ମହିଳା ସଂରକ୍ଷଣ ବିଲ୍ ପାସ୍‌ ହେଉ : ବିଜେଡି

ଭୁବନେଶ୍ବର : ମହିଳାଙ୍କୁ ରାଜନୀତି କ୍ଷେତ୍ରରେ ୩୩% ସଂରକ୍ଷଣ ଦେବା ପାଇଁ ଚଳିତ ବଜେଟ ଅଧିବେଶନରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ ଗୃହୀତ କରାଇବା ପାଇଁ ବିଜେଡି ଶନିବାର ସର୍ବଦଳୀୟ ବୈଠକରେ ଦାବି କରିଛି। ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏନେଇ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବୈଠକରେ ଶ୍ରୀ ମିଶ୍ର ଯୋଗଦେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତରଫରୁ ବଜେଟ ଅଧିବେଶନ କାଳରେ ଏହି ବିଲ ପାସ ପାଇଁ ଅନୁରୋଧ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେଡିର ୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ମହିଳା ଥିଲେ। ଏକମାତ୍ର ରାଜନୈତିକ ଦଳ ଭାବେ ବିଜେଡି ଏହା କରି ଦେଖାଇଥିଲା। ବିଜେଡିର ୭ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୫ ସଂସଦକୁ ନିର୍ବାଚିତ ହୋଇଥିବାବେଳେ ବିଜେପିର ଦୁଇ ମହିଳା ପ୍ରାର୍ଥୀ ମଧ୍ୟ ସଂସଦକୁ ଆସିଛନ୍ତି। ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରୁ ଏକ-ତୃତୀୟାଂଶ ମହିଳା ଲୋକସଭାକୁ ନିର୍ବାଚିତ ହୋଇଆସିଛନ୍ତି। କଂଗ୍ରେସ ଓ ବିଜେପି ପୂର୍ବରୁ ଏହି ବିଲ୍‌କୁ ସମର୍ଥନ ଜଣାଇ ସାରିଥିବାବେଳେ ୱାଇଏସଆର କଂଗ୍ରେସ ଏବଂ ଟିଆରଏସ ଖୋଲାଖୋଲି ଭାବେ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମହିଳା ସଂରକ୍ଷଣ ବିଲ ପାସ୍‌ ଦାବିକୁ ସମର୍ଥନ କରିଛନ୍ତି। ଦଶବର୍ଷ ତଳୁ ରାଜ୍ୟସଭା ଏହି ବିଲକୁ ମଞ୍ଜୁରି ପ୍ରଦାନ କରିସାରିଛି। ତେଣୁ ଲୋକସଭାରେ ବିଲ ପାସ କରାଇବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁଭବ କରିଥିବା ଶ୍ରୀ ମିଶ୍ର ବୈଠକରେ କହିଥିଲେ।

Comments are closed.