ମମିତା ହତ୍ୟା ପ୍ରସଙ୍ଗରେ ବିଜେଡିର ଅଭିଯୋଗ, ଗୋବିନ୍ଦକୁ ଖସାଇବାକୁ ବିଜେପି କରିଛି ଷଡଯନ୍ତ୍ର

ଗୋବିନ୍ଦ ସପକ୍ଷରେ ମାମଲା ଲଢୁଛନ୍ତି ଜଣାଶୁଣା ବିଜେପି ନେତା

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାରେ ନାଟକବାଜି କରୁଛି ହେଲେ ସେପଟେ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପି ନେତାମାନେ ସାଙ୍ଘାତିକ ଷଡଯନ୍ତ୍ର କରିଛନ୍ତି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ ଅଭିଯୋଗ କରିଛନ୍ତି।

ଶ୍ରୀ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦଳର ଜଣେ ସକ୍ରିୟ ସଦସ୍ୟ ତଥା ଜଣାଶୁଣା ନେତା ମୋହନ ଲାଲ୍‍ ଶର୍ମାଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସପକ୍ଷରେ କେସ୍‍ ଲଢାଉଛନ୍ତି। ଏଥିରୁ ବିଜେପି ନେତାଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି। ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିଜେପି ନେତାମାନେ କେବଳ ଯେ ହୀନ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି।

ଏହି ଜଘନ୍ୟ ମାମଲାରେ ଗୋବିନ୍ଦଙ୍କ ଓକିଲ ସାଜିଥିବା ମୋହନ ଲାଲ୍‍ ଶର୍ମା କଣ୍ଟାବାଞ୍ଜିରେ ବିଜେପିର ଜନସମ୍ପର୍କ ଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରନ୍ତି। ୨୦୧୯ ନିର୍ବାଚନରେ କଣ୍ଟାବାଞ୍ଜିରୁ ବିଜେପି ପ୍ରାର୍ଥୀ ହେବା ଲାଗି ମଧ୍ୟ ସେ ଦୌଡ଼ରେ ଥିଲେ। ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କର ଘନିଷ୍ଠ ଭାବେ ସେ ବେଶ୍‍ ଜଣାଶୁଣା। ତାଙ୍କ ଭଳି ଦଳର ଜଣେ ସକ୍ରିୟ ନେତାଙ୍କୁ ଜହ୍ଲାଦ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପିର ବରିଷ୍ଠ ନେତାମାନେ ନିୟୋଜିତ କରିବା ପଛରେ ଯେ ଏକ ବଡ଼ ଷଡଯନ୍ତ୍ର ରହିଛି, ତାହା ଜଳଜଳ ହୋଇ ଦିଶୁଥିବା ଶ୍ରୀ ଦେବ କହିଛନ୍ତି।

ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ କରୁଥିବା ବିଜେପି ସେ ବାବଦରେ କୌଣସି ପ୍ରମାଣ ଦେଇପାରୁ ନାହିଁ। ଅଥଚ ଅଭିଯୁକ୍ତ ଗୋବିନ୍ଦକୁ ଫାଶୀଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଦିଗହରା କରିବାକୁ ବିଜେପି ଅପଚେଷ୍ଟା କରୁଛି। ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାରେ ମଧ୍ୟ ବିଜେପି ନେତାମାନେ ଏହିଭଳି ହୀନ ରାଜନୀତି କରିଥିଲେ। ଏସ୍‍ଆଇଟି ତଦନ୍ତରୁ ଅଭିଯୁକ୍ତ ଧରା ପଡ଼ିଯିବା ପରେ ମାନ୍ୟବର ହାଇକୋର୍ଟ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ରାଜନୈତିକ ସ୍ୱାର୍ଥ ଲାଗି ଅଭିଯୁକ୍ତକୁ ବଞ୍ଚାଇବାକୁ ସେତେବେଳେ କୋର୍ଟରେ ବଡ଼ ଓକିଲଙ୍କୁ କିଏ ନିଯୁକ୍ତ କରିଥିଲା ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି। ବାରମ୍ବାର ଏମିତି ଶବ ଉପରେ ବିଜେପି ରାଜନୀତି କରୁଥିଲା ବୋଲି ସମସ୍ତେ ଜାଣିଥିଲେ। ମାତ୍ର ଏବେ ଅଭିଯୁକ୍ତକୁ ଖସାଇବାକୁ ଷଡ଼ଯନ୍ତ୍ର କରୁଥିବା କଥା ପଦାରେ ପଡିଯିବା ପରେ ବିଜେପି ନେତାଙ୍କ ମୁଖା ଖୋଲିଯାଇଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ଏବଂ ବିଜେପି ଏ ପାପ କେଉଁଠି ଧୋଇବ ତାହା ଏବେ ରାଜ୍ୟବାସୀ ପ୍ରଶ୍ନ କରୁଥିବା ଶ୍ରୀ ଦେବ କହିଛନ୍ତି।

Comments are closed.