ଉପନିର୍ବାଚନରେ ବିଜୟୀ ଦୁଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଓ ବିଜୟଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ରାଜ୍ୟରେ ଅନୁଷ୍ଠିତ ଦୁଇଟି ବିଧାନସଭା ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ସ୍ୱରୂପ କୁମାର ଦାସ ଓ ବିଜୟ ଶଙ୍କର ଦାସଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।


ବାଲେଶ୍ୱର ସଦର ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ବରୂପ ଦାସ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ୧୩ ହଜାର ୧୯୫ ଭୋଟରେ ଆଗରେ ରହି ବିଜୟୀ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ପାର୍ଥୀ ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ରେକର୍ଡ ସଂଖ୍ୟକ ୪୦,୬୯୭ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ବିଜୁ ଜନତା ଦଳର ସୁପ୍ରିମୋ ନବୀନ ଟ୍ବିଟ କରି ବିଜୟୀ ଦୁଇ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି।

ଟୁଇଟ୍‌ କରି ନବୀନ ଲେଖିଛନ୍ତି, “ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ”। ଏଥି ସହିତ ନବୀନ  କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁ ଜନତା ଦଳ ସର୍ବଦା ସଂକଳ୍ପବଦ୍ଧ ବୋଲି ମଧ୍ୟ ନବୀନ ଟ୍ବିଟରେ କହିଛନ୍ତି ।

Comments are closed.