କେଜ୍ରିୱାଲଙ୍କୁ ଘେରିବ ବିଜେପି, କଂଗ୍ରେସର ୪୦ଜଣିଆ ଦଳ

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କୁ ପ୍ରତିଦ୍ବନ୍ଦ୍ବିତା ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଏହି ଦୁଇ ଦଳର ୪୦ ଜଣ ଲେଖାଏଁ ତାରକା ପ୍ରଚାରକ ମଇଦାନରେ କେଜ୍ରିୱାଲଙ୍କୁ ଘେରିବେ ବୋଲି ଜଣାପଡ଼ିଛି। ବିଜେପି ପ୍ରସ୍ତୁତ କରିଥିବା ୪୦ଜଣିଆ ଦଳରେ ବିଜେପି ସଭାପତି ଜେପି ନଡ୍ଡା, ସ୍ବରାଷ୍ଟ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୀତିନ୍‌ ଗଡ଼କରୀ, ରାଜନାଥ ସିଂହ, ସ୍ମୃତି ଇରାନୀ, ହର୍ଷ ବର୍ଦ୍ଧନ, ବିଜୟ ଗୋୟଲ, ଗୌତମ ଗମ୍ଭୀର, ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହାଣ, ଅର୍ଜୁନ ମୁଣ୍ଡାଙ୍କ ନାମ ରହିଥିବାବେଳେ ଅଧିକାଂଶ ଦିଲ୍ଲୀ ବାହାର ସଦସ୍ୟ ରହିଛନ୍ତି। ୨୦୧୫ରେ ମାତ୍ର ତିନିଟି ଆସନ ପାଇଥିବା ବିଜେପି କେବଳ କେଜ୍ରିୱାଲ ନୁହନ୍ତି; ତାଙ୍କ ଦଳକୁ ଦିଲ୍ଲୀରୁ ହଟାଇବା ପାଇଁ ଆସନ୍ତା ୨୦ଦିନର ଯୋଜନା ପ୍ରସ୍ତୁତ କରିଛି। ପ୍ରଚାର ଅଭିଯାନରେ ସାମିଲ ନେତାମାନେ ଛୋଟଛୋଟ ଦଳ ହୋଇ ପ୍ରତି ଅଞ୍ଚଳ ଗସ୍ତକରିବେ ଓ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରିବେ ବୋଲି ଯୋଜନା ହୋଇଛି।

କେଜ୍ରିୱାଲଙ୍କ ବିପକ୍ଷରେ ଯୁବମୋର୍ଚ୍ଚା ସଭାପତି ସୁନିଲ ଯାଦବଙ୍କୁ ବିଜେପି ପ୍ରାର୍ଥୀ କରିଛି; କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିବାରୁ କେଜ୍ରିୱାଲ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି।ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ କେଜ୍ରିୱାଲଙ୍କୁ ଘେରିବା ଯୋଜନା ହୋଇଛି। ଦଳ ସଭାପତି ସୋନିଆ ଗାନ୍ଧୀଙ୍କ ସହିତ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଭଦ୍ରା, ଡଃ ମନମୋହନ ସିଂହ, ନବଜୋତ୍‌ ସିଂହ ସିଧୁ, ଶତ୍ରୁଘ୍ନ ସିହ୍ନାଙ୍କ ସହ କମଳ ନାଥ, ଅଶୋକ ଗେହଲଟ, କ୍ୟାପଟେନ୍‌ ଅମରିନ୍ଦର ସିଂହ, ଭୂପେଶ ବାଘେଲ ଓ ଭି. ନାରାୟଣ ସ୍ବାମୀଙ୍କ ଭଳି ସମସ୍ତ କଂଗ୍ରେସଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ୪୦ଜଣିଆ ତାରକା ପ୍ରଚାରକ ତାଲିକାରେ ସ୍ଥାନ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସଚିନ ପାଇଲଟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କପିଲ ସିବଲ, ଶଶୀ ତରୁର, କୀର୍ତ୍ତି ଆଜାଦ, ଗୁଲାମନବି ଆଜାଦ ପ୍ରମୁଖଙ୍କ ନାମ ତାଲିକାରେ ରହିଛି। ସିଧୁ ଓ ଶତ୍ରୁଘ୍ନଙ୍କୁ ବିଶେ​ଷ ଭାବେ ପଞ୍ଜାବୀ ତଥା ଶିଖ ଓ ପୂର୍ବାଞ୍ଚଳୀ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ନିୟୋଜିତ କରାଯିବା ଯୋଜନା ହୋଇଛି। ପୂର୍ବତନ ଛାତ୍ରକଂଗ୍ରେସ ସଭାପତି ରମେଶ ସବରୱାଲଙ୍କୁ କେଜ୍ରିୱାଲଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଛି। ମୋଟ ୭୦ ଆସନରୁ କଂଗ୍ରେସ ୬୬ଟିରେ ପ୍ରାର୍ଥୀ ଦେଇଛି ଓ ଅନ୍ୟ ୪ଟି ଆରଜେଡିକୁ ଛାଡ଼ିଛି।

Comments are closed.