ବିଜେଡି ନେତା ଦିଲୀପ ଦାଶଙ୍କ ଦେହାନ୍ତ

ପିପିଲି: ପିପିଲି ଅଞ୍ଚଳର ବରିଷ୍ଠ ବିଜେଡି ନେତା ତଥା ଯଶୁଆପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିଲୀପ କୁମାର ଦାଶଙ୍କର ଆଜି ୫୮ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ଯଶୁଆପୁର ଗ୍ରାମସ୍ଥିତ ବାସଭବନରେ ବିଶ୍ରାମ ନେଉଥିବା ବେଳେ ଆଜି ସକାଳେ ସେ ହଠାତ୍‍ ଅସୁସ୍ଥ ହୋଇପଡିଥିଲେ । ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ହୃଦ୍‌ଘାତ ହୋଇଥିଲା । ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦିଲୀପଙ୍କ ପରଲୋକରେ ଯଶୁଆପୁର ଗ୍ରାମ ପଞ୍ଚାୟତ ସମେତ ସମଗ୍ର ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ମେଳାପି ବ୍ୟକ୍ତି ଭାବେ ବେଶ୍‍ ପରିଚିତ ଥିଲେ । ଖବର ପାଇ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଯଶୁଆପୁର ପଞ୍ଚାୟତ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ବିଜେଡି ନେତା ବିଜୟ ନାୟକ, ବରିଷ୍ଠ ନେତା ଧରଣୀଧର ସାହୁ, କିଶୋର କୁମାର ଛୋଟରାୟ, ସଦାଶିବ ଦାଶ, କୁଞ୍ଜମୋହନ ଦାଶ, ପିପିଲି ବ୍ଲକ ଯୁବ ବିଜେଡି ସଂପାଦକ ଆଶିଷ କୁମାର ବରାଳ, ଯୁବନେତା ବିଶ୍ୱଜିତ ଦାଶ ପ୍ରମୁଖ ମଙ୍ଗଳପୁର ଡାକ୍ତରଖାନାରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Comments are closed.