାନେ ଏହି ଅର୍ଥ ଖର୍ଚ୍ଚ କରିପାରି ଥା’ନ୍ତେ। ଓଡ଼ିଶାରୁ ୩୧ ଜଣ ସଂସଦର ଉଭୟ ଗୃହକୁ ପ୍ରତିନିଧିତ୍ୱ କରୁଛନ୍ତି। ସାଂସଦ ହାତପାଣ୍ଠି ବାବଦ ଅର୍ଥ କରୋନା ମହାମାରୀ ମୁକାବିଲା ପାଇଁ ଓଡ଼ିଶାର ସାଂସଦମାନେ ରାଜ୍ୟ ମଧ୍ୟରେ ଖର୍ଚ୍ଚ କରିପାରିଥା’ନ୍ତେ। ଏବେ ଏହି ଅର୍ଥ କେଉଁ ରାଜ୍ୟରେ ଏବଂ କେଉଁ ପ୍ରକଳ୍ପରେ ଖର୍ଚ୍ଚ ହେବ ତାହା ଜଣାପଡ଼ୁନାହିଁ ବୋଲି ସେ କହିଥିଲେ। ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ କେନ୍ଦ୍ର ବିରୋଧୀ ମନ୍ତବ୍ୟ ପଛରେ ବିଜେଡି ହାଇକମାଣ୍ଡଙ୍କ ଇସାରା ରହିଥିଲା ବୋଲି ଚର୍ଚ୍ଚା ହେଉଛି। ରାଜ୍ୟରେ ଆଗାମୀ ଦିନରେ ତି​‌େ​‌ର୍ତ୍ତାଲ ଓ ବାଲେଶ୍ବର ସଦର ଭଳି ଦୁଇଟି ବିଧାନସଭା ଉପନିର୍ବାଚନ ହେବାର ଥିବାରୁ ବିଜେଡି-ବିଜେପି ଲଢ଼େଇ କେଉଁ ଦିଗ ଆଡ଼କୁ ଗତି କରିବ ତାହା ସମୟ କହିବ।

Comments are closed.