କେନ୍ଦ୍ରୀୟ ଅବହେଳାର ଯୁଗ ଶେଷ : ବିଜେପି

ଓଡ଼ିଶାର ବିକାଶ, ସମ୍ମାନ ଓ ବିପର୍ଯ୍ୟୟର ସାଥୀ ହୋଇଛି କେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଅମଳରେ ଯାହାସବୁ ଅନୁଦାନ ଓଡ଼ିଶା ପାଇଛି ତାହା ପୂର୍ବରୁ କେବେ ପାଇ ନଥିଲା। ଏହାସହିତ ଓଡ଼ିଶାର ବହୁ ଯଶସ୍ବୀଙ୍କୁ ଯେଭଳି ପଦ୍ମ ଓ ବିଭିନ୍ନ ସମ୍ମାନ ସହିତ ତିନିଜଣଙ୍କୁ ରାଜ୍ୟପାଳ ପଦ ମର୍ଯ୍ୟାଦା ଦିଆଯାଇଛି ତାହା ଅନ୍ୟ କୌଣସି ସରକାର ଅମଳରେ ସମ୍ଭବ ହୋଇ ନଥିଲା । ସର୍ବୋପରି ରାଜ୍ୟର ବିପର୍ଯ୍ୟୟ ବେଳେ ଯେଭଳି ପ୍ରଧାନମନ୍ତ୍ରୀ ମୋଦୀ ପରିଦର୍ଶନରେ ଆସି ୨୪ଘଣ୍ଟା ନପୂରୁଣୁ ଶହ ଶହ କୋଟି ଟଙ୍କାର ସହାୟତା ପହଞ୍ଚାଇଛନ୍ତି ତାହା ସ୍ମରଣୀୟ ହୋଇ ରହିବ । ବିଶେଷକରି ରାଜ୍ୟ ସରକାର ପୂର୍ବରୁ ଯେଭଳି କେନ୍ଦ୍ରୀୟ ଅବହେଳାର ନାରା ଦେଉଥିଲେ ସେହି ଯୁଗର ଅବସାନ ଘଟିଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ କହିଛନ୍ତି।
ସୋମବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଥିଲେ ଯେ ମୋଦୀଙ୍କ ଫୋକସରେ ପୂର୍ବ ଭାରତର ବିକାଶ ଅର୍ଥାତ ଓଡିଶା। ଏହି ଗୋଟିଏ ବର୍ଷରେ ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦୀ ସରକାରଙ୍କ ଅବଦାନ ଅତୁଳନୀୟ ରହିଛି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଫଣି ମହାବାତ୍ୟାଠାରୁ ଅମ୍ପନ ବାତ୍ୟା ପର୍ଯ୍ୟନ୍ତ ସବୁ ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗୁରୁତ୍ବ ଦେଇଛନ୍ତି। ଫଣି ମୁକାବିଲା ପାଇଁ ଓଡ଼ିଶାକୁ ୪୬୭୯ କୋଟି ଟଙ୍କା ମିଳିଥିଲା ବେଳେ ଅମ୍ପନ ପାଇଁ ୫୦୦କୋଟି ଟଙ୍କା ମିଳିଛି। ସେହିପରି ୨୦୨୦-୨୧ରେ କେନ୍ଦ୍ର ସରକାରଙ୍କ ଟିକସରେ ରାଜ୍ୟର ଅଂଶ ବାବଦରେ ଓଡିଶା ୩୬,୩୦୦ କୋଟି ଟଙ୍କା ପାଇଛି। ଚଳିତ ଆର୍ଥିକ ବର୍ଷରେ ଓଡିଶା କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨,୦୦୦ କୋଟି ଟଙ୍କା ମିଳିଥିବାବେଳେ ୨୦୧୪-୧୫ରୁ ୨୦୨୦-୨୧ ଭିତରେ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ବାବଦରେ ଓଡିଶାକୁ ମିଳିଛି ୩,୬୮,୫୯୨ କୋଟି ଟଙ୍କା। ଆଗରୁ ଓଡିଶାକୁ ରେଳ ଅନୁଦାନ ବାର୍ଷିକ କେବେ ବି ୧୦୦୦ କୋଟି ଛୁଇଁ ନଥିବା ବେଳେ ୨୦୨୦-୨୧ ରେଳ ବଜେଟରେ ୫୨୯୬ କୋଟି ଟଙ୍କା ମିଳିଛି। ମୋଦୀ ସରକାରଙ୍କ ୬ ବର୍ଷରେ ଓଡିଶା ରେଳ ବିକାଶ ପାଇଁ ପାଇଛି ୩୧,୪୪୪ କୋଟି ଟଙ୍କା ପାଇଛି।
ସେହିପରି କୋଣାର୍କକୁ ସୂର୍ଯ୍ୟନଗରୀ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ସୋଲାର ପ୍ରକଳ୍ପ ବାବଦରେ ୨୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେଇଛନ୍ତି। ୨୦୨୦ରେ ପଦ୍ମ ପୁରସ୍କାରରେ ଓଡିଶାରୁ ୧୨ ଜଣଙ୍କୁ ସମ୍ମାନିତ କରିଥିବାବେଳେ ସାହିତ୍ୟିକ ତଥା ଦାର୍ଶନିକ ମନୋଜ ଦାସଙ୍କୁ ପଦ୍ମ ବିଭୂଷଣ, ପ୍ରଫେସର ରାଧାମୋହନ, ବୀଣାପାଣି ମହାନ୍ତିଙ୍କୁ ପଦ୍ମଶ୍ରୀ ଉପାଧି ମିଳିଛି। ପୂର୍ବରୁ ୨୦୧୯ରେ ହାତୁଡିରେ ପଥର କାଟି ରାସ୍ତା ନିର୍ମାଣ କରିଥିବା ଦୈତାରୀ ନାଏକ, ଚା’ ଦୋକାନ କରି ସମାଜ ସେବାରେ ସମ୍ପୂର୍ଣ୍ଣ ଉର୍ସଗୀକୃତ ହୋଇଥିବା ପ୍ରକାଶ ରାଓ ଏବଂ ଜୈବିକ କୃଷି ପାଇଁ ନିଜର ପୂରା ଜୀବନ ସମର୍ପିତ କରିଥିବା ଆଦିବାସୀ ମହିଳା କମଳା ପୂଜାରୀଙ୍କୁ ପଦ୍ମ ପୁରସ୍କାର ମିଳିଥିଲା। ମୋଦୀଙ୍କ ସମୟରେ ଓଡିଶାରୁ ୩ ରାଜ୍ୟପାଳ, ପ୍ରଥମ ଓ ଦ୍ୱିତୀୟ ଉଭୟ ସରକାରରେ ୨ ଜଣ କେନ୍ଦ୍ରମନ୍ତ୍ରୀ, ଓଡିଶାରୁ ପ୍ରଥମ ଥର ପାଇଁ ଦୁଇ ମନୋନୀତ ରାଜ୍ୟସଭା ସଦସ୍ୟ, ଓଡିଆ ଘରର ମାଣବସା, ଛଉ ନୃତ୍ୟ ଓ ରାବଣ ଛାୟାକୁ କେନ୍ଦ୍ରୀୟ ଐତିହ୍ୟ ମାନ୍ୟତା ଦେବା ଓଡିଶା ପାଇଁ ଗର୍ବର କଥା ବୋଲି ସେ କହିଛନ୍ତି।
ସଂପ୍ରତି କରୋନା ମହାମାରୀ ମୁକାବିଲା ପାଇଁ ଓଡିଶାକୁ ମୋଦୀ ସରକାର ସହାୟତାର ହାତ ବଢାଇଛନ୍ତି। ଏବେ ସୁଦ୍ଧା ବାହାରେ ରହୁଥିବା ଓଡିଆ ଲୋକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଓଡିଶାକୁ ୧୭୮ଟି ଟ୍ରେନ ମାଧ୍ୟମରେ ୩ ଲକ୍ଷ ୩୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଓଡିଶା ଫେରାଇଛନ୍ତି। କେନ୍ଦ୍ର ସରକାର ଏ ବାବଦରେ ୧୪୬୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାବାଦ୍ ଓଡିଶାର ୯୩ ଲକ୍ଷ ପରିବାରଙ୍କୁ ମାସକୁ ୧ କିଲୋ ଡାଲି ହିସାବରେ ୩ ମାସ ପାଇଁ ଡାଲି, ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ୧୪ ଲକ୍ଷ ୬୬ ହଜାର ବୃଦ୍ଧାବୃଦ୍ଧଙ୍କୁ ୧୦୦୦ ଟଙ୍କାର ସହାୟତା ପ୍ରଭୃତି ଦିଆଯାଇଛି। ଏହାବାଦ୍ ଦେଶବାସୀଙ୍କ ପାଇଁ ୨୦ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭରଶୀଳ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଯୋଜନାରେ ଓଡିଶା ପାଇଁ ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ ମୋଦୀ ଶାସନରେ ଓଡ଼ିଶା ସଶକ୍ତ ଏବଂ ମୋଦୀ ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତର ଲିଫଲେଟ ଉନ୍ମୋଚନ ହୋଇଥିଲା। ସମ୍ମିଳନୀରେ ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀ, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.