ବିଜେପିର ‘ଫିଡ୍‍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ

ଭୂବନେଶ୍ୱର : ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ ହୋଇଥିବା କାରଣରୁ ରାଜ୍ୟ ସମେତ ଦେଶବ୍ୟାପୀ ୨୧ ଦିନ ପାଇଁ ଲକ୍‍ଡାଉନ୍‍ ଘୋଷଣା ହୋଇଛି। କରୋନା ପ୍ରଭାବରେ ସାରା ବିଶ୍ୱ ଆଜି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ରାଜ୍ୟରେ ଏଭଳି ସଙ୍କଟ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନଙ୍କ ସହ ସ୍ଥିତି ସମ୍ବନ୍ଧରେ ଆଲୋଚନା କରିବା ସହ ଯେପରି ଜଣେ ବି ଗରିବ ଅସହାୟ ଭୋକିଲା ନରୁହେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ୍ ସମୟରେ ‘ଫିଡ୍‍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ, ଦିନ ମଜୁରିଆ, ଦୁଃଖୀ ଜନ ତଥା ଅଭାବୀ ଲୋକଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ପାଖରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି। ଏହାକୁ ସୁଚାରୁରୂପେ ତ୍ୱରାନ୍ୱିତ କରି ପ୍ରତି ଗ୍ରାମରେ ଯେପରି କେହି ବି ଭୋକିଲା ନରହିବେ ସେଥିପ୍ରତି ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଦାୟିତ୍ୱ ନେବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କରୋନା ମୁକାବିଲା ପାଇଁ ପିଏମ୍ କେୟାର୍ସ ଫାଣ୍ଠିକୁ କିପରି ଅଧିକରୁ ଅଧିକ ବଦାନ୍ୟ ବ୍ୟକ୍ତିଙ୍କୁ ଯୋଡାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଓଡିଆ କିପରି ସୁରକ୍ଷିତ ରହିପାରିବେ ସେ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଲକଡାଉନର ପ୍ରାରମ୍ଭରୁ ‘ଫିଡ୍‍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମରେ ବିଜେପିର ୪ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧୨ଟି ବିଧାନସଭା ନିର୍ବାଚନମଣ୍ଡଳୀ, ୨୫୨ଟି ବ୍ଲକ ଓ ପୈାରପାଳିକାରେ ବାସ କରୁଥିବା ୩୭ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ରନ୍ଧା ଏବଂ ୧୫ ହଜାରରୁୁ ଉର୍ଦ୍ଧ୍ବ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବା ସହ କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ନିସ୍ୱ ଗରୀବଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ଖାଦ୍ୟ ବଣ୍ଟନ କରିବେ। ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇଛନ୍ତି।
ଗୁରୁବାର ଦଳୀୟ ବିଧାୟକ ଗଣେଶ ରାମ ଖୁଣ୍ଟିଆ, ପ୍ରକାଶ ସୋରେନ, ଡ. ବୁୁର୍ଦ୍ଧାନ ମୁର୍ମୁ, ନାଉରୀ ନାଏକ, କୁସୁମ ଟେଟେ, ଭବାନୀ ଭୋଇ, ମୁକେଶ ମହାଲିଙ୍ଗ ପ୍ରମୁଖ ନିଜ ନିଜ ବିଧାନସଭା କ୍ଷେତ୍ରରେ ‘ଫିଡ୍‍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମରେ ସାମିଲ ହୋଇ ଗରିବ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି।
ସେହିପରି ଭଦ୍ରକ ଜିଲ୍ଲାର ବାସୁଦେବପୁର, ଧାମନଗର, ଭଣ୍ଡାରୀପୋଖରୀ; ଯାଜପୁର ଜିଲ୍ଲାର ପଣାସ, ଦଶରଥପୁର, ମଙ୍ଗଳପୁର, ବିଂଝାରପୁର; ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ମ୍ୟୁନିସିପାଲିଟି, ହିନ୍ଦୋଳ; ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ତାଳେଚେର ମ୍ୟୁନିସପାଲିଟି; ବରଗଡ ଜିଲ୍ଲାର ଭଟଲି, ଅତାବିରା, ବିଜେପୁର; କଳାହାଣ୍ଡି ଜିଲ୍ଲାର ଲାଂଜିଗଡ, ଜୁନାଗଡ; ଖୋର୍ଦ୍ଧା ଜିଲ୍ଲାର ଜଟଣୀ, ଜୟଦେବ, ଚିଲିକା, ବେଗୁନିଆ, ଖୋର୍ଦ୍ଧା ମ୍ୟୁନିସିପାଲିଟି; କେନ୍ଦ୍ରାପଡା ଜିଲ୍ଲାର ଆଳି, ରାଜନଗର , ପାଟକୁରା; କେଉଁଝର ଜିଲ୍ଲାର କେଉଁଝର ଟାଉନ, ବଡବିଲ, ଚମ୍ପୁଆ ; ଘୁମୁସର ଜିଲ୍ଲାର ସାନଖେମୁଣ୍ଡି , କବିସୂର୍ଯ୍ୟନଗର; ଗଂଜାମ ଜିଲ୍ଲାର ଗୋପାଳପୁର, ଭଂଜନଗର, ରମ୍ଭା, ଛତ୍ରପୁର; ନୂଆପଡା ଜିଲ୍ଲାର ଖରିଆର, କମୋନା, ନୂଆପଡା; ସୁନ୍ଦରଗଡ ଜିଲ୍ଲାର ରାଇରଙ୍ଗପୁର; ଜଗତସିଂହପୁର ଜିଲ୍ଲାର ବାଳିକୁଦା, ପାରାଦୀପ; ପୁରୀ ଜିଲ୍ଲାର ବ୍ରହ୍ମଗିରୀ,ନିମାପଡା, ଗୋପ; ନୟାଗଡ ଜିଲ୍ଲାର ରଣପୁର, ନୟାଗଡ, ଖଣ୍ଡପଡା; ରାଉରକେଲା ଜିଲ୍ଲାର ପାନପୋଷ, ରଘୁନାଥପଲ୍ଲୀ; ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ, ପାଟଣାଗଡ, କଂଟାବାଝୀ, ଲୋଇସିଂହା; ନବରଙ୍ଗପୁର ଜିଲ୍ଲାର ଉମରକୋଟ, ନବରଙ୍ଗପୁର, ଝରିଗାଁ; ବାଲେଶ୍ୱର ଜିଲ୍ଲାର ସିମୁଳିଆ, ସୋର, ନିଳଗିରି, ରେମୁଣା ଟାଉନ, ବନ୍ତା, ଜଳେଶ୍ୱର, ଭୋଗରାଇ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ନେତୃବୃନ୍ଦଙ୍କ ତତ୍ୱାବଧାନରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।

Comments are closed.