ବିଜେଡିକୁ ଚାଲିଲା ୨୫, ଆଜି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ରବିବାର ବିଜେଡି ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହା ରାଜ୍ୟସ୍ତର ସମେତ ପ୍ରତି ବ୍ଲକ ଓ ସହରାଞ୍ଚଳରେ ପାଳନ କରାଯିବ। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଅପରାହ୍ଣ ୪.୩୦ରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରତିଷ୍ଠା ଦିବସରେ ଦଳର ସଫଳତାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ନେତା ଓ କର୍ମୀମାନେ ସଙ୍କଳ୍ପ ନେବେ ବୋଲି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ପ୍ରତିଷ୍ଠା ଦିବସ ଠାରୁ ଦଳ ପକ୍ଷରୁ ବର୍ଷବ୍ୟାପୀ ସାଙ୍ଗଠନିକ ଓ ସମାଜସେବା କାର୍ଯ୍ୟକ୍ରମ କରାଯିବ। ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଅଧିକ ନିକଟତର ହେବା, ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ନିଷ୍ଠାର ସହିତ ରାଜ୍ୟବାସୀଙ୍କ ନିକଟରେ ନିଜକୁ ସମର୍ପିତ କରିବା ନେଇ ଦଳୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରି କାମ କରିବାକୁ ସଦସ୍ୟମାନେ ଶପଥ ନେବେ।

ନୂଆ ବର୍ଷକୁ ସ୍ୱାଗତ କରିବା ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ପାଳୁଛି ଏହାର ଜନ୍ମଦିନ। ବିଜେଡିକୁ ୨୪ ପୂରି ୨୫ ଚାଲିଲା। ବିଜୁ ବାବୁଙ୍କ ପରେ ତାଙ୍କ ନାମକୁ ନେଇ ପ୍ରତିଷ୍ଠା ହୋଇଥିବା ବିଜେଡି ଗତ ୨୪ବର୍ଷ ଭିତରେ ସକଳ ଆହ୍ୱାନ ଏବଂ ଅଜସ୍ର ପ୍ରତିବନ୍ଧକ ଭିତରେ ବି ରାଜ୍ୟର ସର୍ବ ଶକ୍ତିମାନ ଦଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଏବେ ବିଜେଡିର ସବୁଠୁ ବଡ ସମ୍ପଦ। ଏପର୍ଯ୍ୟନ୍ତ କୌଣସି ବିରୋଧୀ ନବୀନଙ୍କ ବିକଳ୍ପ ସୃଷ୍ଟି କରିପାରି ନାହାନ୍ତି।

ରାଜ୍ୟରେ ଶକ୍ତିଶାଳୀ ଆଞ୍ଚଳିକ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ ହେବା ପଛରେ ରହିଛି ଜନତାଙ୍କ ସମର୍ଥନ। ୧୯୯୭ ଡିସେମ୍ବର ୨୬ରେ, ବିଜୁ ବାବୁଙ୍କ ନାମରେ ପ୍ରତିଷ୍ଠା ହୋଇଥିବା ଦଳରୁ କିଛି ଆରପାରିକୁ ଚାଲିଗଲେଣି। ଆଉ ଯେଉଁମାନେ ଅଛନ୍ତି ସେମାନେ ନବୀନ ବାବୁଙ୍କଠୁ ଦୂରରେ। ତଥାପି ନବୀନ ରାଜନୀତିରେ ଏବେ ସର୍ବଶକ୍ତିମାନ। ସାଧାରଣରେ ଚର୍ଚ୍ଚା ହୁଏ କ୍ରମାଗତ ଭାବେ ବିଜେଡି ପଞ୍ଚମ ଥର କ୍ଷମତାସୀନ ହେବା ଏବଂ ନବୀନ ମୁଖ୍ୟମନ୍ତ୍ରୀ ହେବା ପଛରେ ରହିଛି ସ୍ୱଚ୍ଛ ଶାସନ ଏବଂ ଦୁର୍ନୀତିମୁକ୍ତ ଚେହେରା ଯାହା ନବୀନଙ୍କୁ କ୍ରମାଗତ କ୍ଷମତାସୀନ କରାଇପାରିଛି। ସାଂଗଠନିକ ଦୁର୍ବଳତା କାରଣରୁ ରାଜ୍ୟରେ ନା କଂଗ୍ରେସ ନା ବିଜେପି କେହି ବିଜେଡି ବାଟରେ କଣ୍ଟା ହୋଇପାରି ନାହାନ୍ତି। ବିରୋଧୀଙ୍କ ଭିତରେ ଫାଟ, ଗୋଡଟଣା ନୀତି ଏବଂ ଦୁର୍ବଳ ସଂଗଠନ ବିଜେଡି ଓ ନବୀନଙ୍କୁ ନିରବଚ୍ଛିନ୍ନ ଭାବେ ୨୨ ବର୍ଷ ଧରି ରାଜ୍ୟ ଶାସନର ଡୋରି ଧରିବାରକୁ ସୁଯୋଗ ଦେଇଛି।

ବିଜୁଙ୍କ ପରେ କିଏ ବୋଲି ତତ୍କାଳୀନ ଜନତା ଦଳରେ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ଏବେ ନବୀନଙ୍କ ଦୀର୍ଘ ୨୨ ବର୍ଷର ଶାସନ ଏବଂ ମୁଖ୍ୟମନ୍ତ୍ରିତ୍ୱ ପରେ ନବୀନଙ୍କ ପରେ କିଏ ବୋଲି ରାଜ୍ୟ ରାଜନୀତିରେ ପ୍ରତିଧ୍ୱନିତ ହେଲାଣି। ତଥାପି ନବୀନ ବିଜେଡି ପାଇଁ ପ୍ରମୁଖ ଆକର୍ଷଣ। ୧୯୯୮ରେ ଏକ ଉପନିର୍ବାଚନରୁ ନିଜର ରାଜନୈତିକ ଭବିଷ୍ୟତ ଆରମ୍ଭ କରିଥିବା ନବୀନ ପ୍ରଥମେ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ହୋଇଥିଲେ। ପରେ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ୫ଥର ମୁଖ୍ୟମନ୍ତ୍ରୀ ହେବା ଦ୍ୱାରା ସେ ଏବେ ଜଣେ ପୋଖତ ରାଜନେତା। ଏବେ ବିଜେଡିରେ ନବୀନଙ୍କ କେହି ବିକଳ୍ପ ନାହାନ୍ତି କିମ୍ବା ରାଜ୍ୟ ରାଜନୀତିରେ ବିରୋଧୀ ଗଡରେ ନବୀନଙ୍କ ବିକଳ୍ପ ଦାନା ବାନ୍ଧିପାରୁନି। ବିଜେଡି ପ୍ରତି ଥର ନିର୍ବାଚନରେ ଜିତିବା ପଛରେ ରହିଛି ଏକ ରଣନୀତି। ତାହା ହେଲା ଗୋଟିଏ ନିର୍ବାଚନ ଜିତିବା ମାତ୍ରେ ପରବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତି। ଅତୀତରେ ଖଣି, ପାଣି, ଜଙ୍ଗଲ, ଆବାସ ନେଇ ଅନେକ ଦୁର୍ନୀତି ଅଭିଯୋଗ ବିଜେଡି ବିରୋଧରେ ଆସିଛି। ନାରୀ ନିର୍ଯାତନାଠୁ ଆରମ୍ଭ କରି ଆଇନଶୃଙ୍ଖଳା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ସରକାରଙ୍କୁ ବିବାଦୀୟ କରିଛି। ମାତ୍ର ସେସବୁ ନବୀନଙ୍କ ଶାସନକୁ ଦୋହଲାଇ ପାରିନି। ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ପ୍ରତି ନିର୍ବାଚନରେ ଲୋକସଭାଠୁ ବିଧାନସଭା ପର୍ଯ୍ୟନ୍ତ ଏତେ ଆଗରେ ରହିଛି ଯେ ବିରୋଧୀ ସେ ପାଖ ମାଡିବା ସମ୍ଭବ ହେଉନାହିଁ। ନବୀନଙ୍କ ୨୩ ବର୍ଷର ଶାସନ କାଳ ଭିତରେ ପ୍ରଥମ କରି ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଦୀର୍ଘ ସମୟ ଧରି ପ୍ରତିବାଦର ଧାରା ଜାରି ରଖିଥିଲେ ବି ଶାସକ ଦଳ ଏହାକୁ ପ୍ରତିହତ କରିବାକୁ ପଛାଇ ନାହିଁ।

୧୯୯୯ ସାଧାରଣ ନିର୍ବାଚନରେ ବିଜେଡି ୧୦ଟି ଲୋକସଭା ଆସନ ପାଇଥିବା ବେଳେ ୨୦୦୪ରେ ୧୧, ୨୦୦୮ରେ ୧୪, ୨୦୧୪ରେ ୨୦ ଏବଂ ୨୦୧୯ରେ ୧୨ ଆସନ ହାତେଇଛି। ସେହିପରି ୨୦୦୦ ଏବଂ ୨୦୦୪ରେ ବିଜେଡି ବିଜେପି ସହ ମେଣ୍ଟକରି ଯଥାକ୍ରମେ ୬୮ ଓ ୬୧ ଆସନ ପାଇଥିବା ବେଳେ ୨୦୦୯ରେ ବିଜେପି ହାତ ଛାଡିବା ପରେ ଏକାକୀ ୧୨୯ ଆସନରେ ଆସନରେ ଲଢ଼ି ୧୦୩ଟିରେ ଜିତିଥିଲା। ୨୦୧୪ରେ ୧୪୭ରୁ ୧୧୭ ଏବଂ ୨୦୧୯ରେ ୧୪୬ରୁ ୧୧୨ଟିରେ ଜିତିବା ସହିତ ନିଜର ଭୋଟ ହାର ଗତ ୨୦ ବର୍ଷ ଭିତରେ ୧%ରୁ ୧.୭%କୁ ବଢ଼ାଇପାରିଛି।

ପାଞ୍ଚ ପାଳିରେ ମୁଖ୍ୟମନ୍ତ୍ରୀ ଏବଂ ଦଳର ସଭାପତି ଭାବେ ନିଜ ଆସନକୁ ନିରଙ୍କୁଶ ରଖିବା ସତ୍ୱେ ନବୀନ ଚୁପ୍‍ ବସିନାହାନ୍ତି। ଦଳୀୟ ସଂଗଠନକୁ ଅଧିକ ଦୃଢ଼ କରିବାକୁ ଏକଦା ବିଜୁବାବୁଙ୍କ ଘନିଷ୍ଠଥିବା ବରିଷ୍ଠ ନେତା ଅଶୋକ ଦାସଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ଦଳର ସଂଗଠନ ଦାୟିତ୍ୱ ଦେବା ସହ ଦଳରେ ମୁଖ୍ୟାଳୟ ଦାୟିତ୍ୱରେ ସଞ୍ଜୟ ଦାସବର୍ମାଙ୍କୁ ବସାଇଛନ୍ତି। ଦଳର ବହୁ ବରିଷ୍ଠ, ଅନୁଭବୀ, ଅଭିଜ୍ଞ ନେତାମାନଙ୍କୁ ରାଜ୍ୟ ଉପସଭାପତି ଏବଂ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ସରକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବା, ଅଧିକ କର୍ମୀଙ୍କୁ ଦଳ ସହ ଯୋଡିବା ଏବଂ ୫-ଟି ଓ ମୋ’ ସରକାର ଯୋଜନା ଜରିଆରେ ସାଧାରଣ ଲୋକଙ୍କ ନିକଟତର କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି।

ନବୀନଙ୍କ ନେତୃତ୍ୱ କାଳରେ ତାଙ୍କୁ ସାହାଯ୍ୟ ଓ ପରାମର୍ଶ ଦେବା ପାଇଁ ବିଭିନ୍ନ ସମୟରେ ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ପ୍ୟାରୀ ମୋହନ ମହାପାତ୍ରଙ୍କ ପର୍ଯ୍ୟନ୍ତ ଅନେକ ନେତା ଘନିଷ୍ଠ ହୋଇ ପରବର୍ତ୍ତୀ କାଳରେ ଦୂରେଇ ଯାଇଥିଲେ ମଧ୍ୟ କେହି ନବୀନଙ୍କ ଚଲାପଥରେ କଣ୍ଟା ହୋଇପାରି ନାହାନ୍ତି। ଏପରିକି ୨୦୦୯ରେ ମେଣ୍ଟଦଳ ବିଜେପି ହାତ ଛାଡିବା ଏବଂ ୨୦୧୪ ଓ ୨୦୧୯ରେ ଦେଶବ୍ୟାପୀ ମୋଦି ଓ ବିଜେପିର ପ୍ରଚଣ୍ଡ ହାୱା ସତ୍ତ୍ବେ ନବୀନଙ୍କ ଶଙ୍ଖନାଦ ନିରବି ଯାଇନି। ବରଂ ଦଳ ଏସବୁ ଆହ୍ୱାନକୁ ସାମ୍ନା କରି ଅଧିକ ଶକ୍ତିଶାଳୀ ହୋଇପାରିଛି।

ତଥାପି ଖୁବ୍‍ ସୁଦୃଢ଼ ସ୍ଥିତିରେ ଥିବା ବିଜେଡି ଏବଂ ଏହାର ନେତା ନବୀନଙ୍କ ପାଇଁ ଆଗାମୀ ଦିନଗୁଡିକ ଏତେ ନିଷ୍କଣ୍ଟକ ନୁହେଁ। ୨୦୨୪ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ନବୀନଙ୍କୁ ପଞ୍ଚାୟତ ଏବଂ ପୌର ଦୁଇଦୁଇଟି ଅଗ୍ନିପରୀକ୍ଷାର ସାମ୍ନା କରିବାକୁ ପଡିବ। ଏହାର ଉତୀର୍ଣ୍ଣହାର ଉପରେ ଲୋକସଭା ବା ବିଧାନସଭାର ଫଳାଫଳ ନିର୍ଭର କରୁନି ସତ, ହେଲେ ବିଜେଡି ପ୍ରତି ଥିବା ରାଜ୍ୟର ହାୱା ବଦଳିଛି କି ନା ଅନ୍ତତଃ ସେସବୁର ସବୁଜ ସଙ୍କେତ ମିଳିଯିବ। ବିଜେଡି ସଂଗଠନ ସୁଦୃଢ଼ ହୋଇଥିଲେ ବି ଦଳରେ ଅସନ୍ତୋଷ ରହିଛି। ଅନେକ ଯୁବ ନେତୃତ୍ୱଙ୍କ ଉପରେ ନବୀନ ଭରସା ରଖିଥିବା ବେଳେ ସେମାନେ ଦଳର ବରିଷ୍ଠଙ୍କୁ ଉପେକ୍ଷା କରୁଥିବା ରାଜନୈତିକ ବିଶ୍ଳେଷକ ମହଲରେ ଚର୍ଚ୍ଚା ଚାଲିଛି। ଏହା ଛଡା ଅନ୍ୟ ଦଳରେ ଥାଇ ବିଜେଡିକୁ ଘୋର ସମାଲୋଚନା କରୁଥିବା କିଛି ନେତା ଇତିମଧ୍ୟରେ ବିଜେଡିରେ ସାମିଲ ହେବା ପରେ ପୁରୁଣା ନେତା ଓ ଆଗନ୍ତୁକଙ୍କ ଭିତରେ ମତପାର୍ଥକ୍ୟ ଦେଖାଦେଲାଣି। ତେଣୁ ନିର୍ବାଚନ କାଳରେ ଏସବୁର ପ୍ରଭାବ ବି ଅନୁଭୂତ ହେବ।

ବିଜେଡି ପାଇଁ ଆଗକୁ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି ଅନେକ ଆହ୍ୱାନ ସୃଷ୍ଟି କରିବାର ସମ୍ଭାବନା ରହିଛି। ବିଜେପିରେ ବିଜୟଙ୍କ ଭଳି ବରିଷ୍ଠ ଓ ଅଭିଜ୍ଞ ନେତା ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବରିଷ୍ଠ କେନ୍ଦ୍ର ମନ୍ତୀ ଦଳକୁ ଶକ୍ତିଶାଳୀ କରିବା ଯୋଜନାରେ ଅଛନ୍ତି। ଅପରାଜିତାଙ୍କ ଭଳି ପ୍ରଶାସିକାରୁ ରାଜନେତା ପାଲଟିଥିବା ଧୂରିଣ ନେତ୍ରୀ ନିର୍ବାଚନ ଜିତିବାର କଳା ଜାଣିଛନ୍ତି। ସେମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ହାତ ମିଳାଇଲେ ନିର୍ବାଚନ ପାଣିପାଗ ବଦଳି ଯାଇପାରେ।

ଅନ୍ୟ ପକ୍ଷରେ ଦୁର୍ବଳ ସ୍ଥିତିରେ ଥିଲେ ବି କଂଗ୍ରେସ କଡ ଲେଉଟାଇବା କିଛି ବିଚିତ୍ର ନୁହେଁ। ଦଳରେ ନରସିଂହ ମିଶ୍ରଙ୍କଠାରୁ ଆରମ୍ଭ କରି ଗଣେଶ୍ୱର ବେହେରାଙ୍କ ପର୍ଯ୍ୟନ୍ତ, ତାରା ପ୍ରସାଦ ବାହିନୀପତିଙ୍କଠାରୁ ଶରତ ରାଉତଙ୍କ ପର୍ଯ୍ୟନ୍ତ ଅନେକ ଅଭିଜ୍ଞ ଓ ଅନୁଭବୀ ନେତା ଅଛନ୍ତି। ବିଧାୟକ ସୁର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଭକ୍ତ ଦାସ, ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କର ଦଳରେ ବେଶ୍‍ ଦବ୍‍ଦବା ରହିଛି। ଏବେ ଅନେକ ନୂଆ ମୁହଁ ବି ସାମିଲ ହେଲେଣି। ନିରବ ରହୁଥିବା ନେତା ପିସିସି ସଭାପତି ପରିବର୍ତ୍ତନ ହେଲେ ବଦଳି ଯାଇପାରନ୍ତି। ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ନବାଗତ ପର୍ଯ୍ୟନ୍ତ ସବୁ ନେତା ଏକାଠି ହେଲେ କଂଗ୍ରେସ ପୂର୍ବ ସ୍ଥିତିକୁ ଫେରିବାକୁ ଜୋରଦାର ଲଢ଼େଇ କରିପାରେ। ଏସବୁ ଦୃଷ୍ଟିରୁ ଏ ପର୍ଯ୍ୟନ୍ତ ଅପ୍ରତିଦ୍ୱନ୍ଦ୍ବୀ ଥିବା ବିଜେଡି ବିରୋଧୀଙ୍କୁ ଦୁର୍ବଳ ମନେ କରିବା ଠିକ ନୁହେଁ।

Comments are closed.