କକ୍ଷତ୍ୟାଗ ଯଥାର୍ଥ:ବିଜେଡି

0

ଭୁବନେଶ୍ୱର:-କଂଗ୍ରେସ ନେତୃତ୍ୱାଧୀନ ଉପା ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗତ ୧୪ବର୍ଷ ହେଲା କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରିଆସିଛନ୍ତି। ମହାନଦୀ, ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଭଳି ପ୍ରସଙ୍ଗରେ ଉଭୟ ସରକାର ଓଡ଼ିଶା କ୍ଷେତ୍ରରେ ଛଳନା କରିଛନ୍ତି। ଏହି କାରଣରୁ ବିଜୁ ଜନତା ଦଳ ଲୋକସଭାରେ ଉପସ୍ଥାପିତ ଅନାସ୍ଥା ପ୍ରସ୍ତାବରେ ଭାଗ ନନେଇ କକ୍ଷତ୍ୟାଗ କରିଛି। ବିଜେଡି ସାଂସଦଙ୍କ କକ୍ଷତ୍ୟାଗ ଯଥାର୍ଥ ବୋଲି ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି। ଏହି କକ୍ଷତ୍ୟାଗ ଉଭୟ ଏନଡିଏ ଓ ଉପା ସରକାରଙ୍କ ବିରୋଧରେ ବିଜେଡିର ଏକ ପ୍ରତିବାଦ। ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓଡ଼ିଶାବାସୀଙ୍କ ପାଇଁ ସହାୟକ ହେବ ନାହିଁ କିମ୍ବା ଫଳପ୍ରଦ ନୁହେଁ ବୋଲି ବିଜୁ ଜନତା ଦଳର ସମସ୍ତ ସାଂସଦ ହୃଦୟଙ୍ଗମ କରି କକ୍ଷତ୍ୟାଗ କରିଥିଲେ।
ଏଭଳି ଏକ ଅନାସ୍ଥା ପ୍ରସ୍ତାବ କଂଗ୍ରେସ ଓ ବିଜେପିର ଏକ ଡ୍ରାମା। ଉଭୟ ଦଳର ଏପ୍ରକାର ଡ୍ରାମାରୁ ବିଜେଡି ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି। ଉପା ସରକାର ଅମଳରେ କେନ୍ଦ୍ର ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରିଥିଲା। ସେହିପରି ଏନଡିଏ ସରକାରଙ୍କ ଓଡ଼ିଶା ବିରୋଧୀ ପାତର ଅନ୍ତର ନୀତି ରାଜ୍ୟବାସୀଙ୍କୁ ଗଭୀର ମର୍ମାହତ କରିଛି। ବିଜେଡି ଉଭୟ ଦଳ ଠାରୁ ସମଦୂରତ୍ୱ ରକ୍ଷା କରିଆସୁଛି। ଏହି ନିଷ୍ପତ୍ତିକୁ ଆଜି ବିଜେଡି ସଂସଦରେ ସ୍ପଷ୍ଟ ଭାବେ ଉପସ୍ଥାପିତ କରିଛି ବୋଲି ସେ କହିଛନ୍ତି।

Leave A Reply