ବିଷ୍ଣୁଙ୍କ ରାଜନୈତିକ ଜୀବନ

ଧାମନଗର: ଧାମନଗର ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଛି। ସୋମବାର ୬୧ ବର୍ଷ ବୟସରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ବଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ବିଷ୍ଣୁଙ୍କ ରାଜନୈତିକ ଜୀବନ ଥିଲା ଖୁବ୍‌ ପ୍ରଭାବଶାଳୀ। ଆସନ୍ତୁ ଜାଣିବା ବିଷ୍ଣୁ ସେଠୀଙ୍କ ରାଜନୀତି ଇତିହାସ ବିଷୟରେ-

୨୦୦୦ରୁ ୨୦୦୪ ଯାଏ ଚାନ୍ଦବାଲି ବିଧାନସଭା ଆସନରୁ ବିଷ୍ଣୁ ସେଠୀ ବିଜୟୀ ହୋଇ ବିଧାୟକ ହୋଇଥିଲେ। ପରେ ପୁଣି ୨୦୦୪ରେ ସେହି ଚାନ୍ଦବାଲିରୁ ବିଜେଡି ଓ ବିଜେପି ମେଣ୍ଟର ପ୍ରାର୍ଥୀ ହୋଇଥିଲେ। ହେଲେ ପରାଜୟ ବରଣ କରିଥିଲେ। ପରେ ୨୦୦୬ରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଥିଲା। ପରେ ସୀମା ନିର୍ଦ୍ଧାରଣ ଯୋଗୁଁ ୨୦୦୯ରେ ଚାନ୍ଦବାଲି ସାଧାରଣବର୍ଗଙ୍କ ପାଇଁ ଆସନ ହେବାରୁ ବିଷ୍ଣୁ ଧାମନଗର ଆସି ଧାମନଗର ସଂରକ୍ଷିତ ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ସେତେବେଳେ ବିଜେଡିର ରାଜେନ୍ଦ୍ର ଦାସଙ୍କଠାରୁ ଅଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ। ପାଞ୍ଚ ବର୍ଷ ଧରି ସଂଗଠନ ମଜଭୁତ କରିଥିଲେ ବି ୨୦୧୪ରେ ଧାମନଗରରୁ ବିଜେଡି ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ୨୦୧୯ରେ ଧାମନଗର ସଂରକ୍ଷିତ ଆସନରେ ପୁଣି ବିଜେଡିର ରାଜେନ୍ଦ୍ର ଦାସଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦିତା ହୋଇଥିଲା। ହେଲେ ସେତେବେଳକୁ ଧାମନଗରବାସୀ ନିଜର ମନ ପରିବର୍ତ୍ତନ କରିସାରିଥିଲେ ଓ ବିଷ୍ଣୁଙ୍କୁ ଜୟଯୁକ୍ତ କରାଇଥିଲେ। ବିଜୟ ହେବା ପରେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରୁଥିଲେ। ମୁଖ୍ୟ ବିରୋଧୀ ଦଳ ଉପନେତା ଭାବେ ମନୋନୀତ ହୋଇଥିଲେ ବିଷ୍ଣୁ। ସରକାରଙ୍କ ବିରୋଧରେ ସବୁବେଳେ ସ୍ବର ଶାଣିତ ରହୁଥିଲା। ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଉଥିଲେ। ଏପରିକି ଦରବୃଦ୍ଧି, ନୀରା ନିର୍ଯ୍ୟାତନା, ଆଇନଶୃଙ୍ଖଳା, ଦୁର୍ନୀତି, ଖଣି ଦୁର୍ନୀତି, ଆବାସ ଦୁର୍ନୀତି, ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିଲେ। କେବଳ ଏତିକି ନୁହେଁ, ବିଧାନସଭା ବାହାରେ ମଧ୍ୟ ବିଭିନ୍ନ ଘଟଣା ଓ ପ୍ରସଙ୍ଗ ଉପରେ ମତ ଦେଇ ବିବାଦୀୟ ହେଉଥିଲେ। ତେଲ ଦର ବୃଦ୍ଧି ପ୍ରସଙ୍ଗରେ ସାମ୍ବାଦିକଙ୍କୁ ଜବାବ ଦେଇ ଚର୍ଚ୍ଚାରେ ରହିଥିଲେ। ଧାମନଗରରୁ ବିଜୟ ପରେ ଧାମନଗରରେ ରାମ ନବମୀ ପାଳନ ଜୋର ଧରିଥିଲା। ସଂଗଠନର ଅଭିବୃଦ୍ଧି ମଧ୍ୟ ଘଟିଥିଲା। ହେଲେ ୨୦୨୦ରେ କରୋନା ମହାମାରୀର ଶିକାର ହୋଇଥିଲେ। କରୋନା ଆକ୍ରାନ୍ତ ହେବା ପରେ ଅଧିକାଂଶ ସମୟରେ ସେ ଅସୁସ୍ଥ ରହୁଥିଲେ। ପୂର୍ବରୁ ମଧୁମେହ ରୋଗ ଓ ଯକୃତ ରୋଗରେ ପୀଡ଼ିତ ଥିବାରୁ କରୋନା ପରେ ଅତି ଦୁର୍ବଳ କରିଦେଇଥିଲା। ତା’ପରଠାରୁ ସୁସ୍ଥ ରହୁନଥିଲେ। ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହେଉଥିଲେ। ସେଥିପାଇଁ ବିଷ୍ଣୁ ନିଜ ନିର୍ବାଚନ ମଣ୍ଡଳୀରେ ବେଶୀ ସମୟ ଦେଇପାରୁନଥିଲେ। ଏପରିକି ଗତ ଅଗଷ୍ଟ ମାସ ଧାମନଗରରେ ଲଗାତାର ଦୁଇଟି ବନ୍ୟା ସତ୍ତ୍ୱେ ଚିକିତ୍ସାଧିନ ଥିବାରୁ ବିଷ୍ଣୁ ଧାମନଗର ଆସିନଥିଲେ। ହେଲେ ଧାମନଗର ବନ୍ୟା ବିପନ୍ନଙ୍କୁ କିପରି ରିଲିଫ ଓ ସରକାରୀ ସହାୟତା ମିଳିବ ଡାକ୍ତରଖାନାରେ ରହି ଚେଷ୍ଟା ଚଳାଇଥିଲେ। ଜଣେ ଲୋକ ପ୍ରତିନିଧି ହିସାବରେ ସେ ସମାଜର ସବୁ ବର୍ଗର ଲୋକଙ୍କ ସହିତ ସୁସମ୍ପର୍କ ରଖୁଥିଲେ। ତାଙ୍କର ଅକାଳ ବିୟୋଗ ନିଶ୍ଚିତ ଭାବରେ ସମସ୍ତଙ୍କୁ ସ୍ତବ୍ଧ କରିଛି।

Comments are closed.