ବିକାଶ ଭୁଲି ନାଁ ପଛରେ ରାଜ୍ୟ ସରକାର ଦୌଡ଼ୁଛନ୍ତି : ଧର୍ମେନ୍ଦ୍ର

0
୫ରୁ ବୁଥ୍‍ ଚାଲ ଅଭିଯାନ

ଭୁବନେଶ୍ୱର: କେବଳ ଓଡିଶା ନୁହେଁ ଦେଶବାସୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବିଧ ଜନକଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି। ଏହାକୁ ଠିକଣା ଭାବେ କାର୍ଯ୍ୟ କରାଯାଇ ପାରିଲେ ଓଡ଼ିଶାରେ ବହୁ ବିକାଶ ହେବା ସହିତ ରାଜ୍ୟବାସୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହୋଇପାରିବ। ମାତ୍ର ରାଜ୍ୟ ସରକାର ତାହା କରାଇ ଦେଉନାହାନ୍ତି। କାଳେ ମୋଦି ସରକାରଙ୍କ ଯୋଜନାକୁ ଠିକଣା ଭାବେ କାର୍ଯ୍ୟାନ୍ୱୟନ କଲେ ବିଜେପି ସରକାର ନାଁ ନେଇଯିବେ ସେହି ଭୟରେ ରାଜ୍ୟ ସରକାର ଅଛନ୍ତି। ତେଣୁ କେନ୍ଦ୍ରୀୟ ଯୋଜନାକୁ ଦିଗହରା କରି ନିଜସ୍ୱ ଯୋଜନା କରି ଲୋକଙ୍କ ଆଗରେ ତୁଛା ବାହାବା ନେବା ତଥା ନାଁ ନେବାକୁ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି।
ଝାରପଡା ପଲ୍ଲବୀ ମଣ୍ଡପଠାରେ ଆୟୋଜିତ ଅଧିବେଶନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଗରିବଙ୍କ ମୁଣ୍ଡ ଉପରେ ଛାତ, ଘରେ ବିଜୁଳି, ପାଇଖାନା ଦେଇ ସେମାନଙ୍କ ସ୍ୱାଭିମାନ ବଢାଇବା ପାଇଁ ମୋଦି ସରକାର କାମ କରୁଥିବା ବେଳେ କାହିଁକି ରାଜ୍ୟସରକାର ଏଥିରେ ବାଧା ସୃଷ୍ଟି କରିଛନ୍ତି ତା’ର ଉତ୍ତର ଜନସାଧାରଣଙ୍କ ଆଗରେ ରଖନ୍ତୁ। ତେବେ ମହିଳାମୋର୍ଚ୍ଚା ଓଡିଶାର ବୁଥସ୍ତରରେ ସଙ୍ଗଠନକୁ ମଜଭୁତ କରିବାର ଯୋଜନା କରିଛି। ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୫ରୁ ବୁଥ୍‍ ଚାଲ ଅଭିଯାନ ଆରମ୍ଭ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟାରାହତକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୪ ବର୍ଷରେ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଏଥିସହ ସ୍ୱତନ୍ତ୍ରଭାବେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇ ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ନିର୍ମାଣ, ଉଜ୍ଜଳା ଯୋଜନା, ସୁକନ୍ୟା ସମୃଦ୍ଧିଯୋଜନା, ଦକ୍ଷତା ବିକାଶ ଓ ମୁଦ୍ରା ଲୋନ ଆଦି ଯୋଜନା କରିଛନ୍ତି। ବିଶ୍ୱର ସବୁଠୁବଡ ଯୋଜନା ହେଉଛି ଉଜ୍ଜଳା ଯୋଜନା। ଏହି ଯୋଜନା ମାଧ୍ୟମରେ ଦେଶର ୫ କୋଟି ମହିଳା ଉପକୃତ ହୋଇଛନ୍ତି। ସମସ୍ତ ସ୍ଥାନରେ ଉଜ୍ଜ୍ୱଳା ଚା’ ଏବଂ ରୋଷେଇ ଆରମ୍ଭ ହୋଇଛି। ଏଥିରେ ରାଜ୍ୟ ହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଅଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା କ୍ଷେତ୍ରରେ ମହିଳାମାନେ ଆଜି ବି ଅବହେଳିତ। ଗାଁ ଗାଁରେ ମଦ ଦୋକାନ ଖୋଲି ଯୁବକମାନଙ୍କୁ ମଦୁଆ କରିଚାଲିଛି ବିଜେଡି ସରକାର। ଏହାକୁ ବିରୋଧ କରିବା ସହ ଆଜି ମହିଳା ମୋର୍ଚ୍ଚାର ଦ୍ୱିତୀୟ ଅଧିବେଶନରେ ଦୁର୍ନୀତିଗସ୍ତ ଓ ମହିଳା ବିରୋଧୀ ବିଜେଡି ସରକାରକୁ ବଦଳାଇବାର ସଂକଳ୍ପ ନେଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି।

ମହିଳାମାନଙ୍କୁ ସଶକ୍ତୀକରଣ କରିବା ଲାଗି ଆସନ୍ତା ସେପ୍ଟେମ୍ବର ୫ରୁ ୨୧ ତାରିଖ ପର୍ଯ୍ୟନ୍ତ ବୁଥ ଚାଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିବ। ଆସନ୍ତା ସେପ୍ଟେମ୍ବର ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ପୁରୀଠାରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀମତୀ ପରିଡା କହିଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ(ସଙ୍ଗଠନ) ମାନସ ମହାନ୍ତି, ମହିଳାମୋର୍ଚ୍ଚାର ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ନିୟତିଗିରି, ସ୍ମୃତି ପଟ୍ଟନାୟକ, ସୁଷମା ବିଶ୍ୱାଳ, ପିଙ୍କି ପ୍ରଧାନ, ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ବବିତା ପାତ୍ର, ସଂପାଦିକା ଦିପ୍ତିରେଖା ନାୟକ, ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply