ଜାନୁଆରୀ ୫ରୁ ବିଜେପିର ସିଏଏ ସଚେତନତା ଅଭିଯାନ

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତ୍ବ ଆଇନକୁ ନେଇ ଦେଶବାସୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟିହେବା ସହ ଏହା ବିରୋଧରେ ବ୍ୟାପକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହେଉଛି ଓ ହିଂସାକାଣ୍ଡ ଉପୁଜିଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଆଇନ ସପକ୍ଷରେ ଲୋକଙ୍କୁ ସଚେତନ କରାଯିବା ଉଦ୍ୟମ ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲେ ମଧ୍ୟ ଆସନ୍ତା ଜାନୁଆରୀ ୫ତାରିଖରୁ ବିଧିବଦ୍ଧ ଭାବେ ସାରା ଦେଶରେ ଏ ନେଇ ଜୋର୍‌ଦାର ଅଭିଯାନ ଆରମ୍ଭ କରାଯିବ। ବିଜେପି ନେତାମାନେ ପ୍ରତି ସହର ଓ ପ୍ରମୁଖ ଅଞ୍ଚଳରେ ବଡ଼ ଧରଣର ସମାବେଶ ଆୟୋଜନ ପୂର୍ବକ ଆଇନ ସପକ୍ଷରେ ସଚେତନତା ସୃଷ୍ଟିକରିବେ। ଜାନୁଆରୀ ୧୫ ପର୍ଯ୍ୟନ୍ତ ଏହା ଜାରି ରହିବ। ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଜରିଆରେ ଏହି ପ୍ରୟାସ ବଳବତ୍ତର ରହିଥିଲାବେଳେ ଏହାକୁ ମଧ୍ୟ ବ୍ୟାପକ କରାଯିବ। ବିଜେପି ସଭାପତି ଅମିତ ଶାହା, କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡାଙ୍କ ସହ ୫୦ବରିଷ୍ଠ ନେତା ବିଭିନ୍ନ ସମାବେଶରେ ଯୋଗଦେଇ ଲୋକଙ୍କୁ ସଚେତନ କରିବା ସହ ବିରୋଧୀଙ୍କ ଅପପ୍ରଚାରର ଜବାବ ଦେବେ। ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ବା ଆରଏସ୍‌ଏସ୍‌ ନେତାମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.