ଆରମ୍ଭ ହେଲା କୁକୁଡା ମରା ଅଭିଯାନ; ଚାଷୀଙ୍କୁ ମିଳିବ କ୍ଷତିପୂରଣ

0

ପୁରୀ: ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇ ଥିବା ଅଞ୍ଚଳଗୁଡିକରେ ଶୁକ୍ରବାରଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହେବ । ପୁରୀ ଜିଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକର ସାନସାଇ, ପଥରଗଞ୍ଜ, ମାଲୁଦ ଅଞ୍ଚଳର ପ୍ରାୟ ୧ କିମି ମଧ୍ୟରେ ରହିଥିବା ସମସ୍ତ କୁକୁଡା ଓ ବତକ ମରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିପାଇଁ ୧୦ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇ ଥିବା ଅଞ୍ଚଳକୁ ଯାଇ କୁକୁଡା ମାରିବା ଅଭିଯାନ ଆରମ୍ଭ କରିଛନ୍ତି ।  ଶୁକ୍ରବାର ସକାଳେ ପ୍ରାଣୀରୋଗ ବିଶେଷଜ୍ଞ, ପଶୁସମ୍ପଦ ବିଭାଗର ଯୁଗ୍ମ ନିର୍ଦେଶକ ଡ.ଲୋକନାଥ ବେହେରା , ସ୍ଥାନୀୟ ତହସିଲ ଓ ପୁଲିସ ଉପସ୍ଥିତରେ କୃଷ୍ଣପ୍ରସାଦ ବ୍ଲକର କୁକୁଡା ଚାଷୀ ବିଜୟ କୁମାରଙ୍କ ଦୁଇଟି ଫାର୍ମର କୁକୁଡା ଚିଆଁକୁ ପୋତା ଯାଇଛି । ଛୋଟ କୁକୁଡା ପ୍ରତି ୨୦ ଟଙ୍କା ଓ ବଡ କୁକୁଡା ପ୍ରତି ୭୦ ଟଙ୍କା ଲେଖାଏଁ କୁକୁଡା ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । ହେଲେ ଏହାକୁ ନେଇ କୁକୁଡା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଲଗାତର ଭାବରେ ଚିଲିକାରେ ପକ୍ଷୀ, କୁକୁଡା ମଡକ ଦେଖାଦେବା ପରେ ସ୍ଥାନୀୟ ଅଞ୍ଚଳରେ ବାର୍ଡ ଫ୍ଲକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ସତ ବୋଲି ପ୍ରମାଣ ହୋଇଛି । ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକର ସାନସାଇ, ପଥରଗଞ୍ଜ, ମାଲୁଦ ଅଞ୍ଚଳରୁ ସଂଗୃହୀତ ରକ୍ତ ନମୁନାରୁ ବାର୍ଡ ଫ୍ଲୁ ପଜିଟିଭ୍ ଆସିଲା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସଂପୃକ୍ତ ଅଞ୍ଚଳରେ କୁକୁଡା ମରା ଅଭିଯାନ ଆରମ୍ଭ ହେବା ସହ କୃଷ୍ଣପ୍ରସାଦ ବ୍ଲକର ସମସ୍ତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଓ ଚିକେନ୍ ବାଦ ଦିଆଯାଇଛି ।

ଲୋକଙ୍କ ପାଇଁ ସତର୍କତା

– ବାର୍ଡ ଫ୍ଲୁ ଚିହ୍ନଟ ଅଞ୍ଚଳରେ କୁକୁଡା ମାଂସ କିମ୍ବା ଅଣ୍ଡା ଖାଆନ୍ତୁ ନାହିଁ ।
-କୁକୁଡା ବତକ, କାଉ ଓ ଅନ୍ୟ କୌଣସି ପକ୍ଷୀଙ୍କୁ ସ୍ପର୍ଶ କରନ୍ତୁ ନାହିଁ ।
-କୁକୁଡା ଫାର୍ମ କିମ୍ବା ବତକ ଫାର୍ମଠାରୁ ଦୂରେଇ ରୁହନ୍ତୁ ।
-ବାର୍ଡ ଫ୍ଲୁ ଅଞ୍ଚଳକୁ ଯାଉଥିବା ଲୋକେ ଭଲଭାବେ ହାତ ଓ ମୁହଁ ଧୋଇବା ସହ ପୋଷାକ ପରିବର୍ତ୍ତନ କରନ୍ତୁ ।
-ଯଦି ଦେହରେ ତାପମାତ୍ରା ଅଧିକ ରହେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।
-ରୋଗ ହୋଇଥିବା କୁକୁଡା ଫାର୍ମ ସହ ସଂପୃକ୍ତ ଥିବା ବ୍ୟକ୍ତିମାନେ ପ୍ରତିଷେଧକ ଔଷଧ ଖାଆନ୍ତୁ ।

Leave A Reply