ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ପଳାୟନ ପନ୍ଥୀ ଭୂମିକାରେ ବିଜେଡି : ପ୍ରଦୀପ ପୁରୋହିତ

ଭୁବନେଶ୍ୱର : ରାଜ୍ୟ ସରକାର ସବୁଠୁ ଚାଷୀଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ୍‍ ବ୍ୟବସ୍ଥା କାରଣରୁ ଚାଷୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡି ରହି ନଷ୍ଟ ହେଉଛି । ରାଜ୍ୟ ସରକାର ଧାନ କିଣି ପାରୁ ନାହଁନ୍ତି । ଧାନର ସଂରକ୍ଷଣ ପାଇଁ ଭିତିଭୂମି ପ୍ରସ୍ତୁତ ନକରି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଉପରେ ବାରମ୍ବାର ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି।
ବିଜେଡି ପଳାୟନ ପନ୍ଥୀ ଭୂମିକା ଗ୍ରହଣ କରିଛି। ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀକୁ ଦେଉ ନାହାଁନ୍ତି । ମଣ୍ଡିରେ କଟନି ଛଟନି ନାଁରେ ମିଲର୍ସମାନେ ଚାଷୀଙ୍କଠାରୁ ଲୁଟ୍‍ କରୁଛନ୍ତି । ମଣ୍ଡି ପରିଚାଳନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ପଠାଉଥିଲେ ରାଜ୍ୟ ସରକାର ତାକୁ ଠିକ୍‍ ଭାବେ ପରିଚାଳନା କରିପାରୁ ନାହାଁନ୍ତି। ଏହାକୁ ଘଣ୍ଟ ଘୋଡାଇବା ପାଇଁ ବିଜେଡି ଏଫସିଆଇ ଆଗରେ ଧାରଣା ଦେଉଛି । ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ଘଣ୍ଟ ଘୋଡା ଅଭିଯାନ ବିଜେଡି ଚଲାଇଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୭ ଜୁଲାଇ ମଧ୍ୟରେ ଏଫସିଆଇ ୧୩.୦୭ ଲକ୍ଷ ମେଟ୍ରିକ ଟନ୍‍ ଅଣବାସୁମତି ଚାଉଳ ଗ୍ରହଣ କରିଛି ଏବଂ ୧୨.୩୧ ଲକ୍ଷ ମେଟ୍ରିକ ଟନ୍‍ ଅଣବାସୁମତି ଚାଉଳ ଖାଲି କରାଯାଇଛି । ଭାରତ ସରକାର ରାଜ୍ୟ ସରକାରଙ୍କୁ ସିଧାସଳଖ ଖାଦ୍ୟ ସବସିଡି ପ୍ରଦାନ କରିଥାନ୍ତି । ରାଜ୍ୟ ସରକାରଙ୍କ ଏଜେନ୍ସି ୩ ହଜାର ୯୬ କୋଟି ଟଙ୍କାର ବିଲ୍‍ ଏଫସିଆଇ ପାଖରେ ପଇଠ କରିଛନ୍ତି । ସେଥିମଧ୍ୟରୁ ଏଫସିଆଇ ୧୪ ଜୁଲାଇ ସୁଦ୍ଧା ୨ ହଜାର ୯୫୭ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇ ସାରିଛି । ବକେୟା ରାଶି ମଧ୍ୟ ଦିଆଯିବ। ଏହା ଏକ ନିରନ୍ତର ପ୍ରକ୍ରିୟା । ଚଳିତ ଖରିଫ ଋତୁରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଫସିଆଇ ରାଜ୍ୟ ଦ୍ୱାରା ଦିଆଯାଇଥିବା ବଳକା ଚାଉଳକୁ ଗ୍ରହଣ କରିଛି ଏବଂ ରାଜ୍ୟ ସରକାରଙ୍କ ପାଖରେ ବଳକା ୭ଲକ୍ଷ ମେଟ୍ରିକ ଟନ୍‍ ଚାଉଳକୁ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଖରିଫ ଋତୁରେ ଗ୍ରହଣ କରିବ । ଏଫସିଆଇ ପକ୍ଷରୁ ବଳକା ଚାଉଳ ଗ୍ରହଣ କରିବାରେ କୌଣସି ଅଙ୍କୁଶ ନାହିଁ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅଣବାସୁମତି ଚାଉଳକୁ ମଧ୍ୟ ଗ୍ରହଣ କରି ଆସୁଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ମଣ୍ଡିରୁ ଧାନ ଉଠାଇବା ପାଇଁ ଚାଷୀ ମାନଙ୍କୁ ଦିଆଯାଉଥିବା ଅର୍ଥ ମିଲର ମାନଙ୍କ ଦ୍ୱାରା ଜାରୀ କରାଯାଉଥିବା ଗ୍ରହଣୀୟ ପତ୍ର ସମ୍ପୂର୍ଣ୍ଣ ଭାବରେ ପୃଥକ ରହିବା ଦରକାର। ଚାଷୀମାନେ ମଣ୍ଡିରେ ସେମାନଙ୍କର ଉତ୍ପାଦନକୁ ମଣ୍ଡିରେ ଅନୁମତି ଦିଆଯିବା ପରେ ଶୀଘ୍ର ପଇସା ମିଳିଯିବା ଉଚିତ୍‍। ଏଥିପାଇଁ ମିଲର ମାନଙ୍କର ଅନୁମତିର ଆବଶ୍ୟକତା ନାହିଁ। ମଣ୍ଡିରେ ଶ୍ରମିକ ପାରଶ୍ରମିକ ମୂଲ୍ୟ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଚୂଡାନ୍ତ ହେବା ଉଚିତ୍‍। କିନ୍ତୁ ରାଜ୍ୟ ସରକାର ଏହାକୁ ପାଳନ କରୁନାହାଁନ୍ତି । ମାର୍କେଟ ୟାର୍ଡର ଭିତିଭୂମି ତଥା ଅଧିକ ଧାନ ସଂଗ୍ରହ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ । ଧାନ ରଖିବା ପାଇଁ ଗୋଦାମ ଘର ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ । ରାଜ୍ୟ ସରକାର ଇ -ପ୍ରକ୍ରିୟା ମାଧ୍ୟମରେ ସ୍ୱତନ୍ତ୍ର ମଣ୍ଡି ଲେବର କଣ୍ଟ୍ରାକ୍ଟର ଏବଂ ମଣ୍ଡି ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ନିୟୋଜିତ କରନ୍ତୁ। ଟୋକନ ବ୍ୟବସ୍ଥାରେ ଧାନ ସଂଗ୍ରହ ବ୍ୟବସ୍ଥା ଅଧିକ ଏବଂ ନିରପକ୍ଷପାତିତା କରାଯାଉ। ରାଜ୍ୟ ସରକାର ଧାନର ସ୍ଥିତି ମିଲୱାରୀ ଏବଂ ଷ୍ଟୋରେଜ ପଏଣ୍ଟ ୱାରୀ ଲୋକଲୋଚନକୁ ଆଣନ୍ତୁ ଏବଂ ଏହାକୁ ଅଡିଟ କରନ୍ତୁ। ତଦନ୍ତକାରୀ ଦ୍ୱାରା ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଦିଆଯାଇଥିବା ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ କାମାକ୍ଷା ପ୍ରସାଦ ପ୍ରଧାନ, କୋଷାଧକ୍ଷ ବିଶ୍ୱକେତନ ସ୍ୱାଇଁ, ମିଡିଆ ସଂଯୋଜକ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.