ରୋଗୀଙ୍କ ପାଇଁ ଆଶା ବାଡ଼ି ପାଲଟିଛି ‘ଜୀବନ ବିନ୍ଦୁ’

- ରକ୍ତଦାନ କଲେ ଜଗତସିଂହପୁର ଵିଧାୟକ

ସମାଜ ପୋର୍ଟାଲ ଡେସ୍କ: ‘କରୋନା’ରୁ ମୁକ୍ତି ପାଇଁ ଏବେ ସମଗ୍ର ବିଶ୍ୱ ପ୍ରୟାସ କରୁଥିବାବେଳେ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। କରୋନା ଭଳି ବିପତ୍ତି ପାଇଁ ଲକଡାଉନ୍ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣୀତ ହୋଇ ସାମାଜିକ ଦୂରତ୍ୱ ଓ ପରିଚ୍ଛନ୍ନତା ବଜାୟ ରଖି ଯୁବବର୍ଗ ଏବେ ରକ୍ତଦାନ ପାଇଁ ଆଗେଇ ଆସିଛନ୍ତି। ମଙ୍ଗଳବାର ଜଗତସିଂହପୁର, ରାଉରକେଲା ଓ ଅନୁଗୋଳରେ ବିଜେଡିର ‘ଜୀବନବିନ୍ଦୁ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଛି। ଜଗତସିଂହପୁରରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ।

କରୋନା ବିପତ୍ତି ସମୟରେ ନିଜର ସାମାଜିକ ଦାୟିତ୍ୱ ଭାବେ ବିଧାୟକ ମୁଦୁଲିଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ୭ଦିନ ଧରି ଚାଲିବ। ସାମାଜିକ ଦୂରତ୍ୱକୁ ବଜାୟ ରଖି ପ୍ରତ୍ୟେକ ଦିନ ଏଠାରେ ୨୦ରୁ ୩୦ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ଦିନରେ ବିଧାୟକ ମୁଦୁଲିଙ୍କ ସମେତ ମୋଟ ୨୭ଜଣ ରକ୍ତଦାନ କରିଥିଲେ। ଏହି ରକ୍ତଦାନ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ନିଜର ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ ନିମନ୍ତେ ସେ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଦୋଳଗୋବିନ୍ଦ ଦାସ, ପ୍ରିୟବ୍ରତ ମହାପାତ୍ର ଓ ଯୁବନେତା ରତିରଞ୍ଜନ ବେହେରା ସହଯୋଗ କରିଥିଲେ।

ସେହିପରି ଜୀବନବିନ୍ଦୁ ମୁଖ୍ୟ ସଂଯୋଜକ ତଥା ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ ଓ ଜୀବନବିନ୍ଦୁ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳଙ୍କ ସଂଯୋଜନାରେ ବିଜେଡି ବାରବାଟୀ-କଟକର ଛାତ୍ର ଓ ଯୁବ ଶାଖାର ସଦସ୍ୟମାନେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ରାଜାବଗିଚାର ଜୟଜବାନ କ୍ଲବ ସଦସ୍ୟମାନେ ୩୩ ୟୁନିଟ୍ ରକ୍ତଦାନ କରିଥିଲେ। ବିଶେଷକରି ସୁସ୍ମିତା ମହାନ୍ତି ଓ ସୁନୀଲ ରାଜଙ୍କ ପ୍ରୟାସ ଓ ଯୁବନେତା ଜନସନ ମହାପାତ୍ର, ଜଗତଜ୍ୟୋତି ପଟ୍ଟନାୟକଙ୍କ ସହଯୋଗରେ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ରାଉରକେଲାରେ ବିଧାୟକ ଶାରଦା ପ୍ରସାଦ ନାୟକ ଓ ଜୀବନବିନ୍ଦୁ ସଂଯୋଜକ କୁନବିହାରୀ ଦାସଙ୍କ ସଂଯୋଜନାରେ ରାଉରକେଲା ବିଜୁ ଯୁବ ଛାତ୍ର ଜନତା ଦଳର ସଦସ୍ୟମାନେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଭ୍ରାମ୍ୟମାଣ ରକ୍ତଦାନ ଶିବିରର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ରାଉରକେଲା ଚାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ଓ ବେଦବ୍ୟାସ-ରାଉରକେଲା ଟ୍ରକ ମାଲିକ ସଂଘର ପ୍ରମୁଖ ସଦସ୍ୟମାନେ ବିଶ୍ୱରଞ୍ଜ ବେଉରିଆ, ବିଜୟ ପ୍ରଧାନ ଓ ଅନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ସାମିଲ ହୋଇ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରିଛନ୍ତି।

ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ, ଖଲାରୀ ଗ୍ରାମ ପଞ୍ଚାୟତ ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଖଲାରୀ ଗଡପଦା ସାହି ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜନ କରାଗଲା ସାମାଜିକ ଦୂରତ୍ୱ ମଧ୍ୟ ପାଳନ କରାଗଲା। ଏହା ସହିତ ସମସ୍ତ ରକ୍ତଦାତାଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ତିଆରି କରାଯାଇଥିବା କପଡା ମାସ୍କ ବଣ୍ଟନ କରାଯାଇଥିଲା। ଅନୁଗୁଳ ବିଜୁ ଜନତା ଦଳର ସଭାପତି ମହେନ୍ଦ୍ର କୁମାର ବସ୍ତିଆ, ଯୁବନେତା ଅରୁଣାଭ ସିଂହ, ଅନୁଗୁଳ ବ୍ଲକ ସଭାପତି ସରୋଜ ନାରାୟଣ ସାହୁ ଓ ବରିଷ୍ଠ ଶିକ୍ଷାବିତ ଜୟନ୍ତ କୁମାର ପାଲିତ ରକ୍ତଦାତାମାନଙ୍କୁ ଉସ୍ଛାହିତ କରିଥିଲେ। ଏହି ରକ୍ତଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Comments are closed.