ମନ୍ଦିରବଜାରରେ ବିଜେପି ନେତାଙ୍କୁ ହତ୍ୟା

0

କଲକାତା : ମନ୍ଦିରବଜାର ଧନୁରହାଟ ଅଞ୍ଚଳରେ ବିଜେପି ନେତା ଶକ୍ତିପଦ ସର୍ଦାରଙ୍କ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଶକ୍ତିପଦଙ୍କ ପତ୍ନୀ ସୁଜାତା ସର୍ଦାର ସଂପ୍ରତି ତୃଣମୂଳ କଂଗ୍ରେସ ସମର୍ଥିତ ଚାରିଜଣ ନେତାଙ୍କ ନାମରେ ଅଭିଯୋଗ କରିଛନ୍ତି। ମନ୍ଦିରବଜାର ଥାନାରେ ଅଭିଯୋଗ ଦାୟର କରିବା ପରେ ଥାନା କର୍ତ୍ତୃପକ୍ଷ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି। ଏହା ମଧ୍ୟରେ ତୃଣମୂଳ କଂଗ୍ରେସର ମନ୍ଦିରବଜାର ବ୍ଲକ୍‍ ସଭାପତି ଆଲୋକ ଭଟ୍ଟାଚାର୍ଯ୍ୟ, ସମୀର ନାଥ, ପ୍ରିୟବ୍ରତ ବାନାର୍ଜୀ, ଅବଦୁଲ୍‍ ହକ୍‍, ଗୌତମ ମଣ୍ଡଳ,ଲୋକନାଥ ବାଗଙ୍କ ସମେତ ସାତଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇ ଅବଦୁଲ୍‍ ହକ୍‍, ଗୌତମ ମଣ୍ଡଳକୁ ଗିରଫ କରି ଡାଇମଣ୍ଡ ହାରବର ଅଦାଲତରେ ହାଜର କରିଥିଲା। ଅଦାଲତ ଏହି ଦୁଇଜଣଙ୍କୁ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ପୁଲିସ ହାଜତରେ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଖେଳିଯାଇଛି। ଅନ୍ୟମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ ପାଇଁ ପୁଲିସ ଅଭିଯାନ ଚଳାଇଛି।
ତେବେ ଏହି ଅଭିଯୋଗକୁ ତୃଣମୂଳ କଂଗ୍ରେସ ପକ୍ଷରୁ ଅସ୍ୱୀକାର କରାଯାଇଛି। ତୃଣମୂଳ କଂଗ୍ରେସ ବ୍ଲକ୍‍ ସଭାପତି କହିଛନ୍ତି ଯେ ବିଜେପିର ଘରୁଆ କନ୍ଦଳ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି। ଏଥିରେ ତୃଣମୂଳକଂଗ୍ରେସର ନେତାମାନେ ସଂପୃକ୍ତ ନୁହନ୍ତି। ଶକ୍ତିପଦ ସର୍ଦାର ଏଭଳି କୌଣସି ପ୍ରତିଷ୍ଠିତ ବ୍ୟକ୍ତି ନଥିଲେ ଯେ ତାଙ୍କୁ କେହି ହତ୍ୟା କରିବ। ତେବେ ବିଜେପି ମଧ୍ୟରେ କେତେକ ହିଂସ୍ର ଥିବାରୁ ଏଭଳି ପଦକ୍ଷେପ ହୁଏତ ସେମାନେ ନେଇଛନ୍ତି। ତେଣୁ ପୁଲିସ ଯଥାଯଥ ଭାବେ ତଦନ୍ତ କଲେ ସମସ୍ତ ବିଷୟ ପଦାକୁ ଆସିବ। ସେ କହିଛନ୍ତି ଯେ ଶକ୍ତିପଦ ସର୍ଦାରଙ୍କ ପତ୍ନୀ ଯେଉଁ ଅଭିଯୋଗ କରିଛନ୍ତି ତାହା ବିଜେପିର ଚାପରେ ହିଁ ହୋଇଛି। ବର୍ତ୍ତମାନ
ପରିସ୍ଥିତିରେ ବିଜେପି କର୍ମୀମାନେ ନିଜକୁ ସୁରକ୍ଷା ଦେବା ପାଇଁ ତୃଣମୂଳ କଂଗ୍ରେସ ଉପରେ ଦୋଷ ଲଦି ଦେଉଛନ୍ତି। ତେଣୁ ଏହାର ଯଥାଯଥ ତଦନ୍ତ ଚଳାଇବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି। ମନ୍ଦିରବଜାର ଅଞ୍ଚଳରେ କୌଣସି ବିଜେପିର ପ୍ରତିନିଧି ନଥିବାବେଳେ ସେମାନଙ୍କ ସାଂଗଠନିକ ପରିବେଶ ମଧ୍ୟ ଏଠାରେ ନାହିଁ। ସାଧାରଣ ଜନତା ତୃଣମୂଳ କଂଗ୍ରେସ ଉପରେ ବିଶ୍ୱାସ ରଖନ୍ତି। ତେଣୁ ଏହି ହତ୍ୟା ଘଟଣାର ତଦନ୍ତ ସଠିକ୍‍ ଭାବେ କରାଯାଉ ବୋଲି କେବଳ ଦଳଗତ ନୁହେଁ, ସାଧାରଣ ଜନତା ମଧ୍ୟ ଚାହାନ୍ତି।
ଏହି ଘଟଣା ପରିପ୍ରେକ୍ଷୀରେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ କୌଣସି ପ୍ରକାର ହିଂସା ରାଜନୀତିକୁ ତୃଣମୂଳ କଂଗ୍ରେସ ପ୍ରଶ୍ରୟ ଦିଏ ନାହିଁ। ତେଣୁ ଶକ୍ତିପଦ ସର୍ଦାରଙ୍କ ହତ୍ୟା ନେପଥ୍ୟରେ ଯିଏ ବି ଯୁକ୍ତ ରୁହନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଆଇନ୍‍ ତାର ନିଜସ୍ୱ ପଥରେ ଯେପରି ପରିଚାଳିତ ହେବ ସେଥିପାଇଁ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରାଯିବ।

Leave A Reply