ବାରିପଦାରେ ଐତିହ୍ୟ ରେଳ ସଂଗ୍ରହାଳୟ ଉଦ୍‌ଘାଟିତ

ବାରିପଦା: ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ରେଳ ଷ୍ଟେସନ ପରିସରରେ ରେଳ ଐତିହ୍ୟ ସଂଗ୍ରହାଳୟ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁଙ୍କ ଦ୍ବାରା ଉଦଘାଟିତ ହୋଇଛି। ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ ଆନୁକୂଲ୍ୟରେ ୬ ହଜାର ବର୍ଗମିଟର ସ୍ଥାନରେ ପାଖାପାଖି ୧.୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ କହିଲେ ଯେ, ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ରେଳ ଲାଇନର ସର୍ଭେ ସମ୍ପୂର୍ଣ୍ଣ ହୋଇ ଏବେ ରେଳବାଇ ବୋର୍ଡ ଠାରେ ରହିଛି। ଏହି ରେଳପଥ ପ୍ରତିଷ୍ଠା ହୋଇପାରିଲେ ମୟୂରଭଞ୍ଜ ଜିଲାର ପୂର୍ବ ଓ ପଶ୍ଚିମଭାଗ ସିଧାସଳଖ ଟାଟା ନଗର ଷ୍ଟେସନ ସହ ସଂଯୋଗ ହୋଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱଳ୍ପ ବ୍ୟୟରେ ରେଳଯୋଗେ ଯାତ୍ରା ସମ୍ଭବ ହୋଇପାରିବ। ଏଥିସହିତ ଦାବି ହେଉଥିବା ବୁଡ଼ାମରା-ଚାକୁଳିଆ ରେଳ ସଂଯୋଗ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କିଛିଦିନ ତଳେ ରାଞ୍ଚି ଯାଇଥିବା ସମୟରେ ସେଠାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ ହୋଇଥିବା ଆଲୋଚନା ଅନୁଯାୟୀ ଏହି ରେଳ ଲାଇନ ଝାଡ଼ଖଣ୍ଡ ରାଜ୍ୟ ଦେଇ ଯିବାକୁ ଥିବାରୁ ସେଠାରେ ଅଧିକ ପରିମାଣରେ ଜଙ୍ଗଲ କିସମ ଜମି ରହୁଛି। ଏଣୁ ଏଥିନେଇ ବିଳମ୍ବର ସମ୍ଭାବନା ଥିବା ଦୃଷ୍ଟିରୁ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଗଲେ ସେ ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ଶୀ ଟୁଡୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସେ ଜଣାଇଥିଲେ।

Comments are closed.