ଆତଙ୍କବାଦର କଟୁଭାଷାରେ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ର ମୁଖ୍ୟମାନେ ସମସ୍ତ ପ୍ରକାର ଆତଙ୍କବାଦର କଟୁଭାଷାରେ ନିନ୍ଦା କରିଛନ୍ତି। କିର୍‍ଗିଜ୍‍ସ୍ତାନର ବିସ୍କେକରେ ଅନୁଷ୍ଠିତ ବୈଠକରେ ଆତଙ୍କବାଦ ବିରୁଦ୍ଧ ସଂଗ୍ରାମରେ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବାକୁ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି। ଏ କ୍ଷେତ୍ରରେ କୌଣସି ଦୋହରା ମନୋଭାବ ପୋଷଣ କରିବା କିମ୍ବା ରାଜନୀତି କରିବାରୁ ନିବୃତ୍ତ ରହିବାକୁ ସେମାନେ ବିଶ୍ୱ ସମ୍ପ୍ରଦାୟକୁ ଅନୁରୋଧ କରିଛନ୍ତି। ଆନ୍ତର୍ଜାତିକ ଆତଙ୍କବାଦ ଉପରେ ଏକ ବ୍ୟାପକ ରାଜିନାମା ଗୃହିତ ପାଇଁ ସହମତି ସୃଷ୍ଟି ଲାଗି ସେମାନେ ଗୁରୁତ୍ୱାରୋପ କରିଛନ୍ତି। ଏ ସଂକ୍ରାନ୍ତରେ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏସ୍‍.ସି.ଓ. ସଦସ୍ୟ ରାଷ୍ଟ୍ର ମୁଖ୍ୟମାନେ ଶୁକ୍ରବାର ପୂର୍ଣ୍ଣାଙ୍ଗ ଅଧିବେଶନରେ ଉଦ୍‍ବୋଧନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ବୋଧନ ଦେଇ ଆତଙ୍କବାଦର ମୂଳଉତ୍ପାଟନ ଲାଗି ସମ୍ମିଳୀତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦର ଦମନ ପାଇଁ ବିଶ୍ୱର ସମସ୍ତ ଶକ୍ତି ଐକ୍ୟବଦ୍ଧ ହେବା ଉଚିତ୍‍। ମୋଦି କହିଛନ୍ତି, ଆମକୁ ସମାଜରୁ ଆତଙ୍କବାଦ ଲୋପ୍‍ କରିବାକୁ ହେବ। ଆତଙ୍କବାଦ ବିରୁଦ୍ଧରେ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ଦେଶମାନେ ସନ୍ତ୍ରାସବାଦକୁ ସାହାଯ୍ୟ ଓ ସମର୍ଥନ ଦେଉଛନ୍ତି ଏବଂ ପାଣ୍ଠି ଯୋଗାଉଛନ୍ତି ସେମାନଙ୍କର କାର୍ଯ୍ୟ ପାଇଁ ସେମାନଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ। ବୈଠକରେ ଏସ୍‍.ସି.ଓ. ସଦସ୍ୟ ରାଷ୍ଟ୍ରମାନେ ଆତଙ୍କବାଦ ଓ ଉଗ୍ରବାଦର କୌଣସି ଯଥାର୍ଥତା ନାହିଁ ବୋଲି ଦର୍ଶାଇଛନ୍ତି। ଆତଙ୍କବାଦର ଦମନ ଓ ଆତଙ୍କବାଦର ପ୍ରସାର ବୃଦ୍ଧି ପାଇଁ ଦାୟୀ ବିଭିନ୍ନ କାରଣଗୁଡ଼ିକୁ ମୂଳଉତ୍ପାଟନ କରିବା ସକାଶେ ବ୍ୟାପକ ପଦକ୍ଷେପ ଗ୍ରହଣ ପ୍ରତି ସେମାନେ ଗୁରୁତ୍ୱାରୋପ କରିଛନ୍ତି।

Comments are closed.