ଧୂର୍ତ ଚୀନ, ଦୁଷ୍ଟ ପାକିସ୍ଥାନ ଠାରୁ ନୁହେଁ; ଅତ୍ୟାଧୁନିକ ଯୁଦ୍ଧବିମାନ ରାଫେଲ ପାଇଁ ଅମ୍ବାଲାରେ ବିପଦ

ଅମ୍ବାଲା: ଗତ ୨୯ ଜୁଲାଇରେ ଫ୍ରାନ୍ସରୁ ହରିଆଣାର ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିଛି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ରାଫେଲ ପାକିସ୍ଥାନ ଓ ଚୀନ ପାଇଁ ଶିରପୀଡ଼ା ହୋଇଛି। ଅନ୍ୟପକ୍ଷରେ ଚୀନ ଓ ପାକିସ୍ଥାନ ପାଖରେ ଥିବା ଏବର ଅତ୍ୟାଧୁନିକ ଯୁଦ୍ଧବିମାନଠାରୁ ରାଫେଲ ଅଧିକ ଶକ୍ତିଶାଳୀ ହୋଇଥିବାରୁ ସେମାନଙ୍କ ଆଡ଼ୁ ରାଫେଲକୁ କିଛି ଭୟ ନାହିଁ । ମାତ୍ର ରାଫେଲ ପାଇଁ ବିପଦ ଅମ୍ବାଲାରେ ହିଁ ଦେଖାଦେଇଛି । ଆଉ ଏହି ବିପଦ ହେଲେ ପକ୍ଷୀ । ଅମ୍ବାଲା ଏୟାର ବେସ୍ ନିକଟରେ ଉଡ଼ୁଥିବା ପକ୍ଷୀ ହିଁ ରାଫେଲ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବାୟୁସେନା ମନେ କରୁଛି । ଏଥିପାଇଁ ଏୟାରବେସ୍ ନିକଟରୁ ଆବର୍ଜନାସ୍ଥଳ ହଟାଇବା ପାଇଁ ବାୟୁ ସେନା ହରିଆଣା ସରକାରଙ୍କୁ ଚିଠି ଲେଖିଛି ।

ଭାରତୀୟ ବାୟୁ ସେନାର ନିରାପତ୍ତା ବିଭାଗ ମହାନିର୍ଦେଶକ ଏୟାର ମାର୍ଶାଲ ମାନବେନ୍ଦ୍ର ସିଂହ ହରିଆଣା ସରକାରଙ୍କ ମୁଖ୍ୟ ସଚିବ କେଶନି ଆନନ୍ଦ ଆରୋାଙ୍କୁ ଚିଠିରେ ହରିଆରା ଏୟାରଫୋର୍ସ ଷ୍ଟେସନ ନିକଟ​‌ରେ ଜମା କରାଯାଉଥିବା ଆବର୍ଜନା ପ୍ରତି ଧ୍ୟାନଦେବାକୁ ଅନୁରୋଧ କରାଯାଇଛି । ବର୍ତମାନ ଅମ୍ବାଲା ଏୟାରବେସରେ ରାଫେଲ ପାଇଁ ଆବର୍ଜନା ଯୋଗୁଁ ଉଡ଼ୁଥିବା ପକ୍ଷୀ ବିପଦ ସୃଷ୍ଟି କରିଛନ୍ତି । ତେଣୁ ଏହାପ୍ରତି ତୁରନ୍ତ ଧ୍ୟାନ ଦେବାକୁ ମାନବେନ୍ଦ୍ର ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି ।

ଭାରତୀୟ ବାୟୁସେନାର ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମ୍ବାଲା ଏୟାର ଫୋର୍ସ ଷ୍ଟେସନ ନିକଟରେ ପକ୍ଷୀମାନଙ୍କର ବିଶାଳ ଦଳ ସବୁବେଳେ ଉଡ଼ୁଥିବା ଦେଖାଯାଉଛି । ଯଦି ଗୋଟିଏ ବି ପକ୍ଷୀ ରାଫେଲ ଦେହରେ ଉଡ଼ୁଥିବାବେଳେ ଧକ୍କା ଖାଏ ତେବେ ଏହା ବଡ଼ କ୍ଷତି ଘଟାଇପାରେ ।ଏହି ଅଞ୍ଚଳରେ ଡ଼ମ୍ପିଂ ଜୋନ ଯୋଗୁଁ ପକ୍ଷୀମାନେ ବହୁ ସଂଖ୍ୟାରେ ଉଡ଼ୁଛନ୍ତି । ତେଣୁ ଏଥିନିମନ୍ତେ ଅମ୍ବାଲା ଏୟାରଫୋର୍ସ ଷ୍ଟେସନର ଏୟାର ଅଫିସର କମାଣ୍ଡିଂ ସହରର ଯୁଗ୍ମ କମିଶନ ଓ ଅତିରିକ୍ତ ପୌର କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି । ୨୦୧୯ ମସିହାରେ ଜାନୁଆରୀ ଓ ଜୁଲାଇ ମାସରେ ଏବଂ ୨୦୨୦ ଜାନୁଆରୀରେ ଏ ସମ୍ପର୍କରେ ଅନୁରୋଧ କରାଯାଇଛି । ଏୟାରଫୋର୍ସ ବେସଠାରୁ ଅନ୍ୟୂନ ୧୦ କିଲୋମିଟର ଦୂରକୁ ଡ଼ମ୍ପିଂ ୟାର୍ଡ଼ ହଟାଇବା ଏବଂ କଠିନ ବର୍ଜ୍ୟ ପରିଚାଳନା ପ୍ରକଳ୍ପ ସ୍ଥାପନ ପାଇଁ ବାୟୁସେନା ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।

Comments are closed.