କଟକଣା କୋହଳ ହେବା ପରେ ଗାଁ ଗାଁରେ ଜମୁଛି ପ୍ରଚାର; ନାନ୍ଦପୁର ପଞ୍ଚାୟତରେ ଗଡ ରକ୍ଷା ପାଇଁ ବିଜେଡିର ଜୋରଦାର ଉଦ୍ୟମ

ଆରଡି : କୋରନାର ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଚାର ପାଇଁ କଟକଣାକୁ କୋହଳ କରାଯିବା ପରେ ଗାଁ ଗାଁରେ ଏବେ ନେତାଙ୍କ ପ୍ରଚାର ଜୋର ଧରିଛି। ଏପରିକି ପ୍ରାର୍ଥୀମାନେ ନିଜ ନିଜର କର୍ମୀ ଓ ଦଳର ମୁଖିଆଙ୍କୁ ଧରି ଭୋଟ ଭିକ୍ଷା କରୁଛନ୍ତି। ଗୁରୁବାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚାନ୍ଦବାଲି ବ୍ଲକ ୧ନଂ ଜୋନର ନାନ୍ଦପୁର ପଞ୍ଚାୟତରେ ବିଜେଡି ଦଳର ଜିଲାପରିଷଦ ପ୍ରାର୍ଥୀ ପ୍ରିନ୍ସିରାକେଶ ନାୟକ, ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସରଳା ବିଶ୍ବାଳ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲାପରିଷଦ ଅଜୟ ନାୟକ, ପୂର୍ବତନ ସରପଞ୍ଚ ସରୋଜ ଦାସ, ପ୍ରସନ୍ନ ଜେନା, ଭଗବାନ ମାଝୀ ପ୍ରମୁଖ କର୍ମୀମାନଙ୍କୁ ସାଥିରେ ଧରି ନିଜର ଗଡ ରକ୍ଷା ପାଇଁ ଗାଁ ଗାଁ ଓ ଘରଘର ବୁଲି ପ୍ରଚାର ଚଳାଇଛନ୍ତି। ଏହି ପଞ୍ଚାୟତରେ ବିଜେଡିର ଗଡ ଭାଙ୍ଗିବା ପାଇଁ ତୃତୀୟ ଥର ପାଇଁ କଂଗ୍ରେସ ଓ ବିଜେପି ମହାମେଣ୍ଟ କରିବା ସହ ଜଣେ ଶିକ୍ଷିତ ଯୁବତୀ ଗାଁର ଝିଅ ଜ୍ୟୋତିର୍ମୟୀ ରାୟଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଚଳିତ ନିର୍ବାଚନରେ ୨ଜଣଙ୍କ ମଧ୍ୟରେ ଅର୍ଥାତ ଗାଁ ଝିଅ ଓ ବୋହୂଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଲୋକମାନଙ୍କ ମଧ୍ୟରେ ଗୁଞ୍ଜରଣ ଦେଖା ଦେଇଛି। ହେଲେ ବିଜେଡି ସମର୍ଥିତ ପାର୍ଥୀ ସରକାରଙ୍କ ବିକାଶ ମୂଳକ ଯୋଜନାକୁ ମୁଦ୍ଧା କରି ଭୋଟରଙ୍କ ମନ ଜିଣିବା ସହ ପ୍ରଚାର ଓ ସଂଗଠନରେ ଆଗରେ ରହିଛି। ଗତ ୩ଥର ଏହି ପଞ୍ଚାୟତରେ ବିଜେଡି ବିରୋଧି କଂଗ୍ରେସ ଓ ବିଜେପି ମେଣ୍ଟର ସମର୍ଥିତ ପାର୍ଥୀଙ୍କୁ ପଛର ପକାଇ ପଞ୍ଚାୟତ ଆସନ ଦଖଲ କରିବା ସହ ଗାଁ ମୁଖିଆ ହୋଇଥିଲା। ସେହିପରି ୨୦୧୭ ନିର୍ବାଚନରେ ସମିତିସଭ୍ୟ ଆସନ ମେଣ୍ଟକୁ ଯାଇଥିଲା। ହେଲେ ୧୩ଟି ୱାର୍ଡରୁ ୧୨ଟି ୱାର୍ଡ ଦଖଲ କରିଥିଲା ବିଜେଡି। ଏହି ପଞ୍ଚାୟତରେ ପାନୀୟଜଳ, ସ୍ବାସ୍ଥ୍ୟ, ଶିକ୍ଷା ଆଦିର ସମସ୍ତ ବ୍ୟବସ୍ଥାର ସୁଧାର ଆସିଥିବା ବେଳେ ସମସ୍ତ ଗାଁକୁ ଯୋଡି ହେବା ପାଇଁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ସହ ବିଭିନ୍ନ ଯୋଜନାରେ ପକ୍କା ସଡକ ନିର୍ମାଣ କରାଯାଇଥିବା ବାର୍ତ୍ତା ନେଇ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ। ଅନ୍ୟପଟେ ବିଜେପି ଓ କଂଗ୍ରେସ ମେଣ୍ଟର ପାର୍ଥୀ ପଞ୍ଚାୟତକୁ ଦୁର୍ନୀତିମୁକ୍ତ କରିବା ସହ ଆସୁଥିବା ବିଭିନ୍ନ ଯୋଜନା ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଦ୍ଦା କରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି।

Comments are closed.