ଓୟୁଏଟିରେ ବାର୍ଡ ଫ୍ଲୁ

ଭୁବନେଶ୍ବର/ନନ୍ଦନକାନନ : ପୁଣି ଲେଉଟିଲା ବାର୍ଡ଼ ଫ୍ଲୁ। ଜାତୀୟ ସ୍ତରଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଏବେ ସବୁଠି କରୋନାକୁ ନେଇ ଆତଙ୍କ। ରାଜ୍ୟ ସରକାର ଏ ଦିଗରେ ସତର୍କତାମୂଳକ ପଦକ୍ଷେପ ନେଇଥିବାବେଳେ ଏବେ ବାର୍ଡ଼ ଫ୍ଲୁ ଦେଖାଦେବା ଘଟଣା ଚିନ୍ତାର ବିଷୟ ହୋଇଛି।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ଫାର୍ମରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଛି। କିଛି ଦିନ ଧରି ଫାର୍ମରେ କୁକୁଡ଼ା ମରିବା ପରେ କୁକୁଡ଼ା ନମୁନା ପରୀକ୍ଷା ପାଇଁ ଭୋପାଳସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିଲା। ଆଜି ଭୋପାଳରୁ ମିଳିଥିବା ରିପୋର୍ଟ ଅନୁସାରେ ନମୁନା ପଜିଟିଭ ଥିବା ଜଣାପଡ଼ିଛି। ଓୟୁଏଟି ପାଥୋଲୋଜି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ​‌େ​‌ର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ବାର୍ଡ଼ ଫ୍ଲୁ ଚିହ୍ନଟ ସ୍ଥାନଠାରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଓ ୧ରୁ ୧୦କିମି ବ୍ୟାସାର୍ଦ୍ଧ ଅଞ୍ଚଳକୁ ନିରୀକ୍ଷଣ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ଆସନ୍ତାକାଲିଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। ସଂକ୍ରମିତ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ କୁକୁଡ଼ାଙ୍କୁ ମରାଯାଇ ଗଭୀର ଗାତରେ ପୋତିଦିଆଯିବ। ମାଟି ଘୋଡ଼ାଇବା ପୂର୍ବରୁ ସେଥିରେ ଚୂନ ଓ ବ୍ଲିଚିଂ ପାଉଡ଼ର ପରି ବିଶୋଧକ ପ୍ରୟୋଗ କରାଯିବ। ସଂକ୍ରମିତ ଅଞ୍ଚଳର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନକୁ ମଧ୍ୟ ବ୍ଲିଚିଂ ପାଉଡ଼ର ଦ୍ବାରା ବିଶୋଧନ କରାଯିବାର ବ୍ୟବସ୍ଥା ହୋଇଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁକୁଡ଼ାମରା ଅଭିଯାନ ଓ ରୋଗ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ତ୍ବରିତ କାର୍ଯ୍ୟକାରୀ ଦଳ(ରାପିଡ଼ ରେସପନ୍ସ ଟିମ୍) ନିଯୁକ୍ତ କରାଯାଇଛି। ଏଥିମଧ୍ୟରୁ ୭ଟି ଦଳ କୁକୁଡ଼ାମରା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅନ୍ୟ ୫ଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହେବେ। ସଂକ୍ରମିତ ସ୍ଥାନରେ ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ରାପିଡ଼ ରେସପନ୍ସ ଟିମ୍ ଓୟୁଏଟି କୁକୁଡ଼ା ଫାର୍ମ​‌େ​‌ର କୁକୁଡ଼ା ମାରିବା ସହିତ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିବାକୁ ନିର୍ଦେଶ ଦିଆଯାଇଛି। ଉକ୍ତ ଟିମ୍ ଘରକୁ ଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେସବୁ କୁକୁଡ଼ା ମରାଯିବାର ବ୍ୟବସ୍ଥା କରିବେ। ନିରୀକ୍ଷଣ ଅଞ୍ଚଳରେ ନିୟୋଜିତ ତ୍ବରିତ କାର୍ଯ୍ୟକାରୀ ଦଳ ନିୟମିତ ବ୍ୟବଧାନରେ କୁକୁଡ଼ା ରକ୍ତ, ଲାଳ ଓ ମଳ ଆଦି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ କୁହାଯାଇଛି। ବାର୍ଡ଼ ଫ୍ଲୁ ନିୟନ୍ତ୍ରଣ ସମ୍ବନ୍ଧୀୟ ସୂଚନା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ଜିଲା ଓ ରାଜ୍ୟ ସ୍ତରରେ ନିୟନ୍ତ୍ରଣ କକ୍ଷମାନ କାର୍ଯ୍ୟ କରୁଛି। କଟକ ମଙ୍ଗଳାବାଗ ସ୍ଥିତ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦେଶାଳୟରେ କାର୍ଯ୍ୟ କରୁଛି। ଏହାର ଟେଲିଫୋନ ନମ୍ବର ହେଉଛି ୦୬୭୧-୨୪୧୪୩୧୦। ଫାକ୍ସ ନମ୍ବର ହେଉଛି ୦୬୭୧-୨୪୧୪୭୩୯। ଖୋର୍ଦ୍ଧା ଜିଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଭୁବନେଶ୍ବରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛି। ଏହାର ଟେଲିଫୋନ ନମ୍ବର ହେଉଛି ୦୬୭୪-୨୫୪୦୪୨୫।
ବାର୍ଡ଼ ଫ୍ଲୁ ନିୟନ୍ତ୍ରଣ ପଦ​‌େ​‌କ୍ଷପ ସ୍ବରୂପ କୌଣସି କୁକୁଡ଼ା ଓ କୁକ୍କୁଟ ଜାତୀୟ ପଦାର୍ଥ, ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରୁ ବାହାରକୁ ଚାଲାଣ କରାଯାଇପାରିବ ନାହିଁ। ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳ ଭିତରକୁ ପ୍ରବେଶ କରିପାରିବ ନାହିଁ। ସରକାରଙ୍କ ପକ୍ଷରୁ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନର ୯୦ଦିନ ପରେ ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ଓ କୁକ୍କୁଟ ଜାତୀୟ ପକ୍ଷୀ ବ୍ୟବସାୟ କରାଯାଇପାରିବ। ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାର୍ଡ଼ ଫ୍ଲୁ ବାବଦରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଭୂତାଣୁ ମଣିଷଙ୍କୁ ଆକ୍ରାନ୍ତ କରିବା କ୍ବଚିତ ଦେଖାଯାଇଥାଏ। ତେଣୁ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାର୍ଡ଼ ଫ୍ଲୁ ମୁଖ୍ୟତଃ ଏଚ୫ଏନ୧ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥାଏ। ଏହାଦ୍ବାରା କୁକୁଡ଼ା ଓ କୁକ୍କୁଟ ଜାତୀୟ ପକ୍ଷୀମାନେ ଆକ୍ରାନ୍ତ ହୁଅନ୍ତି। ବିଦେଶାଗତ ପକ୍ଷୀମାନେ ଏହି ରୋଗର ବାହକ ଭାବେ କାର୍ଯ୍ୟ କରନ୍ତି। ସେମାନଙ୍କ ଲାଳ ଓ ମଳରେ ଏହି ଭୂତାଣୁ ନିର୍ଗତ ହୋଇଥାଏ।
ଓୟୁଏଟି ଫାର୍ମରେ ୨୫ଶହ କୁକୁଡ଼ା ଥିବାବେଳେ ଗତ ୩ଦିନ ଭିତରେ ଅସ୍ବାଭାବିକ ଭାବେ ପ୍ରାୟ ୧୦୦୦ କୁକୁଡା ମରିଛନ୍ତି। ସେସବୁ କୁକୁଡାକୁ ଓୟୁଏଟି ପରିସରରେ ପୋତି ଦିଆଯାଇଛି। ଓୟୁଏଟି ଭେ​‌େ​‌ଟରିନାରୀ ପାଥୋଲୋଜି ବିଭାଗର ମୁଖ୍ୟ ତଥା ବାର୍ଡ-ଫ୍ଲୁ ନୋଡାଲ୍‌ ଅଫିସର ଡ. ସୁଶେନ କୁମାର ପଣ୍ଡାଙ୍କ କହିବା ଅନୁସାରେ ବାର୍ଡ-ଫ୍ଲୁ ସଂକ୍ରମଣ ରୋକିବା ଲାଗି କୁକୁଡା ଫାର୍ମରେ ଆବଶ୍ୟକ ସତର୍କତା ଗ୍ରହଣ କରାଯାଇଛି। ଫାର୍ମ ପରିସରରେ ମେସିନ୍‌ ସହାୟତାରେ ଏକ ବୃହତ ଗର୍ତ୍ତ ଖୋଳାଯାଇଛି। ପ୍ରାଣୀ ସମ୍ପଦ ବିଭାଗ ନିର୍ଦେଶକ ରତ୍ନାକର ରାଉତ କହିଛନ୍ତି ଯେ ବାର୍ଡ଼ ଫ୍ଲୁ ଚିହ୍ନଟ ଅଞ୍ଚଳଟି ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯାଇଛି। ଓୟୁଏଟିରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଭୂତାଣୁ ସଂକ୍ରମଣ ଭୟ ଘାରିଛି। ଆସନ୍ତା ମଙ୍ଗଳବାର ଠାରୁ ଅନିର୍ଦିଷ୍ଟ କାଳ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପାଦଚଲା ବିହଙ୍ଗ ସାରଣୀକୁ ବନ୍ଦ ରଖାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି ଯେ ଓଡିଶା ଭେ​‌େ​‌ଟରିନାରୀ କଲେଜ ପରିସରରେ ଥିବା ଫାର୍ମରେ ବାର୍ଡ଼ ଫ୍ଲୁ କାରଣରୁ କୁକୁଡ଼ା ମରିବା ପରେ ଏବେ ଆମ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଭୋପାଳ ସ୍ଥିତ ଉଚ୍ଚ ନିରାପତ୍ତା ପ୍ରାଣୀ ରୋଗ ନିରୂପଣ କେନ୍ଦ୍ରରେ ରକ୍ତ ନମୁନା ପରୀକ୍ଷା କରାଯାଇ ଏହା “ଇନ୍‍ଫ୍ଲୁଏଞ୍ଜା ଭୂତାଣୁ” ଜନିତ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣା ପଡ଼ିବା ପରେ ଏ ବିଷୟରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ଏହିସଂକ୍ରମଣ ଦ୍ୱାରା ପକ୍ଷୀମାନଙ୍କୁ ସଂକ୍ରମିତ ଜ୍ୱର, କାଶ, ସର୍ଦି ଓ ପୀଡା ହେବା ଦେଖାଯାଇଥାଏ। ଏହି ଭୂତାଣୁ ପକ୍ଷୀରୁ ମଣିଷଙ୍କୁ ଓ ମଣିଷରୁ ପକ୍ଷୀମାନଙ୍କୁ ସଂକ୍ରମଣ ହୋଇ ପାରିବ। ଏହାର ନିରାକରଣ ସଂକ୍ରାନ୍ତରେ ଓଡିଶା ଭେ​‌େ​‌ଟରିନାରୀ କଲେଜର ବିଶେଷଜ୍ଞ ଡାକ୍ତରୀ ଦଳ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକ ଓ କର୍ମଚାରୀଙ୍କୁ ପରାମର୍ଶ ଦେବା ସହିତ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ପାଦଚଲା ବିହଙ୍ଗ ସାରଣୀକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Comments are closed.