ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିବ ବିଜେଡି

ଭୁବନେଶ୍ୱର: ସଂସଦରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ବିଜେଡି ସମର୍ଥନ କରୁଛି। ରାଜ୍ୟସଭାରେ ଏହି ବିଲ୍‌ ଆଗତ ହେଲେ ଦଳ ଏହାକୁ ସମର୍ଥନ କରିବ ବୋଲି ଜଣାପଡ଼ିଛି। ଏହି ବିଲ୍‌କୁ ସାଂପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିରୁ ନ ଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ନାଗରିକତା ସଂଶୋଧନ ବିଲ୍ ୨୦୧୯ର ପ୍ରଭାବ କେବଳ ଭାରତରେ ନୁହେଁ, ବରଂ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପିଛି। ଓଡିଶା ଏକ ଶାନ୍ତିପ୍ରିୟ ଓ ଧର୍ମ ନିରପେକ୍ଷ ରାଜ୍ୟ ହୋଇଥିବାବେଳେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଧର୍ମନିରପେକ୍ଷ ନେତା ଭାବେ ବେଶ୍‍ ପରିଚିତ। ବିଲ୍‌କୁ ଅନୁଧ୍ୟାନ କରିବା ପରେ ଦଳ ଅନୁଭବ କରୁଛି ଯେ ଏହି ବିଲର କୌଣସି ସମ୍ପର୍କ ଏନ୍‍ଆରସି ସହିତ ନାହିଁ। ଏନ୍‍ଆରସି ଏକ ଭିନ୍ନ ପ୍ରସଙ୍ଗ ଏବଂ ତାହା ଉପରେ ବ୍ୟାପକ ଆଲୋଚନା କରିବାର ଆବଶ୍ୟକତା ରହିଛି। ଏହି ବିଲ୍ରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶକୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଶ୍ରୀଲଙ୍କାକୁ ବାଦ୍ ଦିଆଯାଇଛି। ପୂର୍ବରୁ ୧୧ ବର୍ଷ ଭାରତରେ ବସବାସ କରିଥିଲେ ଯାଇ ସେମାନେ ନାଗରିକତ୍ୱ ପାଇଁ ଆବେଦନ କରିପାରୁଥିଲେ। ତାହାକୁ କୋହଳ କରି କେବଳ ୫ ବର୍ଷକୁ ହ୍ରାସ କରାଯିବା ଦ୍ୱାରା ଅନେକ ଲୋକ ଏଥିରେ ଉପକୃତ ହେବେ। ବିଜେଡି ଏହି ବିଲ୍‌କୁ ସମର୍ଥନ କରିବା ସହ ଦଳ ୩ଟି ପରାମର୍ଶ ଦେଇଛି।

ପ୍ରଥମତଃ ଶ୍ରୀଲଙ୍କାକୁ ଏହି ବିଲରେ ଅନ୍ତର୍ଭୁକ୍ତ କରିବାକୁ ଦଳ ପରାମର୍ଶ ଦେଇଥିବାବେଳେ ଶ୍ରୀଲଙ୍କାଠାରେ ଅନେକ ଦଶନ୍ଧିଧରି ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ପ୍ରତି ଅତ୍ୟାଚାର କରାଯାଉଛି। ସେମାନଙ୍କୁ ଏହି ସୁଯୋଗରୁ ବଞ୍ଚିତ କରା ନ ଯାଉ। ସେହିପରି ୨ୟରେ. ଏହି ବିଲକୁ ଏନ୍‍ଆରସି ସହ ଯୋଡା ନ ଯାଉ। ଏନ୍‍ଆରସି ଏକ ବ୍ୟାପକ ପ୍ରସଙ୍ଗ, ଯାହା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି। ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ। ୩ୟରେ ମୁସଲମାନ ସଂପ୍ରଦାୟକଙ୍କୁ ଅନ୍ତର୍ଭୁକ୍ତ ନ କରାଯିବାରୁ ତାଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହେଉଥାଇପାରେ ତାହାକୁ ପ୍ରଶମିତ କରିବା ସରକାରଙ୍କର ନୈତିକ ଦାୟିତ୍ୱ। ସରକାର ଦୃଢତାର ସହ ସମାଜ ମଧ୍ୟରେ ଏଭଳି ବିଶ୍ୱାସ ବୃଦ୍ଧି କରନ୍ତୁ ଯେ ଏହି ବିଲ୍ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ନୁହେଁ, ଯାହାକି କିଛି ରାଜନୈତିକ ଦଳମାନେ ପ୍ରଚାର କରୁଛନ୍ତି। ସର୍ବୋପରି କେନ୍ଦ୍ର ସରକାର ଯେଉଁ ବିଲ୍‍ ଆଣିଛନ୍ତି ତାହାର ରାଜନୀତିକରଣ କରା ନ ଯାଉ। ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସର୍ମଥନ କରିବା ଏବଂ ଯଦି ମନରେ କୌଣସି ଆଶଙ୍କା ଅଛି, ତାହାକୁ ଦୂର କରି ରାଜନୀତିକରଣରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି ବିଜେଡି କହିଛି।

Comments are closed.