ତୈଳ, ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୋଧରେ ସୋମବାର ବିଜେଡିର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରେଙ୍ଗାଲିକେମ୍ପ :  କେନ୍ଦ୍ର ସରକାରଙ୍କ ତୈଳ ଦର ବୃଦ୍ଧି କୁ ନେଇ ବର୍ତ୍ତମାନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ପେଟ୍ରୋଲ ଲିଟର ତିରିଶରୁ ଚାଳିଶ ପଇସା ବୃଦ୍ଧି ପାଇ ରବିବାର ଲିଟର ପିଛା ୧0୯ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଲାଣି । ଏହି ତୈଳ ଦର ବୃଦ୍ଧି ଚାଷୀଙ୍କ ପାଇଁ ବଜ୍ର ସଦୃଶ ହୋଇ ପଡ଼ିଛି। ତୈଳଦର ବୃଦ୍ଧି ହେବା ଦ୍ଵାରା ପରିବହନ ଖର୍ଚ୍ଚ ବଢୁଛି ତେଣୁ ଅନ୍ୟାନ୍ୟ ଅତ୍ୟାବଶ୍ୟକ  ଖାଉଟି ସାମଗ୍ରୀର ଦର ବୃଦ୍ଧି ମଧ୍ୟ ହେବାରେ ଲାଗିଛି। ରନ୍ଧନ ଗ୍ୟାସ ୯୨୬ ଟଙ୍କାକୁ ବୃଦ୍ଧି ପାଇଲାଣି । ଗ୍ୟାସ ଦର ଆକାଶ ଛୁଆଁ ,ତେଣୁ ପୁଣି ଲୋକେ କାଠ ଚୁଲି ବ୍ୟବହାର କରୁଛନ୍ତି । ଲୋକଙ୍କ ଜୀବନ ଯାପନ  ପ୍ରଣାଳୀରେ ଅନେକ ସମସ୍ୟା ହେଉଛି। ସରକାରଙ୍କ ଏହି ଗ୍ୟାସ, ପେଟ୍ରୋଲ, ଡିଜେଲ ର ଦର ବୃଦ୍ଧିର ପ୍ରତିବାଦ କରିବା ପାଇଁ ଅତାବିରା ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଧାୟିକା  ସ୍ନେହାଙ୍ଗିନୀ  ଛୁରିଆଙ୍କ ନିର୍ଦ୍ଦେଶ କ୍ରମେ ଯୁବ ସଭାପତି ମଣ୍ଟୁ ପଣ୍ଡା ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୧୨ଘଣ୍ଟିଆ ଧାରଣା ଦିଆଯବା ପାଇଁ ନିଷ୍ପତ୍ତି ନିଆଯାଇଛି । ୫ରୁ ୭ ତାରିଖ ମଧ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜୁ ଯୁବ ଛାତ୍ର ସଂଗଠନ ତଥା ମହିଳା ସଂଗଠନ ପକ୍ଷରୁ ପ୍ରତିବାଦ ପୂର୍ବକ ଧାରଣା  ଦିଆଯିବ ବୋଲି ମଧ୍ୟ ଦଳ ପକ୍ଷରୁ ସୂଚନା ମିଳିଛି ।

Comments are closed.